ସଂସଦରେ ଆଦିବାସୀଙ୍କ ପାଇଁ ବର୍ଷିଲେ କଂଗ୍ରେସ ସାଂସଦ

saptagiri

ଆଦିବାସୀ ହେଉଛନ୍ତି ଦେଶର ମୂଳ ନିବାସୀ। ହେଲେ ଆଦିବାସୀମାନଙ୍କୁ ବନବାସୀ ବୋଲି ବିଚାର କରି ଦ୍ବନ୍ଦ୍ବ ସୃଷ୍ଟି କରାଯାଉଛି। ଭଗବାନ ଶ୍ରୀରାମ ବନବାସରେ ଯାଇଥିଲେ, ତେଣୁ ସେ ବନବାସୀ। ହେଲେ ତାଙ୍କୁ କୋଳି ଖୁଆଇଥିବା ଶବରୀ ମା’ହେଉଛି ଆଦିବାସୀ। ମୁଁ ଜଙ୍ଗଲୀ ହୋଇପାରେ ହେଲେ ବନବାସୀ ନୁହେଁ । ବିଗତ ୭୫ବର୍ଷରେ ସଂରକ୍ଷଣ ଆଦିବାସୀମାନଙ୍କ ପାଇଁ ବିଶେଷ ଫଳପ୍ରଦ ହୋଇପାରିନାହିଁ । ଆଦିବାସୀମାନଙ୍କୁ କେବଳ ସଂରକ୍ଷଣ ନୁହେଁ, ଅଧିକାର ଦରକାର | ସଂସଦକୁ ନିର୍ବାଚିତ ହୋଇ ଆସିଥିବା ୪୭ ସାଂସଦଙ୍କୁ ଆଦିବାସୀଙ୍କ ସମସ୍ୟା ସଂପର୍କରେ ଚର୍ଚ୍ଚା କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ଗତ ସଂସଦରେ ଯୁକ୍ତି ରଖିଥିଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା।

ଶ୍ରୀ ଉଲ୍ଲାକା କହିଥିଲେ ଯେ ବିସ୍ଥାପନ ହେଉଛି ଆଦିବାସୀମାନଙ୍କ ବଡ଼ ସମସ୍ୟା | ୫ହଜାର କୋଟିର ଭାରତମାଳା ପ୍ରକଳ୍ପ ଓଡ଼ିଶାର କୋରାପୁଟ ଜିଲ୍ଲା ଦେଇ ଯାଉଛି। ଏହି କାମ ପାଇଁ ସ୍ଥାନୀୟ ଆଦିବାସୀଙ୍କୁ ନିଯୁକ୍ତି କିମ୍ବା ଠିକାଦାରୀ କାମ ମିଳିନାହିଁ। ହେଲେ ଏହା ହେଉଛି ଏକ ସିଡ୍ୟୁଲ-୫ ଅଞ୍ଚଳ। ଜାଗା ବିକ୍ରି ପାଇଁ ଏଥିପାଇଁ ଅନୁମତିର ଆବଶ୍ୟକତା ରହିଛି। ଆନ୍ଧ୍ରରେ ଭାରତମାଳା ପ୍ରକଳ୍ପ ପାଇଁ ଏକର ପିଛା ୬୦ଲକ୍ଷ ମିଳୁଥିବା ବେଳେ କୋରାପୁଟରେ ଏକର ପିଛା ୫୦ହଜାର ମିଳୁଛି।ଆଦିବାସୀମାନଙ୍କ ମୂଲ୍ୟ କ’ଣ ୫୦ ହଜାର ଟଙ୍କା ? ଆଦିବାସୀଙ୍କ ଜାଗା ଉପରେ ହାଇୱେ ତିଆରି କରିବା କ’ଣ ନିହାତି ଜରୁରୀ ? କିଛିଦିନ ତଳେ ଖଣି ବିଭାଗ ପକ୍ଷରୁ ପଟ୍ଟାଙ୍ଗୀ ଅଞ୍ଚଳରେ ଥିବା ବାଲ୍‌ଡା ଖଣିର ନିଲାମ ପାଇଁ ଖବରକାଗଜରେ ବିଜ୍ଞପ୍ତି ଜାରି ହୋଇଥିଲା। ହେଲେ ଆଦିବାସୀମାନେ ବାଲ୍‌ଡା ପାହାଡ଼, ଜଙ୍ଗଲକୁ ପୂଜା କରିଥାନ୍ତି, ତାହାକୁ ଅକ୍ସନ୍ କରାଯିବ।

ଆଦିବାସୀମାନେ ବିକାଶର ବିରୋଧୀ ନୁହନ୍ତି। ନାଲ୍‌କୋ ପକ୍ଷରୁ ଆଦିବାସୀଙ୍କ ହଜାର ହଜାର ଏକ ଜମି ନିଆଯାଇଛି । କହିଥିଲେ ପ୍ରତି ଘର ଜଣକୁ ନିଯୁକ୍ତି ଦିଆଯିବ। ହେଲେ ଏଥିରେ ନିଯୁକ୍ତି ପାଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଆଉ କାହାରକୁ ନିଯୁକ୍ତି ଦିଆଯାଇନାହିଁ। ପୋଲାଭରମ୍ ଡ୍ୟାମ୍ ନିର୍ମାଣ ହେଲେ ଆଦିବାସୀମାନେ ହିଁ ମରିବେ। କେନ୍ଦ୍ର ସରକାର ଯଦି ଆଦିବାସୀଙ୍କ ସଂପର୍କିତ କୌଣସି ବିଲ୍ ଆଣୁଛନ୍ତି ତାହାଲେ ଏକ ବିସ୍ତୃତ ବିଲ୍ ଆଣିବା ଦରକାର ବୋଲି ସପ୍ତଗିରି କହିଛନ୍ତି।

Share this story