୨୦୨୪ ରେ କଟକ ରାଜନୀତିକୁ ନେଇ ଭୋଜିରେ ଚର୍ଚ୍ଚା

ତିନି ପ୍ରମୁଖ ଦଳର କିଛି ବରିଷ୍ଠ ନେତା ବିଭିନ୍ନ ସମୟରେ ଏକତ୍ରିତ ହେବା ଘଟଣା କଟକରେ ଚର୍ଚ୍ଚାର ବିଷୟ ହୋଇଛି। ନୂଆବର୍ଷ ରାଜନୀତିକୁ ଏହା ସରଗରମ କରିପାରେ ବୋଲି କୁହାଯାଉଛି । କିଛିମାସ ତଳେ ଜନତା ଦଳର ବରିଷ୍ଠ ନେତା ସ୍ବର୍ଗତ ଅଶ୍ବିନୀ ସାମଲଙ୍କ ପତ୍ନୀ ତଥା ବରିଷ୍ଠ ରାଜନେତା ଅଶୋକ ସାମଲଙ୍କ ଭାଉଜଙ୍କ ଏକାଦଶାହ କାର୍ଯ୍ୟକ୍ରମରେ କଟକରେ ବିଭିନ୍ନ ଦଳର ବରିଷ୍ଠ ରାଜନେତା ମାନଙ୍କ ଉପସ୍ଥିତି ବେଶ୍ ଚର୍ଚ୍ଚାର ଖୋରାକ ଯୋଗାଇ ଥିଲା । କଂଗ୍ରେସର ବରିଷ୍ଠ ନେତା ବିଧାୟକ ନରସିଂହ ମିଶ୍ର, ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ମେୟର ସୁବାସ ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଭଳି କାର୍ଯ୍ୟକ୍ରମରେ ବିଭିନ୍ନ ଦଳର ନେତୃବୃନ୍ଦଙ୍କ ଯୋଗଦାନରେ ଅବଶ୍ୟ କୌଣସି ଅସ୍ବାଭାବିକତା ନଥିଲା। କିନ୍ତୁ, ନିର୍ଦ୍ଦିଷ୍ଟ କିଛି ନେତାମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଆଲୋଚନା ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା
ସେହିଭଳି ନିକଟରେ କଟକର ଗ୍ରାଣ୍ଡ ରେସିଡେନ୍ସିରେ ମଧ୍ୟ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ସଚିବ ଭାବେ କାର୍ଯ୍ୟ କରିଥିବା ଜ୍ୟୋତି ଘୋଷ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କଟକରେ ଏପ୍ରକାର ବନ୍ଧୁମିଳନ କାର୍ଯ୍ୟକ୍ରମ ସାଧାରଣ ଭାବେ ଦଶହରା-ଦୀପାବଳି ସମୟରେ ଆୟୋଜନ ହୁଏ। ସେ ସମୟରେ କେତେକ କାରଣରୁ ଆୟୋଜନ ହୋଇ ପାରିନଥିବା ବନ୍ଧୁ ମିଳନ ଏଭଳି ଢଙ୍ଗରେ ଆୟୋଜନ ହେଲା ବୋଲି କୁହାଯାଇଥିଲା। ତେବେ ଏପରି କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ଅତିଥିମାନଙ୍କ ଯୋଗଦାନ ଚର୍ଚ୍ଚାର ପ୍ରସଙ୍ଗ ହେବା ସ୍ବାଭାବିକ। ଏଥିରେ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବରିଷ୍ଠ ନେତା ଅଶୋକ ସାମଲ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ବରିଷ୍ଠ ଆଇନଜୀବୀ ସୌରୀବଂଧୁ କର, ମେୟର ସୁବାସ ସିଂହ ଓ ଅନ୍ୟ ଅନେକ ଯୁବ ନେତା ଆଉ ସଂଗଠକ ଯୋଗ ଦେଇଥିଲେ।
ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କ ଉପରେ ତ ସମସ୍ତଙ୍କ ନଜର ରହିଛି। କଂଗ୍ରେସର ଏକାଧିକ ବିଧାୟକ ବି ଏହି ପ୍ରକ୍ରିୟାରେ ନିଜକୁ ଯୋଡ଼ିବାରେ ଲାଗିଛନ୍ତି। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ତ ବର୍ତ୍ତମାନ ସ୍ଥିତିରେ କଂଗ୍ରେସରେ ଥାଇ ନଥିବା ସ୍ଥିତିରେ ଅଛନ୍ତି। ବିଜେଡି ଓ ବିଜେପିରେ ଥିବା ଉପକୂଳ ଅଞ୍ଚଳର ଅନେକ ବରିଷ୍ଠ ନେତା ବି ଆଉ ସେଠାରେ ନିଜର ଭବିଷ୍ୟତ ଦେଖି ପାରୁନାହାନ୍ତି ଇତିମଧ୍ୟରେ ଖବର ମିଳିଛି ଯେ ଜାନୁଆରି ପ୍ରଥମ ସପ୍ତାହ ବେଳକୁ କଟକର ଐତିହାସିକ ପୁରୁଣା ଜେଲ୍ ପଡ଼ିଆରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜୋର୍ଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ସଫଳ ହେଲେ ପରବର୍ତ୍ତୀ ସମୟରେ ଭୁବନେଶ୍ବରରେ ବିରାଟ କାର୍ଯ୍ୟକ୍ରମ କରାଯିବ । କଟକ ବନ୍ଧୁମିଳନରୁ ହୁଏତ ଅନେକ କିଛି ଆଭାସ ମିଳିବାର ଆଶା କରାଯାଉଛି।