ସମୀର ମହାନ୍ତିଙ୍କ ସଭାପତିତ୍ୱରେ ୨୦୨୪ରେ ସରକାର ଗଢିବାର ଆଶା ରଖିଛି ବିଜେପି : ଆପଣଙ୍କୁ କଣ' ଲାଗୁଛି ?

dharmendra samir

ଯୁଦ୍ଧରେଖା ଟଣା ହୋଇଯାଇଛି । ଗୋଟିଏ ପଟେ ୨୪ ବର୍ଷ (୨୩ ବର୍ଷ) କ୍ଷମତାରେ ଥିବା ବିଜୁ ଜନତା ଦଳ ଏବଂ ଅନ୍ୟପଟେ କ୍ଷମତାର ସ୍ଵପ୍ନ ଦେଖୁଥିବା ଭାରତୀୟ ଜନତା ପାର୍ଟି । ୨୦୨୪ରେ କ୍ଷମତା ପରିବର୍ତ୍ତନ ହୋଇପାରେ କି ? ଭାରତୀୟ ଜନତା ପାର୍ଟି ଆସିପାରେ କି କ୍ଷମତାକୁ ? ନା ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ନବୀନ ପଟ୍ଟନାୟକ ? ଏସବୁ ପ୍ରଶ୍ନ ଆଗକୁ ଲୋକଙ୍କୁ ଆନ୍ଦୋଳିତ କରିବ। ଏସବୁ ପ୍ରଶ୍ନର ଉତ୍ତର ଛପି ରହିଛି ୨୦୨୪ ବିଧାନସଭା ନିର୍ବାଚନ ଫଳାଫଳ ସହ। ଭାଜପା ନେତୃତ୍ଵ ସ୍ପଷ୍ଟ କରିଦେଇଛି ଯେ, ଆସନ୍ତା ବିଧାନସଭା ନିର୍ବାଚନ ସମୀର ମହାନ୍ତିଙ୍କ ନେତୃତ୍ଵରେ ଲଢ଼ିବ ଭାଜପା। କିନ୍ତୁ ସମସ୍ୟା ହେଉଛି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବାଦ୍ଵାରା ଦଳ କ୍ଷମତାକୁ ଫେରିପାରିବ କି ? ଆସନ୍ତା ନିର୍ବାଚନ ଭାଜପା ପାଇଁ ଏକ ଅଗ୍ନି ପରୀକ୍ଷା ହେବାକୁ ଯାଉଛି। ଇଂରାଜୀରେ କୁହାଯାଏ ଏସିଡ୍ ଟେଷ୍ଟ। ସୁନାକୁ ଖାଦମୁକ୍ତ କରିବା ସକାଶେ ଏସିଡ ବ୍ୟବହାର କରାଯାଇଥାଏ। ସେଥିପାଇଁ ଚମକ ଏବଂ ଗୁଣବତ୍ତା ପରୀକ୍ଷା ନିମନ୍ତେ ସୁନାର ଏସିଡ ଟେଷ୍ଟ କରାଯାଇଥାଏ।

ଓଡ଼ିଆରେ କୁହାଯାଏ ଅଗ୍ନି ପରୀକ୍ଷା । ତ୍ରେତୟା ଯୁଗରେ ମା’ ସୀତା ଅଗ୍ନି ପରୀକ୍ଷା ଦେଇ ସୁଦ୍ଧତା ପ୍ରତିପାଦନ କରିଥିଲେ। ଏବେ ଭାରତୀୟ ଜନତା ପାର୍ଟିକୁ ସୁଦ୍ଧତାର ପରିଚୟ ଦେବାକୁ ପଡ଼ିବ। ତାହା ଏସିଡ ଟେଷ୍ଟ ହେଉ କିମ୍ବା ଅଗ୍ନି ପରୀକ୍ଷା। । ଭାଜପା ଦେଶର ୧୬୦ଟି ଆସନକୁ ଫୋକସ କରିବାକୁ ଯାଉଛି ଆସନ୍ତା ନିର୍ବାଚନରେ । ଏହି ୧୬୦ଟି ଆସନ ସ୍ଥିର କରିବ ମୋଦୀ ସରକାର ରହିବେ ନା ଯିବେ। ୧୬୦ ଆସନର ଫଳାଫଳ ମୋଦୀ ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ଏହା ଭିତରେ ଓଡ଼ିଶାର କେତୋଟି ଆସନ ଅଛି, ତାହା ଜଣାପଡ଼ି ନାହିଁ । କିନ୍ତୁ ଅଧିକାଂଶ ଜିଲ୍ଲାରେ ଭାଜପାର ସ୍ଥିତି ଅତ୍ୟନ୍ତ ଦୁର୍ବଳ। ବିଶେଷତଃ ଉପକୂଳ ଜିଲାରେ। ଯଦିଓ ଧାମନଗର ଉପନିର୍ବାଚନ ଜିଣି ଆଶା ସଂଚାର କରିଥିଲା ଭାଜପା, ତେବେ ପଦ୍ମପୁର ଉପନିର୍ବାଚନ ଫଳ ଭାଜପାକୁ ହତାଶ କରିଛି। ସମୀର ମହାନ୍ତିଙ୍କ ନେତୃତ୍ବରେ ଗତ ୩ ବର୍ଷ ଭିତରେ କୌଣସି ଅଦୃଶିଆ ସଫଳତା ହାସଲ କରି ନାହିଁ ଭାଜପା। କେବଳ ଧାମନଗର ହେଉଛି ଏକ ବ୍ୟତିକ୍ରମ । 

