କାଲି ଥିଲେ ଅଟୋ ଡ୍ରାଇଭର, ଆଜି ସମ୍ଭାଳିବେ ମୁଖ୍ୟମନ୍ତ୍ରୀ ଗାଦି

କାଲିର ଅଟୋ ଡ୍ରାଇଭର, ଆଜି ଦୋହଲଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଗାଦି । ତାଙ୍କ ଆଖି ଆଗରେ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ ପୁଅ ଝିଅ । ତଥାପି ସେ ଭାଙ୍ଗି ଯାଇ ନାହାନ୍ତି । ନିଜକୁ ରାଜନୀତିରେ ପ୍ରତିଷ୍ଠିତ କରିଛନ୍ତି । ଆଜି ତାଙ୍କ ପାଇଁ ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ପଦ ପାଇଁ କଣ୍ଟା ସାଜିଥିବା ଏହି ଶିବସେନା ନେତା ହେଉଛନ୍ତି ଏକନାଥ ସିନ୍ଧେ ।
୧୯୪୬ରେ ଏକ ସାଧାରଣ ମହାରାଷ୍ଟ୍ର ପରିବାରରେ ସିନ୍ଧେଙ୍କ ଜନ୍ମ । ଯୁବାବସ୍ଥାରେ ମୁମ୍ବାଇ ଉପକଣ୍ଠ ଠାଣେ ଅଞ୍ଚଳରେ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ତାଙ୍କ ମନ ଓ ହୃଦୟରେ ଭାରି ରହିଥିଲା ହିନ୍ଦିତ୍ବ ପ୍ରତି ପ୍ରେମ ଓ ଗର୍ବ । ଶିବସେନାର ଆଗଧାଡିର ନେତା ଆନନ୍ଦ ଡିଘେ ତାଙ୍କୁ ପ୍ରଭାବିତ କରିଥିଲେ । ୧୯୮୦ରେ ସେ ଯୋଗଦେଇଥିଲେ ଶିବସେନାରେ । ଠାଣେ ମୁନ୍ସିପାଲଟି କର୍ପୋରେସନ ଭାବେ ସେ ନିର୍ବାଚିତ ହୋଇଥିଲେ ୧୯୯୭ରେ । ସିନ୍ଧେ ଜୀବନରେ ସବୁଠାରୁ ବଡ଼ ଦୁଃଖକୁ ଭୋଗୀଥିଲେ ଜୁନ ୨୦୦୦ମସିହାରେ । ତାଙ୍କ ଆଖି ଆଗରେ ପାଣିରେ ବୁଡିଗଲେ ୧୧ବର୍ଷର ପୁଅ ଦୀପେଶ ଓ ୭ବର୍ଷର ଝିଅ ସୁବଦ୍ଧା । ସେତେବେଳେ ତାଙ୍କ ବଡ ପୁଅ ଶ୍ରୀକାନ୍ତଙ୍କୁ ହେଇଥିଲା ମାତ୍ର ୧୪ ବର୍ଷ । ୨୬ଅଗଷ୍ଟ ୨୦୦୧ରେ ଏକ ଦୁର୍ଘଟଣାରେ ହଟାତ ମୃତ୍ୟୁବରଣ କଲେ ତାଙ୍କ ରାଜନୀତି ଗୁରୁ ଆନନ୍ଦ ଡିଘେ । ଏଭଳି ପରିସ୍ଥିରେ ନିଜକୁ ଭାଙ୍ଗିଯିବାକୁ ଦେଇନଥିଲେ ସିନ୍ଧେ। ଦିଘେ ଥିଲେ ଥାନେ ଅଞ୍ଚଳର ଅପ୍ରତିଦ୍ବନ୍ଦୀ ନେତା । ସିନ୍ଧେ ନିଜକୁ ଠିକ ଦିଘେଙ୍କ ଉଚିତ ଉତ୍ତରାଧିକରୀ ଭାବେ ଗଢି ତୋଳି ରାଜନୀତିରେ ଆଗକୁ ବଢ଼ି ଚାଲିଲେ ସେ ।
