ଆଗ ଭଣ୍ଡେଇଲେ, ପରେ ଲଡୁ ଦେଇ ବୁଝେଇଲେ !

କଥାରେ ଅଛି ମରିବା ଯାଏଁ ମଣିଷର ଲୋଭ ଥାଏ । ସମ୍ପତ୍ତି ହଉ ବା ପଦପଦବୀ। ଆଉ ଏ କ୍ଷେତ୍ରରେ ଆମ ନେତା ବା ନେତ୍ରୀଙ୍କ କଥା ନକହିବା ଭଲ । ତାଙ୍କୁ ଉଭୟ ସମ୍ପତ୍ତି ଓ ପଦପଦବୀର ଲୋଭ ସଦାସର୍ବଦା ଲାଗିରହିଥାଏ। ହଠାତ ଅବେଳାରେ ଆମେ ଏଥିପାଇଁ ଏକଥା କହୁଛୁ ଯେ, ଆମ ରାମ ମନ୍ଦିର ଆଖେଡା ଶାଳରେ ଲୋକପ୍ରିୟ ଅଭିନେତ୍ରୀ ଲେଖା ନାନୀ କୁଆଡେ ଋଷିଛନ୍ତି। ଲେଖା ନାନୀ ଙ୍କୁ ଚିହ୍ନିପାରିଲେ ତ ? ଲେଖାଶ୍ରୀ ସାମନ୍ତ ସିଂହାର ମ।
ନାନୀ କୁଆଡେ ୧୫ ଦିନ ହେଲା ରାଗି ପାଚି ଲାଲ। ଆଉ ରାଗିବାର କାରଣ ହେଲା ଦଳ ତାଙ୍କୁ ଭଣ୍ଡେଇ ଦେଇଛି। କହିଲା ଛେନାପୋଡ଼ ଦେବ, ହେଲେ ଗୁଲୁଗୁଲା ଦେଇଦେଲା। ଯାହା ଶୁଣିବାକୁ ମିଳୁଛି କିଛି ଦିନ ତଳେ ଦଳର ଶୀର୍ଷ ନେତୃତ୍ୱ ତାଙ୍କୁ କୁଆଡେ ରାଜ୍ୟ ସଭାପତି ହେବା ର ଗୋଲା ଦେଇଥିଲେ । ଯୋଉ ଗୋଲା ଖାଇ ଲେଖା ନାନୀ ଙ୍କ ଛାତି କୁଣ୍ଢେ ମୋଟ ହେଇଯାଇଥିଲା। ହେଲେ ହଠାଥ କଣ' ହେଲା କେଜାଣି ସବୁ ନାନୀଙ୍କ ସବୁ ଅଙ୍କ ଭୁଲ ହେଇଗଲା । ଆକାଶରୁ ଗଳିଲେ ମନମୋହନ। ଯାହାକୁ ନେଇ ଖପ୍ପା ହୋଇଯାଇଥିଲେ ଲେଖା ନାନୀ । କାହା ସାଙ୍ଗେ କଥା ହଉନଥିଲେ । ପାର୍ଟି ଅଫିସରେ ପାଦ ପକେଇବେନି ଭାବି କିଛି ଦିନ ବିରତି ନେଇଥିଲେ।
ନାନୀଙ୍କ ଋଷିବା କଥା ଦେଖି ଅନେକ ବଡ଼ ବଡ଼ ନେତାଙ୍କ ପିଳେହି ପାଣି ହୋଇଯାଇଥିଲା । କାରଣ ନାନୀଙ୍କ ପାଖେ ଗେରୁଆ ନେତାଙ୍କ ଚାଷ ର ସୁରାକ ରହିଛି। ଆଉ ସିଏ ଯଦି ବିଜେଡି କିମ୍ବା କଂଗ୍ରେସ ଆଡକୁ ମୁହାଁନ୍ତି, ତେବେ କଥା ସରିଲା । ତେଣୁ ନାନୀଙ୍କୁ ମନେଇବାକୁ କାଲି କୁଆଡେ ନିଜେ ରାଜ୍ୟ ସଭାପତି ମନମୋହନ ଫୋନ କରି କାକୁତି ମିନତି ହୋଇ ପାର୍ଟି ଅଫିସ ଡାକିଥିଲେ। ଆଉ ସଭାପତିଙ୍କ କଲ ପାଇବା ପରେ ନାନୀଙ୍କ ରାଗ ଶାନ୍ତ ହୋଇଥିଲା। ତୁରନ୍ତ ଯାଇ ପହଞ୍ଚିଥିଲେ ଆଖଡା ଶାଳରେ। ଲେଖା ନାନୀଙ୍କ ମାନଭଞ୍ଜନ ପାଇଁ ଭଦ୍ରକରୁ କୁଆଡେ ପାଳୁଅ ଲଡୁ ଆଣିଥିଲେ ମନମୋହନ । ଆଉ ଲଡୁ ଖାଇ ନାନୀ ଏବେ ପୁରା ଓକେ । ହେଲେ ଗୋଟିଏ କଥା ନାନୀ ମନେ ରଖିବେ। ଡାଇବେଟିସ ଯୁଗ । ମିଠା ଟିକେ ଦେଖିକି ଖାଇବେ। ଆଉ ମନମୋହନଙ୍କ ଲଡୁ କୁ ବାଗେଇକି। ନହେଲେ କେତ ବେଳେ କଣ' ଯେ ହେବ !