କୁଆଡେ ଯିବେ ରମା ? ଦଳର ହେବେ ନାଁ ପୁଅ ଖୁସି ପାଇଁ ଚୁପ ରହିବେ ?
ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ । ଏହାକୁ ନେଇ ସମସ୍ତ ଦଳ ଭିତରେ ଆରମ୍ଭ ହୋଇଯାଇଛି ରେସ। କିଏ ପ୍ରାର୍ଥୀ ହେବ, ତାକୁ ନେଇ କର୍ମୀଙ୍କ ମଧ୍ୟରେ ବାରି ହୋଇପଡୁଛି ଉତ୍କଣ୍ଠା । ତେବେ ଏହାରି ଭିତରେ ବିଜେପି ନେତା ରମା ରଞ୍ଜନ ବଳିଆରସିଂ ଙ୍କୁ ନେଇ ଭାରି ଚର୍ଚ୍ଚା ।
ଆପଣଙ୍କୁ ଲାଗୁଥିବ ହଠାତ ସତ୍ୟବାଦୀ ନେତାଙ୍କର ପଦ୍ମପୁର ଉପନିର୍ବାଚନରେ କି କାମ ପଡିଲା ? ହଁ ଆଜ୍ଞା ରମାଙ୍କୁ ନେଇ ଏବେ ରାଜନୀତି ସରଗରମ । କାରଣ ରମା କୁଆଡେ ନିଜ ବୋହୂକୁ ବିଜେଡି ଟିକେଟ ଦେବାକୁ ଲାଗିପଡିଛନ୍ତି । ତଥାପି ଅଡ଼ୁଆ କଥାକୁ ଆଉ ଟିକେ ସରଳ କରିଦଉଛୁ । ରମାରଞ୍ଜନଙ୍କ ପୁଅକୁ ପ୍ରେମ ବିବାହ କରିଛନ୍ତି ଦିବଙ୍ଗତ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା । ବହୁ ଝଡଝଞ୍ଜା, ଜାତି ଗତ ବୈଷମ୍ୟତା ଭିତରେ ଦୁହେଁ ଦୁହିଁଙ୍କୁ ବିବାହ କରିଛନ୍ତି । ଭଲ କଥା । କିନ୍ତୁ ବିଜୟ ଙ୍କ ଦେହାନ୍ତ ପରେ ରମାଙ୍କ ପରିବାରରେ ଆସିଛି ରାଜନୈତିକ ଝଡ଼ । କାରଣ ଏହି ଶ୍ବଶୁର ବୋହୁ ଲିଙ୍କରୁ ଧାମନଗର ରେ ବିଜେଡି ହାରିଥିବା ଚର୍ଚ୍ଚା ମଧ୍ୟ ଜୋର ଧରିଛି ।
ଘର ର ହେବେ ନାଁ ଦଳର ହେବେ ରମା ? ଯଦି ବିଜୟଙ୍କ ପରିବାରରୁ କେହି ବିଜେଡି ପ୍ରାର୍ଥୀ ହେଉଛନ୍ତି ତେବେ ରମା ବିଜେପି ପାଇଁ ପ୍ରଚାର କୁ ଯିବେନି । ଏଭଳି ଖୋଲାଖୋଲି ପଦ୍ମ ଦଳର ପାୱାର୍ କରିଡରରେ ସୂଚନା ଦେଇଛନ୍ତି ରମା । କେବଳ ସେତିକି ନୁହେଁ, ବିଜେଡିରୁ କେମିତି ବୋହୂକୁ ଟିକେଟ ମିଳିପାରିବ ସେ ନେଇ ଲବି ମଧ୍ୟ ଚଳାଇଛନ୍ତି । ହେଲେ ବିଜେଡିର ସୁପର ପାୱାରଙ୍କୁ ବିରାପ୍ପାନ କହିଥିବା ରମା ଯେ ବ୍ୟାଡ ବୁକରେ ଅଛନ୍ତି, ତାହା ସମସ୍ତଙ୍କୁ ଜଣା । ରମାଙ୍କ ଏଭଳି ଅବସ୍ଥା ଦେଖି ବିରୋଧୀ ବି ନଖ ଘଷିବାରେ ଲାଗି ପଡିଛନ୍ତି । ତେବେ ଦେଖିବାକୁ ବାକି ରହିଲା, ଶେଷରେ କେଉଁ ପାଣି କେଉଁ ଆଡକୁ ଯାଉଛି ।