କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ଖୁବଶୀଘ୍ର : ଓଡ଼ିଶାକୁ ମିଳିପାରେ ଆଉ ଏକ ମନ୍ତ୍ରୀ ପଦ

ଆଗାମୀ ନିର୍ବାଚନ ପାଇଁ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପ୍ରସ୍ତୁତି ଚାଲିଛି। ଏପଟେ ବଜେଟ ଅଧିବେଶନ ପୂର୍ବରୁ ଚଳିତ ମାସରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋରଧରିଛି। ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଓ ବିଜେପି ପାଇଁ ରାଜନୈତିକ ଅନିବାର୍ଯ୍ୟତା ଦୃଷ୍ଟିରୁ ମନ୍ତ୍ରିମଣ୍ଡଳରେ ଅଦଳବଦଳ ସମ୍ଭାବନା ଜୋରଧରିଛି। ଏହି ଚର୍ଚ୍ଚା ଦିଲ୍ଲୀ ରାଜନୈତିକ ମହଲକୁ ଉଷ୍ମ କରିଥିବା ବେଳେ ଏ ପର୍ଯ୍ୟନ୍ତ ଦଳ ପକ୍ଷରୁ ଔପଚାରିକ ଭାବେ କୌଣସି ନେତା କିଛି ବି ମତ ମନ୍ତବ୍ୟ ଦେଇନାହାନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଦ୍ବିତୀୟ ପାଳିରେ ଗତ ୨୦୨୧ ଜୁଲାଇରେ କେବଳ ଥରେ ମାତ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିଛନ୍ତି। ପ୍ରଥମ ପାଳିରେ ତିନି ଥର ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିବାରୁ ମୋଦୀ ପୁଣି ଥରେ ମନ୍ତ୍ରିମଣ୍ଡଳ କଳେବରରେ ପରିବର୍ତ୍ତନ କରିପାରନ୍ତି ବୋଲି କୁହାଯାଉଛି। ଏପରିକି ଚଳିତ ମାସ ୩୧ ସୁଦ୍ଧା ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ଏପଟେ ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଜାନୁଆରି ୧୬ ଓ ୧୭ ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବରିଷ୍ଠ ନେତାମାନେ ଏଥିରେ ଯୋଗଦେବେ।
ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିର ବିଶେଷ ସଫଳତା, ହିମାଚଳ ପ୍ରଦେଶ ଓ ଦିଲ୍ଲୀ ଏମ୍ସିଡି ନିର୍ବାଚନରେ ବିଜେପିର ପରାଜୟର ପ୍ରଭାବ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳରେ ଦେଖିବାକୁ ମିଳିପାରେ। ଏଥି ସହିତ କର୍ଣ୍ଣାଟକ, ରାଜସ୍ଥାନ ଓ ଛତିଶଗଡ଼ ଭଳି ନିର୍ବାଚନ ହେବାକୁ ଥିବା ରାଜ୍ୟରେ ରାଜନୈତିକ ଆବଶ୍ୟକତା ମଧ୍ୟ ନୂଆ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିପାରେ। ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନା ଭଳି ବଡ଼ ରାଜ୍ୟମାନଙ୍କରେ ଉପୁଜୁଥିବା ରାଜନୈତିକ ଏବଂ ସାମାଜିକ ସମୀକରଣକୁ ମଧ୍ୟ ଏଥିରେ ବିଚାର କରାଯିବ।
ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣ ପରେ ବିଜେପିର ରାଜ୍ୟ ସଂଗଠନମାନଙ୍କରେ ପରିବର୍ତ୍ତନ, ଆବଶ୍ୟକ ନେତୃତ୍ବ ପରିବର୍ତ୍ତନ ଓ କେନ୍ଦ୍ରୀୟ ସଂଗଠନରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଦଳବଦଳ ହୋଇପାରେ। ଫେବ୍ରୁଆରି ୧୫ ସୁଦ୍ଧା ସମସ୍ତ ପ୍ରକାର ପରିବର୍ତ୍ତନକୁ ଚୂଡ଼ାନ୍ତ କରାଯିବ ବୋଲି ଜଣାପଡିଛି। ଏହି ଅଦଳବଦଳ ପ୍ରକ୍ରିୟାରେ ଓଡ଼ିଶାକୁ ମଧ୍ୟ ଗୋଟିଏ ମନ୍ତ୍ରୀ ପଦ ମିଳିବା ସମ୍ଭାବନା ଅଧିକ। ଓଡ଼ିଶାରେ ବିଜେପି ମିସନ୍-୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି। ଏଣୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଆଉ ଜଣକୁ ସାମିଲ କରିବ ଓ ବିଶେଷକରି ପଶ୍ଚିମ ଓଡ଼ିଶାକୁ ବିଶେଷ ଗୁରୁତ୍ବ ଦେଉଥିବାରୁ ପଶ୍ଚିମ ଓଡ଼ିଶାରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦମାନଙ୍କ ମଧ୍ୟରୁ ଜଣକୁ ମନ୍ତ୍ରୀ ପଦ ମିଳିବ ବୋଲି ଆଲୋଚନା ହେଉଛି। ତେବେ କାହାକୁ ଏଯାଏଁ ପଦ ମିଳିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳିନାହିଁ । ବର୍ତ୍ତମାନ ମୋଦୀ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ତିନି ଜଣ ପ୍ରତିନିଧିତ୍ବ କରୁଛନ୍ତି।