ବୁଡିଯିବା ଲୋକର କୁଟା ଖିଅକୁ ଭରଷା

srikanta nitish

ବୁଡ଼ିଗଲା ଲୋକର କୁଟା ଖୀଅକୁ ଭରସା । ଧରି ପକାଇଲେ କାଳେ ଲାଗିଯିବି କୂଳରେ ? ନେତାମାନଙ୍କ କ୍ଷେତ୍ରରେ ମଧ୍ୟ ବେଳେବେଳେ ସେମିତି ଦେଖାଯାଏ । ନହେଲେ ଅନେକ ନେତ ଅଛନ୍ତି । ଯୁଆଡ଼େ ବରଷା ସିଆଡ଼େ ଛତା । ଆଉ ବି ଏମିତି ନେତା ଅଛନ୍ତି ନିଜ ଦଳର ଜାହାଜ ଯଦି ବୁଡ଼ିବ ବୋଲି ଭାବି ବସନ୍ତି, ତେବେ ବେଳହୁଁ ସାବଧାନ ହୋଇ ଲମ୍ଫ ମାରି ଆଉ କେଉଁ ଦଳର କାହାଜରେ ବସିଯାଆନ୍ତି ।

 କିନ୍ତୁ ଆମ ଶ୍ରୀକାନ୍ତ  ଜେନାଙ୍କ କଥା ଅଲଗା । ଥିଲେ ଜନତା ଦଳରେ । ଯେତେବେଳେ ମଣ୍ଡଳ ପନ୍ଥୀଙ୍କ ଦବଦବା ଥିଲା , ସେତେବେଳେ ସେମାନଙ୍କ ପାଇଁ ଧର୍ମପିତା ବିଜୁ ବାବୁଙ୍କୁ ଭାରି ହେୟଜ୍ଞାନ କରିଥିଲେ। ଏମିତି ହେଲା ଯେ କେନ୍ଦ୍ରାପଡ଼ାରେ ଲାଲୁ  ଓ ଶରଦ ଯାଦବଙ୍କ ପରି ମଣ୍ଡଳ ନେତାଙ୍କ ଫଟୋ ମାରି  ନିର୍ବାଚନ ଲଢ଼ିଥିଲେ, କିନ୍ତୁ ହାରିଗଲେ ।

ଜନତା ଦଳ ଭାଙ୍ଗିଲା । ବିଜୁ ଜନତା ଦଳ ଗଢ଼ା ହେଲା । ସେତେବେଳେ ହାତ ଦଳ ସହ ଯୋଡ଼ି ହୋଇଗଲେ ଶ୍ରୀକାନ୍ତ । ଏକଦା ସିଏ  ସିଏମ୍ ଗମାଙ୍ଗଙ୍କ ମାର୍ଗଦର୍ଶକ ବି ପାଲଟି ଯାଇଥିଲେ । ଗମାଙ୍ଗଙ୍କର ଓ ହାତ ଦଳର କି ଅବସ୍ଥା ହେଲା, ସମସ୍ତେ ଭଲଭାବେ ଦେଖିଚନ୍ତି। ତଥାପି ଦଳ ଛାଡ଼ି ନଥିଲେ ସିଏ। ଜୟଦେବ ଯେତେ ବେଳେ ସଭାପତି, ସେତେବେଳେ ଏଇ ଜେନାବାବୁ ଭାରି ପାୱାର ଫୁଲ ହୋଇଥିଲେ । ଯାହଉ ସୋନିଆଙ୍କ ଦୟାରୁ କେନ୍ଦ୍ରରେ ରାଷ୍ଟ୍ର ମନ୍ତ୍ରୀ ପଦଟିଏ ମିଳିଯାଇଥିଲା । କିନ୍ତୁ ଅଲେଖ ବାବୁ ସଭାପତି ହେବାପରେ ଜେନାମଣିଙ୍କ ଚକ୍ରାନ୍ତ ଦେଖି  ତାଙ୍କୁ ଏକାବେଳେକେ  ଦଳରୁ ନିକାଲି ଦେଲେ  ରାହୁଲ  ବାବା। ଏବେ ଜେନାବାବୁ  ସମ୍ପୂର୍ଣ ନିର୍ବଳୀୟ ।

ବିନା ଦଳରେ ଏଠି କି ରାଜନୀତି ? ବିନା କେତେ ଆଲୋଚନା ହେଲା ଯେ, ଜେନାମଣି ଝାଡ଼ୁ ଧରିବେ । ଅରବିନ୍ଦଙ୍କ ସହ ମିଶି ଓଡ଼ିଶାରେ ଏମିତି ଝାଡୁ ଚଳେଇବେ ଯେ, ଶଙ୍ଖ, ପଦ୍ମ, ହାତ ସବୁ ସଫା । କିନ୍ତୁ ଏଠିକା ନେତାମାନେ କେଁ  ପୁରେଇ ଦେଲେ  କି କ'ଣ ଆଉ ଜେନାମଣିଙ୍କ ଇଚ୍ଛା ପୂରଣ ହେଲାନି । ଆପରେ ଯୋଗଦେବା ସମ୍ଭାବନା ମଉଳିଗଲା।

ଏବେ ତାଙ୍କୁ ପୁରୁଣା ମଣ୍ଡଳ ନେତା ମନେପଡ଼ିଚନ୍ତି । ବିହାରରେ ଲାଲୁ ଓ ନୀତୀଶ ଏକ ହେଇଗଲେଣି । ପଦ୍ମ ଦଳକୁ କ୍ଷମତା ବାହାରେ ରଖି ଦେଇଚନ୍ତି। ଏଥିପାଇଁ ନୂଆ ଆଶା କଅଁଳିଚି  ଜେନାବାବୁଙ୍କ ମନରେ । ନିକଟରେ ନୀତୀଶଙ୍କ ପାର୍ଟିର ତ୍ୟାଗୀ ବାବୁ ଆସିଥିଲେ ଓଡ଼ିଶା । ତ୍ୟାଗୀ ବାବୁ ଜଣେ ଟାଣୁଆ ନେତା । ନୀତୀଶ ବାବୁଙ୍କର ଡାହାଣ କି ବାଆଁ ହାତ  । ତାଙ୍କ ପାଖେପାଖେ ଦେଖିବାକୁ ମିଳିଲା ଜେନାବାବୁଙ୍କୁ । ଏବେ ସମସ୍ତେ ଟୁପୁରୁଟାପୁରୁ ହେଲେଣି ଯେ, କିଛି ନହେଲେ ନୀତୀଶ ପାର୍ଟିର ରାଜ୍ୟ ନେତା ହେଇ ମାର୍କେଟକୁ ଓହ୍ଲାଇବେ ଶ୍ରୀକାନ୍ତ ବାବୁ । ନୀତୀଶ ବାବୁଙ୍କର ବି  ପି.ଏମ୍ ହବାକୁ ମନ । ଏଥିପାଇଁ ଓଡ଼ିଶାରୁ ଯଦି କିଛି ସମର୍ଥନ ମିଳିଯାଏ, ତେବେ ଖୁସିର କଥା।ଦେଖାଯାଉ ଶ୍ରୀକାନ୍ତଙ୍କୁ ନୀତୀଶ କେମିତି କରୁଛନ୍ତି ହେଲ୍ପ ?

Share this story