୨୦୦୪ରେ ସେ ଠାଣେରେ ପ୍ରଥମଥର ପାଇଁ ନିର୍ବାଚିତ ହେଲେ ମହାରାଷ୍ଟ୍ର ବିଧାନସଭାକୁ । ଖୁବଶୀଘ୍ର ସେ ଠାଣେ ଓ ମହାରାଷ୍ଟ୍ର ରାଜନୀତିରେ ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟି ଗଲେ l ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ରେ ପିନ୍ଧିଲେ ବିଜୟର ଟୀକା । ୨୦୧୪ରେ ମହାରାଷ୍ଟ୍ର ବିଧାନସଭାର ବିରୋଧୀଦଳ ନେତା ପଦ ସମ୍ଭାଳିଥିଲେ । ୨୦୧୪ର ଫଡନାଭିସ ସରକାର ଓ ୨୦୧୯ର ଉଦ୍ଧବ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକର ଦାୟୀତ୍ୱ ନେଇଥିଲେ ସିନ୍ଧେ । ତାଙ୍କ ଡାକ୍ତର ପୁଅ ଶ୍ରୀକାନ୍ତ ବି ରାଜନୀତିରେ ସଫଳ । ଶ୍ରୀକାନ୍ତ ଏବେ କଲ୍ୟାଣ ଲୋକସଭା ଆସନରୁ ସାଂସଦ ।
ଦିନ ଥିଲା ଯେତେବେଳେ ସିନ୍ଧେଙ୍କୁ ଉଦ୍ଧବ ଠକରେଙ୍କ ଦୂତ କୁହାଯାଉଥିଲା । କୌଣସି ସ୍ଥାନରେ ଶିବସେନା ପାଇଁ ରାଜନୈତିକ ସଙ୍କଟ ଦେଖାଦେଲେ ଖୋଜା ପଡୁଥିଲେ ସିନ୍ଧେ । କିନ୍ତୁ କଂଗ୍ରେସ ଓ ଏନସିବି ସହ ହାତ ମିଶାଇବା ପରେ ଉଦ୍ଧବ ଏଇ ଦମଦାର ନେତାଙ୍କୁ କଣଠେସା କରିଥିଲେ । ନିଜକୁ ସିନ୍ଧେଙ୍କ ଠାରୁ ଦୂରେଇ ରଖୁଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ଦଳର ବିଧାୟକଙ୍କ ସହ ସାକ୍ଷାତ କରିନାହାନ୍ତି । ବିଧାୟକମାନେ ଠାକରେ ଓ ସିନ୍ଧେଙ୍କୁ ଭେଟି ନିଜ ଅଭାବ ଓ ଅସୁବିଧା ବଖାଣୁଥିଲେ । ସିଏ ଅଧିକାଂଶ ଶିବସେନା ବିଧାୟକଙ୍କ ଆତ୍ମାବିସ୍ଵାଶ ଜିତି ସେମାନଙ୍କୁ ବିଦ୍ରୋହ ପାଇଁ ପ୍ରସ୍ତୁତ କରୁଥିଲେ । ସିନ୍ଧେ ଓ ତାଙ୍କ ସମର୍ଥକ ବିଧାୟକମାନେ ଶିବସେନାର ମୂଳ ଓ ହିନ୍ଦୁତ୍ବର ଆଦର୍ଶକୁ ନେଇ ପରିଚାଳିତ । ଗାଦିପାଇଁ ଉଦ୍ଧବଙ୍କ ହିନ୍ଦୀତ୍ଵକୁ ହତାଦର ସହି ପାରୁନାହାନ୍ତି ସିନ୍ଧେ ଓ ତାଙ୍କ ସମର୍ଥକ ।