ଶ୍ରୀମନ୍ଦିର ନୀତିକାନ୍ତିରେ ବଡ଼ ପରିବର୍ତ୍ତନ : ଜଣେ ଓଡ଼ିଆ ଭାବେ ଜାଣି ରଖନ୍ତୁ

ଆସନ୍ତାକାଲି ଆକାଶରେ ଦେଖାଯିବ ମହାଜାଗତିକ ସୂର୍ଯ୍ୟପରାଗ ଦୃଶ୍ୟ । ମଙ୍ଗଳବାର ଅପରାହ୍ନରେ ଚଳିତ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଦେଖିବାକୁ ମିଳିବ । ଓଡିଶାରେ କେବଳ ୨୦ ମିନିଟ ପାଇଁ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହେବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।ସେପଟେ ଏହାକୁ ଖାଲି ଆଖିରେ ନଦେଖିବାକୁ ବୈଜ୍ଞାନିକ ମତ ଦେଇଛନ୍ତି । ସେପଟେ ଗ୍ରହଣକୁ ନେଇ ଅନେକ ଧର୍ମୀୟ ବିଶ୍ୱାସ ରହିଛି, ଶ୍ରୀମନ୍ଦିରର ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଆଜି ରାତିସାରା ଶ୍ରୀମନ୍ଦିରରେ ନୀତିକାନ୍ତି ହେବ ।ମଙ୍ଗଳବାର ଦିନ ଭାରତ ସମେତ ଅନ୍ୟ କିଛି ଦେଶରେ ଏହି ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଭାରତରେ ଏହି ପରାଗ ଆଂଶିକ ଭାବେ ଦୃଶ୍ୟମାନ ହେବ । ଚଳିତ ବର୍ଷର ଏହା ଶେଷ ସୂର୍ଯ୍ୟପରାଗ ।
ଓଡିଶାରେ ମଙ୍ଗଳବାର ଅପରାହ୍ନ ୪ଟା ୫୫ ମିନିଟରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୭ ମିନିଟରେ ଦୃଶ୍ୟମାନ ହେବ । ରାଜଧାନୀରେ କେବଳ ୨୦ ମିନିଟ ପାଇଁ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ସୂର୍ଯ୍ୟପରାଗକୁ ନେଇ ହିନ୍ଦୁ ଧର୍ମରେ ବିଭିନ୍ନ କଟକଣା, ନୀତିକାନ୍ତି ଓ ଲୋକ ବିଶ୍ୱାସ ରହିଛି ।
ସେହିପରି ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଚାଲନ୍ତୁ ଜାଣିବା:
ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରର ନୀତି:
ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟା ନୀତି ।
ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ତଡ଼ପ ନୀତି ପରେ ଅବକାଶ ଓ ରୋଷହୋମ କାର୍ଯ୍ୟ ହେବ ।
ରାତି ୨ଟା ସୁଦ୍ଧା ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରାଧାଦାମୋଦର ବେଶ । ପରେ ଗୋପାଳବଲ୍ଲଭ, ସକାଳ ଧୂପ, ବାଳଭୋଗ ସହ ଭୋଗମଣ୍ଡପ ଉଠିବ ।
ଭୋର ୪ଟା ୫୭ ମିନିଟ୍ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ।
ଅପରାହ୍ଣ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ କରିବ ।
ସଂଧ୍ୟା ୬ ଘଣ୍ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ସର୍ବମୋକ୍ଷ ।
ତେବେ ଦେବ ଦର୍ଶନ ବନ୍ଦ ରହିବ ନାହିଁ । ପରମ୍ପରା ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖାଦ୍ୟ ଉପରେ କଟକଣା ଥିବା ବେଳେ ଏ ନେଇ ବିଜ୍ଞାନ ସମ୍ମତ କାରଣ ନଥିବା କୁହନ୍ତି ବୈଜ୍ଞାନିକ । ତେବେ ଖାଲି ଆଖିରେ ପରାଗ ନଦେଖିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏପରିକି ଆଂଶିକ ସୂର୍ଯ୍ୟପରାଗରେ ମଧ୍ୟ ଯେଉଁ ରଶ୍ମି ନିର୍ଗତ ହୁଏ, ତାହା ସିଧାସଳଖ ଆଖିରେ ପଡ଼ିଲେ ପ୍ରଭାବିତ ହେବା ଆଶଙ୍କା ରହିଛି ।