ଉପାସନାଙ୍କୁ କେଉଁଠି ଖୋଜୁଛି କମିଶନରେଟ ପୋଲିସ ?

ଉପାସନାଙ୍କୁ କେଉଁଠି ଖୋଜୁଛି କମିଶନରେଟ ପୋଲିସ ?

ନୟାପଲ୍ଲୀରେ ଘରେ ପଶି ବ୍ୟାପକ ଭଙ୍ଗାରୁଜ୍ଜା ମାମଲାରେ ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କ ନାଁରେ ମାମଲା ରୁଜ୍ଜୁ ହେବାପରେ ଏବେ କମିଶନରେଟ ପୋଲିସ ଉପରେ ସମସ୍ତଙ୍କ ନଜର ରହିଛି । ଏହି ବିଜେପି ନେତ୍ରୀଙ୍କୁ ଗିରଫ କରିବାକୁ ପୋଲିସର ହାତ ଯିବକି ନାହିଁ, ତାହା ହେଉଛି ବଡ ପ୍ରଶ୍ନ । ପୁର୍ବରୁ ଏଫଆଇଆର ଅଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦୃଢୋକ୍ତି ଦେଖାଉଥିବା କମିଶନରେଟ ପୋଲିସ ମାମଲାକୁ ୯ ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ ଘଟଣାର ଯିଏ ମୁଖ୍ୟ ବୋଲି କୁହାଯାଉଛି ତାଙ୍କ ନିକଟକୁ ପୋଲିସର ହାତ ଯାଇନାହିଁ । ଯାହା ଅନେକ ଦ୍ୱନ୍ଦ୍ୱ ତିଆରି କରୁଛି । ଅତୀତରେ ଅନେକ ଘଟଣାରେ ଏଫଆଇଆର ହେଉ ହେଉ ଲୋକଙ୍କୁ ବାନ୍ଧି ହାଜତରେ ଭର୍ତ୍ତି କରୁଥିବା ପୋଲିସ କେତେ ଶକ୍ତ ହୋଇ ଏହି ମାମଲାରେ କାର୍ଯ୍ୟ କରିବ ତାହା ଏହି ସଂସ୍ଥାର ନିରପେକ୍ଷତାକୁ ସମସ୍ତଙ୍କ ସାମ୍ନାକୁ ଆଣିବ ।

Image

ଏହି ମାମଲାରେ ପୋଲିସର ଭାବମୁର୍ତ୍ତି ଉପରେ ମଧ୍ୟ ଅଂଚ ଆସିଛି । କାରଣ ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିବାରୁ ଆଉ ଜଣେ ହାବିଲଦାର ଏଥିରେ ଗିରଫ ହୋଇଛନ୍ତି । ତେଣୁ ଉପାସନାଙ୍କ ଉପସ୍ଥିତିରେ ପୁରା ଘଟଣା ଘଟିଛି କି ନାହିଁ, ତାକୁ ଜାଣିବା ପୋଲିସ ପାଇଁ କିଛି କଷ୍ଟକର ବ୍ୟାପାର ନୁହେଁ । ସେହିଭଳି ନିକଟରେ ଥିବା ସିସିଟିଭି ଫୁଟେଜ ହେଉ ଅବା ଅଭିଯୁକ୍ତ ନେଇଯାଇଥିବା ହାର୍ଡଡିସ୍କକୁ ସିଜ୍ କରି ତାରି ତଥ୍ୟ ଆଧାରରେ ଏହା ଜାଣିବା ପୋଲିସ ପାଇଁ ଖୁବ ସହଜ । ହେଲେ ପୋଲିସ କାହିଁକି ଉପାସନାଙ୍କ କ୍ଷେତ୍ରରେ ଚୁପ୍ ହୋଇ ରହିଛି, ତାହା ଅନେକ ପ୍ରଶ୍ନ ଉଠାଇଛି । ଉପାସନାଙ୍କୁ କେହି ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦେଉଛନ୍ତି କି ? ନା ଜାତୀୟ ଦଳର ବିଧାୟକଙ୍କ ଦ୍ଵାରା କେନ୍ଦ୍ରରୁ କୌଣସି ଚାପ ପ୍ରୟୋଗ କରାଯାଉଛି ।

Image

ଉପାସନାଙ୍କୁ ଗିରଫ କରିବାକୁ ଶାସକ ଦଳ ପକ୍ଷରୁ ଯଥାସମ୍ଭବ ଚାପ ପକାଇ ଚାଲିଥିବା ବେଳେ ମାମଲାରେ ପୋଲିସର ନିଷ୍କ୍ରିୟତା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ତେଣୁ କେଉଁଠି ନା କେଉଁଠି ପୋଲିସ ଏହି ମାମଲାରେ ଉପାସନାଙ୍କୁ ଗିରଫ କରିବା ଆଗରୁ ବହୁତ କଥା ଚିନ୍ତା କରିବ ବୋଲି ଶୁଣିବାକୁ ମିଳୁଛି । ତେବେ କାହିଁକି ଉପାସନାଙ୍କ ପାଇଁ ଏଭଳି ଟାଳଟୁଳ ନୀତି ତାହା ସ୍ପଷ୍ଟ ଭାବେ ଜଣାପଡୁନଥିବା ବେଳେ ଏକ ଅଦୃଶ୍ୟ ଚାପ ଏହା ପଛରେ କାମ କରୁଥିବା ଅନୁମାନ କରାଯାଉଛି । ପୋଲିସ ଖୁବଶୀଘ୍ର ସ୍ପଷ୍ଟ କରିବା ଦରକାର, ଏହି ପୁରା ମାମଲା ପଛର ଅସଲ କାରଣ କଣ ଏବଂ ଏଥିରେ ଉପାସନାଙ୍କର ହାତ ଅଛି କି ନାହିଁ ।

