ବିଧାନସଭା ଲଢ଼ିବେ ନବଜ୍ୟୋତି, ଖୁବଶୀଘ୍ର ବିଜେଡିରେ ଯୋଗ ଦେବେ ନିରଞ୍ଜନଙ୍କ ପୁଅ

Soa Ad
Spread the love

ବେପାରରେ ଆସିବ ସୁଧାର, ଦଳ ବଦଳାଇବେ ପଟ୍ଟନାୟକ ପୁଅ । ବିଜେଡିରେ ଯୋଗଦେବେ ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । କଂଗ୍ରେସରେ ରହିବେ ବାପା, ଦାଦାଙ୍କ ପଥ ଆପଣାଇବେ ପୁତୁରା । ବଳ ହରାଇ ତଳେ ପଡ଼ିଥିବା ହାତ ଦଳ ଏବେ ଆହୁରି ଦୁର୍ବଳ ହେବାକୁ ଯାଉଛି l କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଏବେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି l ବାପା ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ରେ ରହିବେ କିନ୍ତୁ ଦାଦା ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ପାଖକୁ ଚାଲିଯିବେ ପୁତୁରା ନବଜ୍ୟୋତି l ବିଜେଡି କୁ ଯାଇ ଦାଦଙ୍କ ସହ ମିଶି ଶଙ୍ଖ ଫୁଙ୍କିବାକୁ ନବଜ୍ୟୋତିଙ୍କ ପାଟି କୁଆଡେ ଆଁ କଲାଣି l ବେଶୀ ଦିନ ଆଉ କଂଗ୍ରେସରେ ରହିଲେ ଭବିଷ୍ୟତ ନଷ୍ଟ ବୋଲି ବୁଝିସାରିଛନ୍ତି ନବାଗତ ନବଜ୍ୟୋତି l ସେଥିପାଇଁ ଏକ ସୁନେଲି ଭବିଷ୍ୟତ ଗଢିବା ପାଇଁ କଂଗ୍ରେସରୁ ଡିଆଁ ମାରିବେ ନବଜ୍ୟୋତି ।

ବାପା ନିରଞ୍ଜନ ସେଥିପାଇଁ ଅନୁମତି ଦେବା ସାହା ଦାଦା ସୌମ୍ୟରଂଜନ ମଧ୍ୟ ରାଜି ଅଛନ୍ତି l ବାପା ନିରଞ୍ଜନଙ୍କ କ୍ୟାରିଅର ଏମିତିରେ ସରିବାକୁ ବସିଲାଣି । ତେବେ ସେ ଯେଉଁଠି ରହିଲେ ବି କିଛି ବି ଫରକ ପଡ଼ିବନି l କିନ୍ତୁ ପଟ୍ଟନାୟକ ପରିବାରର ପତିଆରାକୁ ବଜାଇ ରଖିବା ପାଇଁ ଏବେ କେବଳ ନବଜ୍ୟୋତି ହିଁ ଭରଷା l ତାଙ୍କ କ୍ୟାରିଅରରେ ଏବେ ପ୍ରାଥମିକ ଷ୍ଟେଜରେ ରହିଛି l ତେଣୁ ଏବେ ଠୁ ଭବିଷ୍ୟତ ଗଢିବା ପାଇଁ ଏହା ଶ୍ରେଷ୍ଠ ସୁଯୋଗ l ତେଣୁ ବେଳ ଥାଉ ଥାଉ ବନ୍ଧ ବାନ୍ଧିବାକୁ ଯାଉଛନ୍ତି ନବଜ୍ୟୋତି ପଟ୍ଟନାୟକ l

