ଫଟୋ କହୁଛି ଫଟା ସମ୍ପର୍କର କଥା

ଆସୁଛନ୍ତି ଭୁବନେଶ୍ୱର ମ୍ୟାଡ଼ାମ। ଆଜି ୧୦ରେ ଭୁବନେଶ୍ବରରେ ତାଙ୍କୁ ବଡ଼ ସମ୍ବର୍ଦ୍ଧନା ଦବାଲାଗି ଚାଲିଛି ଆୟୋଜନ। ଭାବୁଛନ୍ତି କିଏ ଆୟୋଜନ କରୁଛି ରାଜ୍ୟ ଭାଜପା ? ଜମାରୁ ନୁହେଁ । ଆନ୍ତର୍ଜାତିକ ସଂସଦୀୟ ୟୁନିୟନ ବା ଆଇପିୟୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଇଛନ୍ତ ଅପରାଜିତ। ୨୨ବର୍ଷ ପରେ ଭାରତକୁ ମିଳିଛି ଏଇ ପଦବୀ । ତେଣୁ ତାଙ୍କ ଲାଗି ତାଙ୍କ ସମର୍ଥକମାନେ ଆୟୋଜନ କରୁଛନ୍ତି ସମ୍ବର୍ଦ୍ଧନା ସମାରୋହ। ଅପରାଜିତା ହେଉଛନ୍ତି ଭୁବନେଶ୍ଵରର ଭାଜପା ସାଂସଦ । କିନ୍ତୁ ରାଜ୍ୟ ସଂଗଠନ ଆଖିର କଣ୍ଟା । ଏତେବଡ଼ ପଦ ମିଳିବା ପରେ ତାଙ୍କୁ ଦଳ ତରଫରୁ ଆନୁଷ୍ଠାନିକ ଶୁଭେଚ୍ଛା କିଏ ଦେଲା ଭଳି ମନେ ହେଉନି। କିନ୍ତୁ ଲୋକ ସଭା ବାଚସ୍ପତି ଓ ଅଧ୍ୟକ୍ଷ ନଡ୍ଡା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସିଏ ତ ଆଉ ଅଧ୍ୟକ୍ଷ ପଦ ପାଇଁ ନିଜେ ଛିଡ଼ା ହେଇନଥିଲେ । ତାଙ୍କୁ ଦେଶ ଛିଡ଼ା କରାଇଥିଲା । ଏହି ନିଷ୍ପତ୍ତି ନିହାତି ପିଏମ ମୋଦୀଙ୍କର ହେଇଥିବ। କିନ୍ତୁ କେଜାଣି କାହିଁକି ଆଇପିୟୁ ଅଧ୍ୟକ୍ଷ ପଦ ପାଇଁ ତାଙ୍କ ମନୋନୟନ ଓ ବିଜୟକୁ ନେଇ ରାଜ୍ୟ ଭାଜପା ବିଶେଷ ଖୁସି ନୁହେଁ ।
ଅପରାଜିତା ବି କାଳି ଗାଈ ପରି ନିଜର ଅଲଗା ଗୋଠ କରିସାରିଲେଣି। ଦଳ ତରଫରୁ ତାଙ୍କୁ ବିଶେଷ ଉତ୍ସାହ କେବେ ଦିଆଯିବ ଆମଭଳି ମୁର୍ଖମାନେ ଦେଖିପାରିଲେନାହିଁ । ତେଣୁ ସିଏ ବି ଠେଲି ପଶି ଆଗକୁ ବଢ଼ିବା ପାଇଁ ଲାଗି ପଡ଼ିଛନ୍ତି । କହିଲେ ଭୁଲ ହେବନି ଯେ ମୁଖିଆଙ୍କ ସରକାର ଓ ତାଙ୍କ ଦଳ ଅପରାଜିତାଙ୍କୁ ଶତ୍ରୁ ନମ୍ବର ୧ ବୋଲି ଧରି ନେଇସାରିଛନ୍ତି । ପଦ୍ମ ଦଳରେ ଗୋଛି କଟାଙ୍କ ଅଭାବ ନାହିଁ । ବଡ଼ ବଡ଼ ନେତାଙ୍କ ଭିତରେ ଏତେ ଚିଡାଚିଡ଼ି ଯେ ବାହାରକୁ ଜଳଜଳ ଦିଶିଯାଉଛି । କିନ୍ତୁ ଯେହେତୁ ଅପରାଜିତା ସରକାରଙ୍କୁ ବେଶି ଅଡୁଆରେ ପକଉଛନ୍ତି ସେହେତୁ ଅନ୍ୟ ନେତାଙ୍କ ତୁଳନାରେ ତାଙ୍କ ଲୋକପ୍ରିୟତା ଅଧିକ। ତାଙ୍କରି ଯୋଗୁଁ ପୁରୀ ପରିକ୍ରମା ପ୍ରବନ୍ଧରେ ଅଡ଼ୁଆରେ ପଡ଼ିଥିଲେ ସରକାର । ନହେଲେ ଭାଜପା ନେତାମାନେ ଅଧାରୁ ବେଶି ବିକ୍ରି ହେଇଯାଇଥିଲେ।
ଅପରାଜିତାଙ୍କ ଆସିବାକୁ ନେଇ ତାଙ୍କ ସମର୍ଥକମାନେ ସାମାଜିକ ଗଣମାଧ୍ୟମରେ ଯେଉଁସବୁ ପୋଷ୍ଟ କରିଛନ୍ତି ସବୁଥିରେ ଅଛନ୍ତି ପିଏମ ମୋଦୀ, ବାଚସ୍ପତି ବିର୍ଲା। ଆଉ କେତେକ ପୋଷ୍ଟରେ ସ୍ଥାନ ପାଇଛନ୍ତି ମୋଦୀ, ନଡ୍ଡା, ଶାହା ଓ ବିର୍ଲା। କେଉଁଥିରେ ଧର୍ମେନ୍ଦ୍ର କି ସମୀର ନାହାନ୍ତି । ଅର୍ଥାତ ରାଜ୍ୟ ନେତାମାନଙ୍କୁ ବାଦ ଦେଇ କେନ୍ଦ୍ରୀୟ ନେତାଙ୍କୁ ମୁଣ୍ଡରେ ବସାଇଛନ୍ତି ମ୍ୟାଡ଼ାମ ଅପରାଜିତା । ଏଥିରେ ଉଲ୍ଲେଖ ଅଛି ଯେ ଆନ୍ତର୍ଜାତୀୟ ସ୍ତରରେ ଆଇପିୟୁ ନିର୍ବାଚନରେ ଭାରତକୁ ବିଜୟୀ କରି ସାଢ଼େ ୪କୋଟି ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି ଅପରାଜିତା। ଏଇ ବିଜ୍ଞାପନଟି ବହୁ କଥା କହୁଛି । ପଦ୍ମ ଦଳର ଭିତର ଗୁମର ଖୋଲୁଛି। ଏମିତି ଫଟାଫଟି ଦଳ ମୁଖିଆଙ୍କ ଦଳକୁ ଚାଲେଞ୍ଜ କରିପାରିବ ତ ? ସବୁଆଡ଼େ ରାଜୁ ବାସ ଖୋଜିଲେ ମିଳିବ କଉଁଠୁ ?