୨୪ ରେ ଦଳ ନୁହେଁ, ଲୁଲୁ ବ୍ରାଣ୍ଡର ହେବ ଜୟ : ଉପାସନା ହେବେ ବିଧାୟିକା !

lulu upasna lalitendu

ଏକା ଲଢ଼ୁଛନ୍ତି ଉପାସନା । କେଉଁ ଦଳର ବ୍ରାଣ୍ଡରେ ନୁହେଁ । ବାପା ଲୁଲୁ ମହାପାତ୍ରଙ୍କ ବ୍ରାଣ୍ଡରେ ଏବେ ଏକ ଲଢ଼ୁଛନ୍ତି ଉପାସନା ମହାପାତ୍ର । ବ୍ରହ୍ମଗିରିର ସବୁ ପଞ୍ଚାୟତ ବୁଲୁଛନ୍ତି । ବାପାଙ୍କ ସହଯୋଗୀଙ୍କୁ ନେଇ ସଂଗଠନ ସୁଦୃଢ କରୁଛନ୍ତି । ଗୋଟିଏ ପଟେ ବିଜେଡିର ଟାଣୁଆ ନେତା ସଞ୍ଜୟ ଦାସବର୍ମା ନିଷ୍କ୍ରିୟ ହୋଇଯାଇଥିବା ବେଳେ, ଅପରପକ୍ଷରେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଆଉ ବ୍ରହ୍ମଗିରି ଆସୁନାହାନ୍ତି । ଏବେ ବ୍ରହ୍ମଗିରି ରାଜନୀତିକୁ ନିରିଖେଇ ଦେଖିଲେ କେବଳ ଉପାସନା ସକ୍ରିୟ ଥିବା ଦେଖିବାକୁ ମିଳୁଛି । ଓଡିଶା ରାଜନୀତିର ଟାଇଗର ଲୁଲୁ ମହାପାତ୍ରଙ୍କ ଝିଅ ହେଉଛନ୍ତି ଉପାସନା । ଲୁଲୁଙ୍କ ଅକାଳ ବିୟୋଗ ପରେ ବ୍ରହ୍ମଗିରି ରାଜନୀତି କଡ଼ ଲେଉଟାଇଥିଲା । କଂଗ୍ରେସରେ ଭବିଷ୍ୟତ ନଥିବାରୁ ଉପାସନାଙ୍କ ନେତୃତ୍ୱରେ ଲୁଲୁଙ୍କ ସହଯୋଗୀ ମାନେ ବିଜେପିରେ ଯୋଗ ଦେଇଥିଲେ । 

ତେବେ ନିର୍ବାଚନ ଲଢ଼ିବା ପାଇଁ ବୟସ ହୋଇନଥିବାରୁ ୨୦୧୯ରେ ଲଢ଼ି ପାରିନଥିଲେ ଉପାସନା । କିନ୍ତୁ ନିଜ ଦାଦାଙ୍କୁ ପ୍ରାର୍ଥୀ କରି ସଙ୍ଗଠନକୁ ସେ ହାତ ମୁଠାରେ ରଖିଥିଲେ । ଇତି ମଧ୍ୟରେ ବ୍ରହ୍ମଗିରି ରାଜନୀତି ସମୀକରଣ ବଦଳି ଯାଇଛି । ଲଳିତେନ୍ଦୁ ବିଧାୟକ ଥିଲେ ବି କର୍ମୀ ଉପାସନଙ୍କ ସହ ରହିଛନ୍ତି । ୨୦୨୪ରେ ଉପାସନା ବ୍ରହ୍ମଗିରିରୁ ଲଢ଼ିବା ତ ନିଶ୍ଚିନ୍ତ । ଏବେ ସେ ସଙ୍ଗଠନକୁ ଜୋରଦାର କରୁଛନ୍ତି । ତେବେ କୌଣସି ଦଳୀୟ ବ୍ୟାନର ବା ବ୍ରାଣ୍ଡ ସେ ବ୍ୟବହାର କରୁନାହାନ୍ତି । ଏମିତିକି ନିଜ ବାପାଙ୍କ ସେ ବଡ଼ ଧରଣର ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିଥିଲେ ମଧ୍ୟ ଆଗଧାଡିର ବିଜେପି ନେତାଙ୍କୁ ଦେଖିବାକୁ ମିଳିନଥିଲା ।  ଲୁଲୁଙ୍କ ଭାଇ ତଥା ବିଧାୟକ ଲଳିତେନ୍ଦୁ ମଧ୍ୟ ଶୋକାଞ୍ଜଳି ସଭାରେ ଉପସ୍ଥିତ ନଥିଲେ ।  

ଉପାସନା ଏବେ ଯୁଆଡେ ଯାଉଛନ୍ତି କେବଳ ନିଜ ବାପାଙ୍କ ବ୍ରାଣ୍ଡ ହିଁ ବ୍ୟବହାର କରୁଛନ୍ତି । ନିଜ ବକ୍ତବ୍ୟରେ ବିଜେପିର ନା ବି ଧରୁନାହାନ୍ତି । ଏକଦା ବ୍ରହ୍ମଗିରି ବିଜେଡ଼ିକୁ ନିଜ ହାତରେ ରଖିଥିବା ସଞ୍ଜୟ ଦାସବର୍ମା ବିଜେଡି ରେ କଣଠେସା ହୋଇଯାଇଛନ୍ତି ।  ଆଗଭଳି ତାଙ୍କୁ ଦଳରେ ଗୁରୁତ୍ବ ବି ମିଳୁନାହିଁ ।  ବାପାଙ୍କ ଭଳି ଉପାସନା ବି ରାଜନୈତିକ ଗୋଟି ଚାଳନାରେ ମାହିର ହୋଇଯାଇଛନ୍ତି ।  ବୟସ କମ ହୋଇଥିଲେ ବି ପରିପକ୍ଵ ରାଜନେତ୍ରୀ ଭଳି ସେ ରଣନୀତି କରୁଛନ୍ତି ।  ୨୦୨୪ ପର୍ଯ୍ୟନ୍ତ ସେ ନିଜ ଦମରେ ସଂଗଠନ କରି ପତିଆରା ଜାହିର କରିବାକୁ ଚାଁହୁଛନ୍ତି । ପ୍ରକୃତ ସଂଗଠକଙ୍କୁ ଟିକେଟ ମିଳିବାରେ ଅସୁବିଧା ନାହିଁ ବୋଲି ସେ ବୁଝିଛନ୍ତି । ସେ ବିଜେଡି ହେଉ କି ବିଜେପି ସଂଗଠନ ଜିତିବା ନିଶ୍ଚିନ୍ତ ବୋଲି ସେ ଜାଣିଛନ୍ତି ।  ତେବେ କେଉଁ ଦଳର ବ୍ରାଣ୍ଡରେ ନ ଯାଇ ସେ ଚାଖମା ଦେଖିବାକୁ ଲକ୍ଷ ରଖିଛନ୍ତି ।  ଉପାସନା ତାଙ୍କ ରଣନୀତିରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା । 

Share this story