୨୨ ବର୍ଷ ଭିତରେ ଓଡିଶାକୁ ଉନ୍ନତିର ଶିଖରରେ ପହଞ୍ଚାଇଥିବା ନବୀନଙ୍କ ଭଳି ନେତା ନାହାନ୍ତି
nabin pattnaik kabir bedi

ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ଉଲ୍ଲେଖନୀୟ ବିକାଶ ହାସଲ କରିଛି। ପୂର୍ବରୁ ଓଡ଼ିଶାକୁ ବହୁବାର ଆସିଛି; କିନ୍ତୁ ୨୨ବର୍ଷ ଭିତରେ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତର ଦେଖିବାକୁ ମିଳିଛି । ଏହା ହିଁ ଜଣେ ଭଲ ନେତାର କାର୍ଯ୍ୟ। ଦୈନିକ ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସର ଲିଟେରାରୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଏପରି ପ୍ରଶଂସା କରିଛନ୍ତି ବଲିଉଡ଼ ଓ ହଲିଉଡ଼ ଅଭିନେତା କବୀର ବେଦୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ପ୍ରସଂଶା କରିବା ସହ କବୀର କହିଛନ୍ତି ଯେ ନବୀନ ପଟ୍ଟନାୟକ ମୋ କଲେଜ ବେଳର ବନ୍ଧୁ। ସେ ଜଣେ ଭଲ ଆତ୍ମାର ମଣିଷ। ଥରେ ନୁହେଁ, ୫ଥର ରାଜ୍ୟବାସୀ ତାଙ୍କୁ ନିର୍ବାଚିତ କରିଛନ୍ତି। 

ଦେଶର ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ନବୀନ। ନବୀନଙ୍କ ଭଳି ନେତା ଅଦ୍ଵିତୀୟ। ଜନସେବା ଓ ଲୋକକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅନ୍ୟମାନେ ଶିଖୁବା ଦରକାର। ବର୍ତ୍ତମାନ ଓଡ଼ିଶାରେ ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରୂପାନ୍ତରଣ ଘଟିଛି ବୋଲି କହିଛନ୍ତି ଶ୍ରୀ ବେଦୀ। ପର୍ଯ୍ୟଟନର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ବେଶ୍ ପ୍ରସଂଶା କରି ଓଡ଼ିଶାର କୋଣାର୍କ ଓ ଧଉଳି ଶାନ୍ତିସ୍ତୂପର ଅଦ୍ଭୁତ କାରିଗରିର ପରିଚୟ ଦେଉଥିବା କହିଛନ୍ତି କବୀର। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ନେଇ ଶ୍ରୀ ବେଦୀ କହିଛନ୍ତି ଯେ, ଧଉଳି ଶାନ୍ତିସ୍ତୂପ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ହୋଇଥିବା ଡକ୍ୟୁମେଣ୍ଟରୀରେ ପଚ୍ଛଦପଟ ସ୍ଵର ଦେଇ ସେ ଗର୍ବ ଅନୁଭବ କରିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ଏବେ ସମୃଦ୍ଧ । ଓଡ଼ିଶୀ କଳାରେ ଅନୁପ୍ରେରିତ ହୋଇ ତାଙ୍କ ପ୍ରଥମ ପତ୍ନୀ ପ୍ରତିମା ବେଦୀ ସ୍ବର୍ଗତଃ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଲାଭ କରିଥିଲେ ବୋଲି କହିଛନ୍ତି କବୀର। ଏହା ସହ ଓଡ଼ିଶାବାସୀଙ୍କ ଜୀବନ ଶୈଳୀ ଓ ଓଡ଼ିଆ ଖାଦ୍ୟକୁ ପ୍ରଶଂସା କରିଛନ୍ତି ଏବଂ ଆଗକୁ ଓଡ଼ିଶା ଆସିବାର କୌଣସି ସୁଯୋଗକୁ ହାତଛଡ଼ା କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି। ଏହି ଅବସରରେ ସେ ବଲିଉଡ୍ ଉପରେ କୋଭିଡ଼ ମହାମାରୀ ପ୍ରଭାବ, ସାଧାରଣ ଲୋକଙ୍କ ସେବା ଓ ବଲିଉଡ଼ ଓ ହଲିଉଡ୍ ଅଭିନୟ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। 

Share this story