ଦଶହରା ପରେ ଉଷ୍ମ ହେବ ରାଜନୀତି : ୩ ଦଳ ତୟାର

politics odisha

ଉଷ୍ମ ହେଉଛି ରାଜ୍ୟ ରାଜନୀତି । ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ଶୂନ୍ୟ ହୋଇଥିବା ଧାମନଗର ବିଧାନସଭା ଆସନ ନିମନ୍ତେଉ ପନିର୍ବାଚନ ତାରିଖ ଘୋଷଣା ହୋଇଛି । ଦଶହରା ପରେ ଚଳିତ ମାସ ୭ ତାରିଖରୁ ନିର୍ବାଚନପ୍ରକ୍ରିୟା ଆରମ୍ଭ ହେବ ଓ ନଭେମ୍ବର ୩ ତାରିଖରେ ଭୋଟ । ସେହିପରି ଭାବେ ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟରଞ୍ଜନ ସିଂହ ବରିହାଙ୍କ ବି‌ୟୋଗ ମଧ୍ୟ ଉପନିର୍ବାଚନ ପାଇଁ ପଥ ପ୍ରସ୍ତୁତ କରିଛି । ଖବର ଅନୁଯାୟୀ ଡ଼ିସେମ୍ବର ଶେଷ ସୁଦ୍ଧା ପଦ୍ମପୁର ଉପନିର୍ବାଚନ ହେବ । ଅକ୍ଟୋବର ୨ ଗାନ୍ଧୀଜୟନ୍ତୀ ଠାରୁ ରାଜ୍ୟର ୩ ରାଜନୈତିକ ଦଳ ତାଙ୍କର ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ଉପନିର୍ବାଚନ ଘୋଷଣା ଏହାକୁ ଅଧିକ ତୀବ୍ର କରିବା ସମ୍ଭାବନା ସୃଷ୍ଟି କରିଛି ।

ନିର୍ବାଚନ ହେଉ କି ଉପନିର୍ବାଚନ ସବୁଥର ବିଜେଡି ବାଜିମାତ କରୁଛି । ୨୦୧୦ ପରେ ରାଜ୍ୟରେ ଅନୁଷ୍ଠିତ ସମସ୍ତ ଉପନିର୍ବାଚନରେ ବିଜେଡି ଅପରାଜୟ ରହିଛି । ୨୦୧୯ ସାଧାରଣ ଓ ବିଧାନସଭା ନିର୍ବାଚନ ପରେ ପାଟକୁରା ନିର୍ବାଚନ ଓ ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲ, ପିପିଲି ଉପନିର୍ବାଚନରେ ବିଜେଡି ଏକତରଫା ବିଜୟୀ ହୋଇଛି । ଏପରିକି ୨୦୧୯ରେ ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବିଜୟୀ ହୋଇଥିବା ବିଜେପି ଉପନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲା । ତିର୍ତ୍ତୋଲ, ପିପିଲି ଓ ବିଜେପୁରରେ ଉପନିର୍ବାଚନ ଭୋଟ ସଂଖ୍ୟା ପୂର୍ବଠାରୁ ଢେ଼ର ଅଧିକ ବୃଦ୍ଧି ପାଇଥିଲା । ବିଜେପୁର ଭିନ୍ନ ଅନ୍ୟ ଉପନିର୍ବାଚନଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ସ୍ଥାନକୁ ପ୍ରଚାର କରିବାକୁ ଯାଇ ନ ଥିଲେ; କିନ୍ତୁ ତାଙ୍କର ରଣନୀତି ଦଳକୁ ବିଶାଳ ବିଜୟ ଦେଇଥିଲା । 

ଏହିପରି ଭାବେ ବିଜେଡି ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ଦଳ ଢେ଼ର ଆଗରୁ ପ୍ରସ୍ତୁତି ଆରମ୍ଭ କରିଛି । ଦଳର ଛାମୁଆ ସଙ୍ଗଠନକୁ ଏକଜୁଟ କରିସାରିଛି । ଗାନ୍ଧୀଜୟନ୍ତୀଠାରୁ ଦଳ ପକ୍ଷରୁ ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି ଏବଂ ଏହି ସମୟରେ ଦଳୀୟ କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରତ୍ୟେକ ପରିବାରରେ ପହଞ୍ଚାଇବାକୁ ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଗାନ୍ଧୀଙ୍କ ଆଦର୍ଶକୁ ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ତେବେ ଆଗାମୀ ସାଧାରଣ ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ଆସନରେ ବିଜୟ ଲାଭ କରିବା ଲକ୍ଷ୍ୟରେ ଅଛି ବିଜୁ ଜନତା ଦଳ । ଯୁବ, ଛାତ୍ର ଓ ମହିଳା ସଂଗଠନର ପୁର୍ନଗଠନ କରାଯିବା ପରେ ନିର୍ବାଚନ ରଣନୀତିକୁ ଜୋରଦାର୍‌ କରିଛନ୍ତି ଦଳୀୟ ନେତା । ପଞ୍ଚାୟତ ଓ ପୌର ନିର୍ବାଚନରେ ୧.୨ କୋଟିରେ ପହଞ୍ଚିଥିବା ଭୋଟକୁ ଦେଢ଼ କୋଟିରେ ପହଞ୍ଚାଇବାକୁ ମଧ୍ୟ ଯୋଜନା କରାଯାଇଛି । ଗତ ବିଧାନସଭା, ଲୋକସଭା ଭୋଟ ହାର ଓ ସଂଖ୍ୟା ସହ ପଞ୍ଚାୟତ ଓ ପୌର ଭୋଟ ସଂଖ୍ୟାକୁ ନେଇ ଅତି ସତର୍କତାର ସହ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ନିକଟରେ ବିଭିନ୍ନ ଛାମୁଆ ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ବିିଭିନ୍ନ ଜୋନର ବରିଷ୍ଠ ପର୍ଯ୍ୟବେକ୍ଷକମାନଙ୍କ ଦାୟିତ୍ୱ ଅଦଳବଦଳ କରାଯାଇଛି । ଆଗକୁ ଜିଲ୍ଲା ପର୍ଯ୍ୟବେକ୍ଷକ କ୍ଷେତ୍ରରେ ଅଦଳ ବଦଳ କରାଯିବା ସମ୍ଭାବନା ଅଛି । ନବୀନଙ୍କୁ ୬ଷ୍ଠ ଥର ଶାସନ ଗାଦିରେ ବସାଇବା ପାଇଁ ଅଙ୍କକଷା ଆରମ୍ଭ ହୋଇଛି । ଧାମନଗର ବିଧାନସଭା ଉପନିର୍ବାଚନରୁ ଏହାର ପ୍ରକ୍ରିୟା ଆରମ୍ଭ କରିବାକୁ ଦଳ ନକ୍ସା ପ୍ରସ୍ତୁତ କରିଛି । 

Share this story