କିନ୍ତୁ ବାଲେଶ୍ବର ସଦର ଆସନଟି ହାତଛଡ଼ା କରିଛି ଭାଜପା। ଏହାଛଡ଼ା ପୌର ଓ ପଞ୍ଚାୟତ ନିର୍ବାଚନରେ ଭାଜପାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ । ଆସନ୍ତା ନିର୍ବାଚନରେ ଭାଜପା ଏକ ଶକ୍ତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ନିଶ୍ଚିତ । ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସ୍ତ୍ର । କିନ୍ତୁ ସେ ଲୋକ ସଭା ଆସନରୁ ଭାଜପାର ମୁଖ୍ୟ ଢେଙ୍କାନାଳ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଏହି କାରଣରୁ ସେ ବିଧାନସଭା ନିର୍ବାଚନ ପାଇଁ ପୂର୍ବ ଭଳି ଭୂମିକା ନିର୍ବାହ କରିପାରିବେ କି ନାହିଁ ସେଥିରେ ଘୋର ସନ୍ଦେହ ଅଛି । ତାଙ୍କୁ ଢେଙ୍କାନାଳରେ ବାନ୍ଧି ହେବାକୁ ପଡ଼ିବ। ସଭାପତି ସମୀର ମହାନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସହ ଆଦୌ ତୁଳନୀୟ ନୁହନ୍ତି। ଯେତେବେଳେ ତୁଳନାର ପ୍ରଶ୍ନ ଆସିବ, ସେତେବେଳେ ଏକ ବିରାଟ ଅନ୍ତର ଲୋକଙ୍କ ସାମ୍ନାକୁ ଆସିବ।

ତା’ଛଡ଼ା ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାହା ଚୂଡ଼ାନ୍ତ ନୁହେଁ । ହାଇକମାଣ୍ଡ ପରବର୍ତ୍ତୀ କାଳରେ ମୁଖ୍ୟମନ୍ତ୍ରୀ କାର୍ଡ଼ ଖୋଲିପାରନ୍ତି । କିନ୍ତୁ ବର୍ତ୍ତମାନ ଅବସ୍ଥାରେ ବିଜଦ ସେ ଦୃଷ୍ଟିରୁ ସୁବିଧାଜନକ ସ୍ଥିତିରେ ଅଛି। ସମୀର ମହାନ୍ତି ନବୀନ ସରକାରଙ୍କ ବିରୋଧରେ ଗତ ୩ ବର୍ଷ ଭିତରେ କୌଣସି ବଡ଼ଧରଣର ଆନ୍ଦୋଳନ ଆରମ୍ଭ କରିପାରି ନାହାନ୍ତି । ତାଙ୍କ ଓ ଦଳ ପଛରେ ଯେଉଁ ଗୋଡ଼ାଣିଆ ଷ୍ଟାମ୍ପ ଲାଗିଛି, ସେଥିରୁ ସଭାପତି ଭାବେ ସମୀର ମହାନ୍ତି ଦଳକୁ ବାହାର କରିପାରିବେ କି ନାହିଁ, ସେନେଇ ଘୋର ସନ୍ଦେହ ଅଛି । ମୋଟାମୋଟି ଭାବେ ଧର୍ମେନ୍ଦ୍ର ମଧ୍ୟ ସମୀରଙ୍କ ପରି ଏସିଡ୍ ଟେଷ୍ଟ ବା ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେବେ । କିନ୍ତୁ ବାଜି ଲାଗିଛି ଭାରତୀୟ ଜନତା ପାର୍ଟିର । ଯଦି ଷଷ୍ଠ ଥର ପାଇଁ ବିଜଦ ସରକାର ଗଢି଼ବାରେ ସକ୍ଷମ ହୁଏ, ତେବେ ଓଡ଼ିଶାରେ ଧର୍ମେନ୍ଦ୍ରଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯିବ। ହାତରେ ଆଉ ବେଶୀ ଦିନ ନାହିଁ । ଭାଜପା ସହ ଧର୍ମେନ୍ଦ୍ର ଓ ସମୀର ଅଗ୍ନି ପରୀକ୍ଷାରୁ ସଫଳତାର ସହ ଉତ୍ତୀର୍ଥ ହୋଇପାରିବେ କି ନାହିଁ ସେ ଉତ୍ତର ପାଇବା ନିମନ୍ତେ ଆମକୁ ଆହୁରି ପ୍ରାୟ ବର୍ଷେ କାଳ ଅପେକ୍ଷା କରିବାକୁ ପଡ଼ିବ ।

Share this story