୨୦୨୩ ସଂଜୟଙ୍କ ପାଇଁ ହେବ କାଳ : ୨୪ ରେ ଚିହ୍ନବର୍ଣ୍ଣ ହଜିବ !

ବିଜେଡିରୁ ବିଦା ହେବେ ସଞ୍ଜୟ । ସଞ୍ଜୟ କୁମାର ଦାସବର୍ମାଙ୍କ ବିସ୍ଫୋରକ ବୟାନ ଏବେ ତାଙ୍କ ପାଇଁ କାଳ ହେବାକୁ ଯାଉଛି। ସଞ୍ଜୟଙ୍କ ମନ୍ତବ୍ୟକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବେଶ ଗୁରୁତର ସହ ଗ୍ରହଣ କରିଛନ୍ତି । ସଞ୍ଜୟଙ୍କୁ ଦଳରୁ ବିଦା କରିବାକୁ ଯୋଜନା କରାଯାଉଛି । ବିଜେଡି ଶିବିରରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ୨୪ ନିର୍ବାଚନ ପୂର୍ବରୁ ଏ ନେଇ ନବୀନ ନିଷ୍ପତ୍ତି ନେଇପାରନ୍ତି । ଏଭଳି ଚର୍ଚ୍ଚା ଏବେ ସଂଞ୍ଜୟଙ୍କ ଶିବିରରେ ଆଲୋଡନ ସୃଷ୍ଟି କରିଛି ।
ଗତ କିଛି ମାସ ଧରି ସଞ୍ଜୟଙ୍କୁ ଦଳ କଣଠେସା କରିଦେଇଛି । ପୂର୍ବଭଳି ଦଳରେ ଆଉ ତାଙ୍କର ପତିଆରା ନାହିଁ । ଯେଉଁଥିପାଇଁ ସଂଜୟ କ୍ଷୁବ୍ଧ ଅଛନ୍ତି । ସେପଟେ ବ୍ରହ୍ମଗିରିରେ ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ଜୋରଦାର ସଂଗଠନ କରୁଛନ୍ତି । ଉପାସନା ବିଜେଡି ଯାଇପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି । ଦଳୀୟ ନେତାମାନଙ୍କ ଏଭଳି ମତି ଗତି ଦେଖିବା ପରେ ସଞ୍ଜୟ ଫିଡିକି ଯାଇଥିଲେ । ବିଜେଡିର ପଦଯାତ୍ରା ସମୟରେ ସଞ୍ଜୟଙ୍କ ଅସନ୍ତୋଷ ବିସ୍ଫୋରଣର ରୂପ ନେଇଥିଲା । ଭାଷଣ ଦେବାବେଳେ ସେ ଦଳ ଓ ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରସଂଶା କରିଥିଲେ ବି ପାୱାରଫୁଲ କୋଟାରୀ ଙ୍କୁ ଆଙ୍ଗୁଠି ଦେଖାଇଥିଲେ । ସିଧାସଳଖ ଚେତାବନୀ ବି ଦେଇଥିଲେ । ସଞ୍ଜୟଙ୍କ ଏଭଳି ମନ୍ତବ୍ୟ ଦଳରେ ଆଲୋଡନ ସୃଷ୍ଟି କରିଥିଲା ।
ପାୱାରଫୁଲ କୋଟାରୀ ବିରୋଧରେ ସଞ୍ଜୟ ଯୁଧ୍ୟଂ ଦେହୀଂ ଡାକରା ଦେଇ ବିଜେଡି ରାଜନୀତିକୁ ସରଗରମ କରିଦେଇଛନ୍ତି । ବହୁ ରାଜନୈତିକ ନେତା ନିରବ ଥିବା ବେଳେ ସଞ୍ଜୟଙ୍କ ଏଭଳି ମନ୍ତବ୍ୟକୁ ଦଳ କିନ୍ତୁ ସହଜରେ ଗ୍ରହଣ କରିନାହିଁ । ସଞ୍ଜୟ କିନ୍ତୁ ବ୍ରହ୍ମଗିର ବିକାଶର ଆଳ ଦେଖାଇ ଲୋକମାନଙ୍କୁ ଭାଷଣରେ ତତାଇ ଦେଇଥିଲେ । କିନ୍ତୁ ଏହା ପରେ ପରେ ବ୍ରହ୍ମଗିର ଅଲାରନାଥ ପୀଠର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିଛନ୍ତି । ସଞ୍ଜୟଙ୍କ ସହ ଏଇ ନେଇ ଟିକିଏ ବି ଆଲୋଚନା କରାଯାଇନାହିଁ । ସଞ୍ଜୟ ଭାବିଥିଲେ ତାଙ୍କର ଯୁଧ୍ୟଂ ଦେହୀଂ ଡାକରାରେ ଦଳର ପାୱାରଫୁଲ କୋଟେରୀ ଡରିଯିବ ଆଉ ତାଙ୍କୁ ଡାକି ବୁଝାସୁଝା କରିବେ । ଦଳରେ ପୂର୍ବ ଭଳି ତାଙ୍କର ପତିଆରା ରହିବ ବୋଲି ସଞ୍ଜୟ ଭାବିଥିଲେ କିନ୍ତୁ ସେଭଳି କିଛି ହେବାର ସମ୍ଭାବନା କମ । ବରଂ ଅସନ୍ତୋଷଙ୍କ ପ୍ରଶମିତ କରିବା ପାଇଁ ସଞ୍ଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଛାଟ ବାଜିବ । ନଚେତ ଆଗାମୀ ଦିନରେ ଖୋଲା ଖୋଲି ଅନ୍ୟ ନେତାମାନେ ବିଦ୍ରୋହ କରିବାର ସମ୍ଭାବନା ରହିଛି । ସେପଟେ ଆଉ କିଛି ଅସନ୍ତୁଷ୍ଟ ଙ୍କ ମେଳି ର କ୍ୟାପଟେନ ସାଜିଥିବା ସଞ୍ଜୟଙ୍କୁ ଶେଷରେ ବହୁମୂଲ୍ୟ ଦେବାକୁ ପଡିପାରେ । କାରଣ ବିଜେଡିର ଅନୁଶାସନ ସଭିଙ୍କୁ ଜଣା । ସିଏ ଯେତେ ବଡ଼ ହେଉନା କାହିଁକି, ଯିଏ ଭୁଲ କରିଛି ତା' ବିରୋଧରେ ଶୃଙ୍ଖଳା ଙ୍କ ଛାଟ ବାଜିଛି ।