ରାଷ୍ଟ୍ରପତି ଭବନ ସୁଇମିଂ ପୁଲରେ ଗାଧୋଇଲେ, ରୋଷେଇ ଘରେ ଖାଇଲେ

srilanka

ଗତ କିଛି ମାସ ଧରି ଘୋର ଖାଦ୍ୟାଭାବ ଏବଂ ପେଟ୍ରୋଲ ଡିଜେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଉତ୍କଟ ଅଭାବକୁ ନେଇ ଶ୍ରୀଲଙ୍କାବାସୀ ବିକ୍ଷୋଭ କରିଆସିଥିଲା ବେଳେ ଶନିବାର ଉନ୍ମତକାଣ୍ଡ ଘଟାଇଛନ୍ତି। ଶ୍ରୀଲଙ୍କାର ସାଂପ୍ରତିକ ସ୍ଥିତି ପାଇଁ ରାଷ୍ଟ୍ରପତି ଗୋଟୋବାୟା ରାଜପକ୍ଷେଙ୍କ ପରିବାରକୁ ଦାୟୀ କରି ତାଙ୍କର ଇସ୍ତଫା ଦାବି କରିଥିଲା ବେଳେ ହଜାର ହଜାର ଲୋକ ରାଷ୍ଟ୍ରପତି ଭବନକୁ ଘେରିବା ସହିତ ଭିତରେ ପଶି ହଙ୍ଗାମା କରିଛନ୍ତି । ପୁଲିସ ଏବଂ ସେନାର ପ୍ରତିରୋଧକୁ ଖାତିର ନ କରି ଶହ ଶହ ଲୋକ ରାଷ୍ଟ୍ରପତି ଭବନ ପରିସରରେ ପଶିବା ସହିତ ଏଠାରେ ଥିବା ସ୍ବିମିଂପୁଲରେ ଗାଧୋଇଥିଲେ । ପରେ ପରେ ସେମାନେ ରାଷ୍ଟ୍ରପତିଙ୍କ ଶୟନକକ୍ଷ ଏବଂ ରୋଷେଇ ଶାଳରେ ମଧ୍ୟ ପଶିଥିଲେ। 

ସେମାନେ କିଛି ବି ଖାତିର ନ କରି ଭିତରେ ସାଧାରଣ ଲୋକଙ୍କ ଭଳି କାରବାର କରିବା ସହିତ ରୋଷେଇ ଘରେ ଯାହା କିଛି ମହଜୁଦ ଥିଲା ତାହାକୁ ଅନାୟାସରେ ଖାଇଥିଲେ। ଦେଶବାସୀଙ୍କ ଏହି ବିଦ୍ରୋହକୁ ଶ୍ରୀଲଙ୍କା କ୍ରିକେଟରମାନେ ମଧ୍ୟ ସମର୍ଥନ ଦେଇଛନ୍ତି। ଏହିକ୍ରମରେ ଆଜି ସନଥ ଜୟସୁରିଆ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମ୍ମାନ ବଞ୍ଚାଇବାକୁ ଚାହୁଁଥିଲେ ଗୋଟାବାୟ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ମାର୍ଚ୍ଚ ମାସରୁ ରାଷ୍ଟ୍ରପତିଙ୍କ ଇସ୍ତଫା ନେଇ ଦାବି ହେଉଥିବା ବେଳେ ଶେଷରେ ସେ ଇସ୍ତଫା ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ହେଲେ ସେ ଏବେ ପଳାୟନ କରିଥିବାରୁ ଆଗକୁ କ'ଣ ହେବ ତାହା ସ୍ପଷ୍ଟ ହୋଇ ନାହିଁ।

ରାଜନୈତିକ ଭ୍ରଷ୍ଟାଚାର ଏବଂ ପର୍ଯ୍ୟାପ୍ତ ବିଦେଶୀ ରଣକୁ ନେଇ ଆଜି ଶ୍ରୀଲଙ୍କା ଶ୍ରୀହୀନ ହୋଇପଡ଼ିଥିଲା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ପରିବାରକୁ ଏଥିପାଇଁ ସମ୍ପୂର୍ଣ ଦାୟୀ କରାଯାଉଛି। ଏହି ପରିବାର ବିଗତ ଦିନରେ ପ୍ରାୟ ୪୨ ହଜାର କୋଟି ଟଙ୍କା ରାଷ୍ଟ୍ରୀୟ ରାଜକୋଷରୁ ହଡ଼ପ କରି ବିଦେଶରେ ଗଚ୍ଛିତ ରଖିଛନ୍ତି ବୋଲି କୁହାଯାଉଛି। ନିଜ ପରିବାରର ଅଧିକାଂଶ ସଦସ୍ୟଙ୍କୁ ଶ୍ରୀଲଙ୍କା ରାଜନୀତିରେ ସ୍ଥାନ ଦେଇ ରାଷ୍ଟ୍ରପତି ରାଜପକ୍ଷେ ଏହି ପରିମାଣର ଅର୍ଥ ହଡ଼ପ କରିଥିଲା ବେଳେ ଏବେ ସାଧାରଣ ଅକଥନୀୟ ଲୋକଙ୍କୁ ଦୁର୍ଦ୍ଦଶାର ହେବାକୁ ପଡ଼ୁଛି ବୋଲି ବିରୋଧୀ ଦଳମାନଙ୍କ ପକ୍ଷରୁ କୁହାଯାଇଛି। ଶ୍ରୀଲଙ୍କାର ଆର୍ଥିକ ସ୍ଥିତିକୁ ନେଇ ଏବେ ଅନ୍ୟ ରାଷ୍ଟ୍ରରୁ ଋର କରିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ । କାରଣ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଶେଷ ହୋଇଯାଇଥିବାରୁ କୌଣସି ସାମଗ୍ରୀ ଆମଦାନୀ କରିବା ସମ୍ଭବ ହେଉନାହିଁ। 

ପେଟ୍ରୋଲ, ଡିଜେଲ, ଖାଦ୍ୟସାମଗ୍ରୀ ଭଳି ବହୁ ଅତ୍ୟାବଶ୍ୟକ ଜନିଷ ଶେଷ ହୋଇଯାଇଥିବାରୁ ଦେଶବାସୀଙ୍କ ସମସ୍ୟା ମଧ୍ୟ ଉତ୍କଟ ହୋଇଛି। କିନ୍ତୁ ଏବେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଏହି ସ୍ଥିତିକୁ ଆହୁରି ସମସ୍ୟାବହୁଳ ସମ୍ମୁଖୀନ କରିଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Share this story