ଆଚରଣ ଓ ଉଚ୍ଚାରଣକୁ ନେଇ ଚର୍ଚ୍ଚାରେ ସାଲୁଜା, ଜିଲ୍ଲାପାଳଙ୍କୁ କାହିଁକି ଏଭଳି ବ୍ୟବହାର କଲେ ?

saluja congress

ହାତ ପାର୍ଟିର ପଗଡ଼ି ନେତା ତଥା କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ କିଏ ଚିହ୍ନେ । ଏକ ସମୟରେ ସାଲୁଜା ଥିଲେ ରାଜ୍ୟ ହାତ ପାର୍ଟିର ଅନ୍ୟତମ ମଣି। ଆଜିକାଲି ହାତ ପାର୍ଟି ରାଜ୍ୟରେ ଯେଉଁ ସ୍ଥିତିରେ ଅଛି ସେଥିରେ ସାଲୁଜାଙ୍କ ପରି ଅନେକ ନେତାଙ୍କ ଢ଼େର ଅବଦାନ ରହିଛି । ନିଜର ପୂର୍ବ ସୂରୀ ନେତାମାନଙ୍କ କାର୍ଯ୍ୟକଳାପ ଯୋଗୁଁ ହାତ ପାର୍ଟି ଦୁଇ ଦଶନ୍ଧି ହେଲା ରାଜ୍ୟରେ କ୍ଷମତାରୁ ଦୂରରେ।

ଏପରିକି ବିଧାନସଭାରେ ଦଳର ସଂଖ୍ୟା ଖସି ଖସି ଏକ ଅଙ୍କରେ ପହଞ୍ଚିଛି। ତଥାପି ହାତ ପାର୍ଟି ନେତାମାନେ ଏଥିରୁ କିଛି ଶିଖିଲା ପରି ମନେ ହେଉନାହିଁ । ଜଣେ କ୍ୟାବିନେଟ୍ ମନ୍ତ୍ରୀ, ଅନ୍ୟ ଲୋକପ୍ରତିନିଧି ଓ ଅଧିକାରୀଙ୍କ ଉପସ୍ଥିତିରେ ସାଲୁଜା ଯେପରି ଜିଲ୍ଲାପାଳଙ୍କ ପ୍ରତି ଆଚରଣ ପ୍ରଦର୍ଶନ କଲେ ତାହା କେଉଁ ଦୃଷ୍ଟିରୁ ଶୋଭନୀୟ ତାହା ଅନେକଙ୍କ ପାଇଁ ଅବୋଧ । ସରକାରୀ ବ୍ୟବସ୍ଥାରେ ଜିଲ୍ଲାପାଳଙ୍କ କାର୍ଯ୍ୟରେ ହୁଏତ ସେ ଅସନ୍ତୁଷ୍ଟ ହୋଇଥାଇ ପାରନ୍ତି, ମାତ୍ର ତାହାର ଅଶୋଭନୀୟ ପ୍ରଦର୍ଶନ କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ନୁହେଁ । 

ବିରୋଧ ଓ ପ୍ରତିବାଦ କରିବାର ବିଭିନ୍ନ ବାଟ ରହିଛି, ମାତ୍ର ସାଲୁଜାଙ୍କ ଆଚରଣ ଓ ଉଚ୍ଚାରଣ ଯେ ଏହାଠାରୁ ଊର୍ଦ୍ଧ୍ବରେ ଥିଲା ଘୂରି ବୁଲୁଥିବା ଭିଡ଼ିଓ କ୍ଲିପ୍‌ରେ ଜଳଜଳ ଦିଶୁଛି। ଏପରି ଆଚରଣ ଯୋଗୁଁ ଦଳର ଭୋଟ ସଂଖ୍ୟା ୩୬ ପ୍ରତିଶତରୁ ୧୩ ପ୍ରତିଶତକୁ ଖସି ସାରିଲାଣି। ଆଉ କେତେ ଭୋଟ ଖସିଲେ ହାତ ଦଳିଆ ନେତାମାନେ ଏ କଥା ହେଜିବେ କେଜାଣି ? 

Share this story