Image

ୱି କେୟାର ୱି ଡେୟାର ନାରା ଦେଇ ଲୋକଙ୍କ ମନରେ ବିଶ୍ୱାସ ତିଆରି କରିବାକୁ ଚେଷ୍ଟା କରୁଥିବା କମିଶନରେଟ ପୋଲିସ ପାଇଁ ଏହି ମାମଲା ଅଗ୍ନିପରୀକ୍ଷା ସଦୃଶ । କାରଣ ଯେଉଁ ଦୁଇଟି ଶଦ୍ଦକୁ ବ୍ୟବହାର କରି ନାରା ତିଆରି କରାଯାଇଛି, ଏହି ମାମଲାରେ ହେବ ତାର ଅସଲ ପରୀକ୍ଷା । କେୟାର ଅର୍ଥାତ୍ ଯତ୍ନ ନେବା । କମିଶନରେଟ ପୋଲିସ ଅଧୀନରେ ଆସୁଥିବା ଜନ ସାଧାରଣଙ୍କ ସୁରକ୍ଷା ଆଉ ସେମାନଙ୍କ ଯତ୍ନ ନେବାରେ ଏହି ସଂସ୍ଥା ସଫଳ ହେଉଛି କି ବିଫଳ ତାହା ଜଣାପଡିବ । କାରଣ ଜଣଙ୍କ ଘରେ ପଶି ଭଙ୍ଗାରୁଜ୍ଜା କରି ଆତଙ୍କ ଖେଳାଇବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଠିଆ କରିଛି । ସେହିଭଳି ଡେୟାର ଅର୍ଥାତ୍ ସାହାସ ଦେଖାଇବା । ମାମଲାରେ ସଠିକ ତଦନ୍ତ କରି ଉପାସନା ମହାପାତ୍ରଙ୍କୁ ସାହାସ ଦେଖାଇ ପୋଲିସ ଗିରଫ କରିପାରୁଛି କି ନାହିଁ, ତାହା ବି ଏଥିରୁ ଜଣାପଡିବ । ୨୨ବର୍ଷ ପୁରୁଣା ଅଞ୍ଜନା ମିଶ୍ର ଘଟଣାରେ ସଫଳତା ପାଇଥିବା କମିଶନରେଟ ପୋଲିସ ଏହି ଘଟଣା ମଧ୍ୟ ସମାଧାନ କରିବାକୁ କେତେ ବର୍ଷ ସମୟ ନେଉଛି ତାହା ଦେଖିବାକୁ ବାକି ରହିଲା। ତେଣୁ କମିଶନରେଟ ପୋଲିସର ନାରା କେତେ ସଫଳ ହେଉଛି ତାକୁ ଅପେକ୍ଷା କରାଯାଇଛି ।

ଉପାସନା ବିଗତ ଦିନରେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିଲେ। ତାଙ୍କର ଇନଷ୍ଟାଗ୍ରାମ ଓ ଟୁଇଟରେ ସେ ନିୟମିତ ଭାବେ ପୋଷ୍ଟ ଅପଡେଟ କରୁଥିଲେ। ଘଟଣା ୧୭ ତାରିଖରେ ଘଟିଥିବା ବେଳେ ସେ ତାର ୩ଦିନ ଆଗରୁ ସୋସିଆଲ ମିଡିଆରୁ ହଟାତ ଗାୟବ ହୋଇଯାଇଥିଲେ। ତେଣୁ ଏ ଘଟଣା ପାଇଁ ନିଶ୍ଚିତ କିଛି ଦିନ ଆଗରୁ ସମସ୍ତ ଯୋଜନା କରି ଫେରାର ହୋଇଯାଇଥିବା ଅନୁମାନ କରାଯାଇପାରେ। ତେବେ ସେ ଓଡିଶା ବାହାରକୁ କିପରି ଗଲେ ଏହା ମଧ୍ୟ ପୋଲିସ ପାଇଁ ଜାଣିବାର କୌଣସି କାଠିକର ପାଠ ନୁହେଁ ବୋଲି କୁହାଯାଇପାରିବ, କାରଣ ଯଦି ଆକାଶ ମାର୍ଗରେ ଯାଇଥିବେ ତେବେ ଫ୍ଲାଇଟ ବୁକିଙ୍ଗ ରେକର୍ଡ ଏବଂ ଯଦି ଟ୍ରେନରେ ଯାଇଥିବେ ତେବେ ଟ୍ରେନ ବୁକିଙ୍ଗରୁ ୧୭ କିମ୍ବା ୧୮ ମାର୍ଚର ଡାଟାବେସ୍ ରୁ ଅତି ସହଜରେ ଜାଣିହେବ। ଅଥବା ସେ ଯଦି ସଡକ ପଥରେ ଯାଇଥାନ୍ତି ତେବେ ମଧ୍ୟ ଟୋଲ ଗେଟର ସିସିଟିଭି ରୁ ଅତି ସହଜରେ ଜାଣିହେବ। ତେଣୁ କମିଶନରେଟ ପୋଲିସ କେବଳ ଟ୍ରାଫିକ ଚାଲାଣ କାଟିବା ବେଳେ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର ନକରି ଅପରାଧ ନିୟନ୍ତ୍ରଣ ଦିଗରେ ମଧ୍ୟ ନିଜର ପାରିବାପଣିଆ ଦେଖେଇଲେ ସବୁ ଆଡେ ପ୍ରଶଂସାର ପାତ୍ର ପାଲଟାନ୍ତା ବୋଲି ରାଜଧାନୀ ବାସୀ ମତ ପ୍ରକାଶ କରିଛନ୍ତି।

Share this story