ବାପା ସିନା କଂଗ୍ରେସରେ ରହି ପୁଅର ଭବିଷ୍ୟତ ଗଢି ପାରିଲେନି କିନ୍ତୁ ବିଜେଡିରେ ପୁତୁରାର ଭବିଷ୍ୟତ ଗଢିବା ପ୍ରତିଶୃତି ଦେଇଛନ୍ତି ଦାଦା ସୌମ୍ୟରଂଜନ । ଆଉ ଦାଦାଙ୍କ ମଧ୍ୟସ୍ଥି ଡ଼ିଲରେ ବିଜେଡି କୁ ଯିବେ ପୁତୁରା ନବଜ୍ୟୋତି । ଆଉ ଏହାକୁ ନେଇ ରାଜନୈତକ ଆଲୋଚନା ଜୋର ଧରିଲାଣି କାରଣ ନବଜ୍ୟୋତି ହେଉଛନ୍ତି ଓଡ଼ିଶାର ପ୍ରତିଷ୍ଠିତ ପଟ୍ଟନାୟକ ପରିବାରର ଦାୟିତ୍ୱ ବା ଉତ୍ତରାଧିକାରୀ । ଦାଦା ସୌମ୍ୟଙ୍କୁ ଓଡିଶା ମିଡ଼ିଆ ଜଗତର ବାଦଶାହ କୁହାଯାଏ । ଏମିତିରେ ନବଜ୍ୟୋତି ପଟ୍ଟନାୟକ ହେଉଛନ୍ତି ଜଣେ ଧନୀଶାଳୀ ଯୁବକ ଆଉ ରାଜନୀତିର ରକ୍ତ ତାଙ୍କ ସିରା ପ୍ରଶିରାରେ ପ୍ରଭାବିତ ହେଉଛି । ତେଣୁ ତାଙ୍କୁ ପାଇ ବିଜେଡି ଯେତିକି ଲାଭ ପାଇବ କଂଗ୍ରେସ ମଧ୍ୟ ସେତିକି କ୍ଷତି ସହିବ ବୋଲି କୁଆଡେ ଚର୍ଚ୍ଚା ହେଇଛି।

ଗତ ଲୋକସଭା ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହୋଇଥିଲେ ନବଜ୍ୟୋତି ପଟ୍ଟନାୟକ । କଂଗ୍ରେସ ଟିକେଟରେ ପ୍ରଥମ ଥର ପାଇଁ ରାଜନୈତିକ ମୈଦାନ କୁ ଏଣ୍ଟ୍ରି ମାରିଥିଲେ । ହେଲେ ପ୍ରତାପ ଷଡ଼ଙ୍ଗି ଏବଂ ରବୀନ୍ଦ୍ର ଜେନାଙ୍କ ପରି ବ୍ୟକ୍ତିତ୍ୱଙ୍କ ଆଗରେ ତିଷ୍ଠି ପାରିନଥିଲେ । ବିଜେପିରୁ ପ୍ରାର୍ଥିହୋଇଥିବା ପ୍ରତାପ ଷଡ଼ଙ୍ଗି ଏଇ ଲଢେଇରେ ବାଜି ମରିନେଇଥିଲେ । ପରେ ପରେ ସେ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ସେପଟେ ନିରଞ୍ଜନ ପଟ୍ଟନାୟକ ନିଜ ପାଇଁ ଦୁଇ ଦୁଇଟି ବିଧାନସଭା ଟିକେଟ ହାତେଇ ନେଇଥିଲେ ମଧ୍ୟ ଗୋଟିଏ ବି ଆସନରୁ ଜିତି ପାରିନଥିଲେ । ତେଣୁ କଂଗ୍ରେସ ଟିକେଟର କେତେ ମୂଲ୍ୟ ରହିଛି ସେ କଥା ବୁଝିସାରିଛନ୍ତି ନବଜ୍ୟୋତି ପଟ୍ଟନାୟକ । ତେଣୁ ସେ ଅତିଶୀଘ୍ର ବିଜେଡ଼ିକୁ ଯାଇ ଶଙ୍ଖ ଫୁଂକିବେ ବୋଲି ଲୋକମାନେ ଆଲୋଚନା କଲେଣି । ତେବେ ବିଜେଡି ତାଙ୍କୁ କିଭଳି ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *