ଶ୍ରୀମନ୍ଦିରରେ କିଭଳି ପାଳନ ହେବ ଚନ୍ଦ୍ରଗ୍ରହଣ ? କେତବେଳେ ହେବ ପାକ ତ୍ୟାଗ ?
suna besha jagannrth

ଶ୍ରୀମନ୍ଦିର ଚନ୍ଦ୍ର ଗ୍ରହଣ ନୀତିର ତ୍ରୁଟିକୁ ଶ୍ରୀମନ୍ଦିର ପ୍ରଶାସନ ମଙ୍ଗଳବାର ସନ୍ଧ୍ୟାରେ ସୁଧାରିଛି। ପାଖାପାଖି ୩ ଘଣ୍ଟା ପାକ ନୀତିରେ ବିଭ୍ରାଟ ରହିଥିଲା। ଏହାକୁ ସୁଧାରିବାକୁ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଅଫିସରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ବ୍ୟାପକ ଆଲେଚନା ଓ ତର୍ଜମା ପରେ ନଭେମ୍ବର ୮ ତାରିଖର ଚନ୍ଦ୍ର ଗ୍ରହଣ ନୀତିର ତ୍ରୁଟିକୁ ଦୂର କରାଯାଇଛି । ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ଭୋର୍‌ ୫ଟା ୫୪ରେ ପାକତ୍ୟାଗ, ଦେବନୀତି ନିଷେଧ ହେବ । ତା’ ପୂର୍ବରୁ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ପ୍ରମୁଖ ନୀତି ସମ୍ପାଦନ କରାଯିବ।

ସୂଚନା ମୁତାବକ ୭ତାରିଖ ମଧ୍ୟ ରାତି ୧୨ଟା ୧୦ରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ହେବ । କାର୍ତ୍ତିକ ପୂର୍ଣ୍ଣିମା ଦିନ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଭୋର ୨ଟା ୩୦ରେ ସୁନାବେଶ ନୀତି ସମ୍ପନ୍ନ କରାଯିବ । ଏହି କାରଣରୁ ପ୍ରଭୁଙ୍କ ସୁନାବେଶକୁ ଭକ୍ତମାନେ ଦର୍ଶନ କରିପାରିବେ କି ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଜିଲ୍ଲାପାଳ କହିଛନ୍ତି ରାତିର ନୀତି ଆଧାରରେ ସୁନାବେଶ ଦର୍ଶନର ନିଷ୍ପତ୍ତି ନିଆଯିବ। ବୈଠକ ସୂଚନା ମୁତାବକ ଆସନ୍ତା ୮ ତାରିଖରେ ଚନ୍ଦ୍ର ଗ୍ରହଣ ପଡ଼ୁଛି। ଶ୍ରୀମନ୍ଦିର ପ୍ରଶାସନର ପୂର୍ବ ଘୋଷିତ ତ୍ରୁଟିଯୁକ୍ତ ନୀତି ନିର୍ଘଣ୍ଟରେ ସୁଧାର ଆସିଛି । ସୂର୍ଯ୍ୟୋଦୟରୁ ୫ଟା ୫୪ରେ ପାକ ତ୍ୟାଗ, ଦେବନୀତି ନିଷେଧ କରାଯାଇଛି । ପୁନଶ୍ଚ ଏହି ଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି । ଦେବନୀତି ନିଷେଧ ଓ ଚନ୍ଦ୍ର ଗ୍ରହଣ ସ୍ଵତନ୍ତ୍ର ନୀତି ଯୋଗୁ ଭକ୍ତମାନେ ପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ପୂର୍ଣ୍ଣିମା ପୂର୍ବ ରାତି ୧୨ଟା ୧୦ରେ ଦ୍ଵାର ଫିଟା ପରେ ରାତି ୨ଟା ୩୦ ମିନିଟ ସୁଦ୍ଧା ମହାପ୍ରଭୁଙ୍କ ରାଜଧିରାଜ ବେଶ ଲାଗି ସରିବ । 

ସକାଳ ୫ଟା ୫୦ ସୁଦ୍ଧା ଭୋଗ ମଣ୍ଡପ ସରି ୫ଟା ୫୪ରେ ପାକ ତ୍ୟାଗ ନୀତି ଆରମ୍ଭ ହେବ । ଦିନ ୨ଟା ୩୮ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ବଢ଼ିବ। ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ପରେ ଗ୍ରହଣ ମହାସ୍ନାନ ବଢ଼ି ଅନ୍ୟାନ୍ୟ ନୀତି ବଢ଼ିବ । ନୀତି ଶୃଙ୍ଖଳାରେ ସମସ୍ତ ନିଯୋଗ ସହଯୋଗ କରିବାକୁ ପ୍ରଶାସନ ତଥା ନୀତି ପ୍ରଶାସକ ନିବେଦନ କରିଛନ୍ତି ।

Share this story