ଭାଉ ଦେଖାଉଥିଲେ, ବସିବାକୁ ଚୌକି ମିଳିଲାନି !

ଡରିଗଲେ ନା ଡରେଇଦେଲେ ସଞ୍ଜୟ ? ବାହାସ୍ଫୋଟ ଉଭେଇଗଲା । ପୁଣି ଆରମ୍ଭ ହେଲାଣି ତୋସାମତି । କିଛି ଦିନ ତଳର ବାହାସ୍ଫୋଟ ଓ ଏବେକାର ତୋଷାମତିକୁ ନେଇ ଏବେ ଜୋରରେ ଚର୍ଚ୍ଚା । ସଞ୍ଜୟ ଦଳର ନିୟନ୍ତ୍ରକ ବା ଦଳର ଭାଗ୍ୟ ବିଧାତାମାନଙ୍କ ପାଖରେ ମୁଣ୍ଡ ନୁଆଁଇଦେଲେ କି ? ନା ସଞ୍ଜୟ ଟାର୍ଗେଟ କରିଥିବା ନେତା ମାନେ ତାଙ୍କ ପାଖରେ ନରମିଗଲେ ? ତାଙ୍କୁ ପୁଣି ଥରେ ଗୁରୁତ୍ୱ ଦେବାପାଇଁ ପ୍ରତିଶ୍ରୁତି ଦେଲେ କି ? ଦଳରେ ତାଙ୍କର ପୂର୍ବ ଅତିଆରା ଫେରାଇ ଆଣିବାକୁ କହିଲେ କି ? ଯଦି ଏମିତି କିଛି ହୋଇଛି, ତାହେଲେ ଭିନ୍ନ କଥା । ଯଦି ସେମିତି କିଛି ହୋଇନାହିଁ, ତାହେଲେ ସଞ୍ଜୟଙ୍କ ବାକ୍ୟରେ ହଠାତ୍ ପରିବର୍ତ୍ତନ କେମିତି ହେଲା ? ଏହାର ଅର୍ଥ କିଛି ନା କିଛି ହୋଇଛି । ସଞ୍ଜୟ ଡରି ଆତ୍ମସମର୍ପଣ କରିଛନ୍ତି, ନହେଲେ ଦଳର
ଭାଗ୍ୟ ବିଧାତାମାନେ ସଞ୍ଜୟଙ୍କ ପ୍ରଭାବରେ ଭୟଭୀତ ହୋଇଛନ୍ତି କି ? ସେ ଯାହା ବି ହେଉ ସଞ୍ଜୟ ଓ ତାଙ୍କ ଗୋଷ୍ଠୀଙ୍କୁ ନେଇ ବିଜେଡି ପାଇଁ ଯେଉଁ ବଡ଼ ଅସୁବିଧା ହେବାକୁ ଯାଉଥିଲା, ସେଟା ହୁଏତ ଦୂରେଇଗଲା । ଗତ କିଛି ଦିନ ତଳେ ସଞ୍ଜୟଙ୍କ ରଣହୁଙ୍କାରକୁ ନେଇ ବିଜେଡି ଶିବିରରେ ଭୁକମ୍ପ ସୃଷ୍ଟି ହୋଇଥିଲା । ସେ ବ୍ରହ୍ମଗିରିର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକପ୍ରକାର ଯୁଦ୍ଧଂଦେହୀ ଡାକରା ଦେଇଥିଲେ । ତାଙ୍କୁ ଦଳରେ ଅଣନିଶ୍ୱାସୀ କରାଯାଉଥିବା କହିଥିଲେ । ଅଣଓଡ଼ିଆ ଶକ୍ତି ଓଡ଼ିଶାକୁ ଲୁଟ କରୁଥିବା କହି ତୃତୀୟ ମହଲାର ଅଣଓଡ଼ିଆ ବାବୁ ମାନଙ୍କୁ ଇଙ୍ଗିତ ବି କରିଥିଲେ । ହେଲେ ନବୀନ କିମ୍ବା ତାଙ୍କ କୋର ଗ୍ରୁପ ନେତା ବା ଅଫିସରୀ ଟିମ ତାଙ୍କୁ ଏପର୍ଯ୍ୟନ୍ତ ଟାର୍ଗେଟ କରିନଥିଲେ । ହେଲେ ହଠାତ୍ ଏମିତି କ’ଣ ହେଲା ଯେ, ସଞ୍ଚୟ ନିଜେ ପକାଇଥିବା ଛେପକୁ ନିଜେ ଢୋକିନେଲେ । ତାଙ୍କ ବାକ୍ୟ ପରିବର୍ତ୍ତନ ହୋଇଗଲା ।
ଏକଥା ଏଥିପାଇଁ ଉଠୁଛି, କାରଣ ଗତକାଲି ବ୍ରହ୍ମଗିରି ଆମ୍ବପଡ଼ା ପଞ୍ଚାୟତରେ ନୀସିଂହ ପାଟଣା ଠାରେ ସୁନାମୁଖି ନଦୀରେ ପ୍ରକଳ୍ପ ନିର୍ମାଣ ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । କୁହାଯାଉଛି କାଳେ ସଞ୍ଜୟଙ୍କର ମାନଭଞ୍ଜନ ହୋଇଛି । ସଞ୍ଜୟ କହିଥିଲେ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ବ୍ରହ୍ମଗିରିବାସୀଙ୍କ ଉପରେ ରହିଛି ।
ଅନ୍ୟପଟେ ବିଜେଡି ତାର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ସେଠାକୁ ମଧ୍ୟ ସଞ୍ଜୟଙ୍କୁ ନିମନ୍ତ୍ରଣ କରାଯାଇଛି । ଆଉ ସେ ସେଠି ଯୋଗ ଦେଇ ବିଜେଡିକୁୂ ବେଶ୍ ପ୍ରଶଂସା କରିଛନ୍ତି । ସଞ୍ଜୟଙ୍କ ହଠାତ୍ ମାନଭଞ୍ଜନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ଏଠି କିଏ ଡରିଗଲା? ସଞ୍ଜୟ ଯୁଦ୍ଧଂଦେହୀ ଡାକରା ପରେ ଭୟ କଲେ କି ଅଣଓଡ଼ିଆ ଅଫିସରୀ ଟିମ୍? ନା ସଞ୍ଜୟ ନିଜେ ଡରିଗଲେ? ଆଉ ପ୍ୟାଚଅପ୍ କରିବାକୁ ବାଧ୍ୟ ହେଲେ? ତାକୁ ନେଇ ଏବେ ସବୁଠି ଆଲୋଚନା ।