ଏକଦା ଦେଶ ତଥା ବିଦେଶରେ ‘ଭୋକର ଭୂଗୋଳ’ ଓ ‘ଅନାହାର ପର୍ଯ୍ୟଟନ ଭୂମି’ କୁହାଯାଉଥିବା ଓଡ଼ିଶା ଏବେ ଦେଶ ପାଇଁ ପାଲଟିଛି ଖାଦ୍ୟ ଭଣ୍ଡାର। ୨୦ ବର୍ଷ ମଧ୍ୟରେ ରାଜ୍ୟରେ ଶସ୍ୟ ଉତ୍ପାଦନ ମଧ୍ୟରେ ଘଟିଥିବା ଚମତ୍କାରିତା ଓଡ଼ିଶାର ଦୁର୍ନାମକୁ ଦୂର କରିବାକୁ କେବଳ ସମର୍ଥ ହୋଇନାହିଁ; ପକ୍ଷାନ୍ତରେ ନିଜର ଆବଶ୍ୟକତା ଭରଣା କରି ଦେଶକୁ ଯୋଗାଉଛି ଖାଦ୍ୟ ଶସ୍ୟ। ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ଶପଥ ଏବେ ବସ୍ତୁତଃ ପୂର୍ଣ୍ଣ ରୂପ ପରିଗ୍ରହ କରିଛି। ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ରାଜ୍ୟ ପ୍ରଶାସନ ଏହି ଦିଗରେ ନିଜର ସକରାତ୍ମକ କାର୍ଯ୍ୟକଳାପ ବଜାୟ ରଖିଛି। ପରିଣତିସ୍ୱରୂପ ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୧୪% ହ୍ରାସ ପାଇଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସମତୁଲ ବିକାଶ ରାଜ୍ୟର ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଛି ଏବଂ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ‘୫-ଟି’ ଉପକ୍ରମ ଅଧିନରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦାରିଦ୍ର୍ୟ ଦୂରୀକରଣ ପାଇଁ ଯୋଜନା ଭିତ୍ତିରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ଖୁବଶୀଘ୍ର ଓଡ଼ିଶା ଦେଶରେ ଦାରିଦ୍ର୍ୟ ହ୍ରାସ ଦିଗରେ ଅଧିକ ପ୍ରଭାବୀ ପ୍ରଦର୍ଶନ କରିବ ବୋଲି କୁହାଯାଉଛି।ନୀତି ଆୟୋଗର ଶେଷତମ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ ଗତ ୫ ବର୍ଷରେ ରାଜ୍ୟରେ ବହୁମୁଖୀ ଦାରିଦ୍ର୍ୟ ୨୯.୩୫ ପ୍ରତିଶତରୁ ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୫-୧୬ରେ ରାଜ୍ୟରେ ଦାରିଦ୍ର୍ୟ ହାର ୨୯.୩୫ ପ୍ରତିଶତ ଥିବାବେଳେ ୨୦୧୯-୨୦ ଏହା ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି। ବର୍ତ୍ତମାନ ସମୟର ମୂଲ୍ୟାଙ୍କନ କଲେ ଏହି ହାର ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି। ଦେଶରେ ଯେଉଁ ୫ଟି ରାଜ୍ୟରେ ବହୁମୁଖୀ ଦାରିଦ୍ର୍ୟ ଦ୍ରୁତ ହ୍ରାସ ପାଇଛି, ସେଥିରେ ଓଡ଼ିଶା ସାମିଲ ରହିଛି। ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଥିବା ବେଳେ ସମାନ ସମୟରେ ସହରାଞ୍ଚଳରେ ନିଯୁକ୍ତି ଏବଂ ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ଯାହା ରାଜ୍ୟରେ ହ୍ରାସର ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।ରାଜ୍ୟର ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଯେଉଁ ଦୁଇ ପ୍ରମୁଖ ଦିଗକୁ ଇଙ୍ଗିତ କରାଯାଉଛି ସେଥିରୁ ଶିଳ୍ପ ଅନୁକୂଳ ପରିବେଶ ଓ ମିଶନ ଶକ୍ତିର ଅଭ୍ୟୁଦୟକୁ ପ୍ରମୁଖ ବୋଲି କୁହାଯାଉଛି। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା, ସ୍ୱତନ୍ତ୍ର ଶିଳ୍ପ ନୀତି, ସର୍ବୋପରି ମେକ୍ ଇନ୍ ଓଡ଼ିଶା, ନିବେଶକ ସମ୍ମିଳନୀ ମାଧ୍ୟମରେ ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଟ କରାଯାଉଛି। ଯାହାଫଳରେ ନିକଟ ଅତୀତରେ ରାଜ୍ୟକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିପାରିଛି। ଓଡ଼ିଶା ପୂର୍ବ ଭାରତର ଶିଳ୍ପ ହବ୍ ପାଟିଥିବା ବେଳେ ଏହା ଉଭୟ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି। ଯାହାଫଳରେ ରାଜ୍ୟରେ ବେକାରୀ ହାର କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ପୁନଶ୍ଚ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମିଶନଶକ୍ତି ମହିଳାମାନେ ନିଜେ ସ୍ୱାବଲମ୍ବୀ ହେବା ସହ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଛନ୍ତି। ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ଶ୍ରମ ଶକ୍ତି ସର୍ଭେ(ପିଏଲଏଫ୍ଏସ୍) ଅନୁସାରେ ୨୦୨୩ ମସିହା ଏପ୍ରିଲ-ଜୁୁନରେ ଓଡ଼ିଶାରେ ସହରାଞ୍ଚଳରେ ବେକାରୀ ହାର ସବୁ ବୟସ ବର୍ଗରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି। ଗତବର୍ଷ ସମାନ ଅବଧିରେ ରାଜ୍ୟର ବେକାରୀ ହାର ୧୧.୫ ପ୍ରତିଶତ ଥିଲା। ବେକାରୀ ହ୍ରାସ ପ୍ରତିଶତ ଦିଗରେ ଓଡ଼ିଶା ବହୁ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇଥିବା ବେଳେ ଏହା ଓଡ଼ିଶାର ଶୃଙ୍ଖଳିତ ଶାସନ ବ୍ୟବସ୍ଥାକୁ ପ୍ରମାଣିତ କରିଥିଲା। ସେହିପରି ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମିର ତଥ୍ୟ ଅନୁଯାୟୀ ଓଡ଼ିଶା ବେକାରୀ ହାର ହ୍ରାସ ଦିଗରେ ଲଗାତାର ଭାବେ ଶ୍ରେଷ୍ଠ ୫ଟି ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇ ଆସୁଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ, ମିଶନ ଶକ୍ତି ଯୋଜନାରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭର ଭାବେ ଗଢ଼ିତୋଳିବା ଯୋଗୁଁ ଏସବୁ ସମ୍ଭବପର ହୋଇପାରିଛି ବୋଲି ମତପ୍ରକାଶ ପାଇଛି। ଏପରିକି ୨୦୦୫-୦୬ ମସିହାଠାରୁ ରାଜସ୍ୱ ବଳକା ରାଜ୍ୟ ଓଡ଼ିଶା ନିଜର ଋଣ ପରିଚାଳନାରେ ଦେଶରେ ଅନ୍ୟତମ ଶ୍ରେଷ୍ଠ ରାଜ୍ୟଭାବେ ପରିଗଣିତ ହେଉଛି। ଯାହା ରାଜ୍ୟର ସାମଗ୍ରିକ ବିକାଶ ଏବଂ ଉନ୍ନତିକୁ ବଳ ଦେଉଥିବା ମତପ୍ରକାଶ ପାଇଛି।