ବିଜେଡିରୁ ତଡା ଖାଇଲେ ରାଜୁ ଦାସ

raju das

ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହୋଇଛନ୍ତି ରାଜୁ ଦାସ । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଦଳରୁ ବାହାର କରାଯାଇଛି । ଚଳିତ ଧାମନଗର ଉପ-ନିର୍ବାଚନରେ ଦଳୀୟ ଟିକେଟ ନ ମିଳିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ରାଜୁ ଦାସ । ଦଳର ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ଏହାକୁ ଦଳବିରୋଧୀ କାର୍ଯ୍ୟ ଭାବେ ଗ୍ରହଣ କରାଯାଇଛି । ଆଉ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜୁଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

ବିଜେଡିରୁ ବହିଷ୍କୃତ ହେବା ପରେ ରାଜେନ୍ଦ୍ର ଦାସ କହିଛନ୍ତି, ସଭାପତିଙ୍କ ନିଷ୍ପତ୍ତିକୁ ମୁଣ୍ଡ ପାତି ସହୁଛି ଓ ସ୍ୱାଗତ କରୁଛି। ଆମେ ଲୋକଙ୍କ ସହ ଅଛୁ। କାର୍ଯ୍ୟାନୁଷ୍ଠାନ ବଡ଼ କଥା ନୁହେଁ। ଲୋକଙ୍କ ସେବା କରିବା ପାଇଁ ରାଜନୀତି କରୁଛି। ଧାମନଗରବାସୀଙ୍କ ସ୍ୱାଭିମାନ ରକ୍ଷା ପାଇଁ ସଂଗ୍ରାମ ଜାରି ରହିବ। ମୋ ପଛରେ ଧାମନଗରବାସୀଙ୍କ ସମର୍ଥନ ରହିଛି ଓ ମୁଁ ନିଶ୍ଚୟ ବିଜୟୀ ହେବି।
ରାଜେନ୍ଦ୍ର ଦାସ ୨୦୦୯ରୁ ୨୦୧୪ ଯାଏଁ ଧାମନଗର ଆସନରୁ ବିଜେଡିର ବିଧାୟକ ରହିଥିବା ବେଳେ ୨୦୧୪ରେ ଟିକେଟ ପାଇନଥିଲେ । ୨୦୧୯ରେ ପୁଣିଥରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ନିର୍ବାଚନୀ ମୈଦାନରେ ମାତ୍ ଖାଇଥିଲେ ରାଜେନ୍ଦ୍ର ଦାସ । 

ପରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡିଥିବା ଧାମନଗର ଆସନରେ ଉପ-ନିର୍ବାଚନ ପାଇଁ ବାଜିଥିଲା ବିଗୁଲା । ଆଉ ସେତେବେଳେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ରାଜୁ । କିନ୍ତୁ ଦଳ ରାଜୁଙ୍କ ବଦଳରେ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା । ଏପରିକି ଅବନ୍ତୀଙ୍କୁ ସହଯୋଗ କରିବାକୁ ମଧ୍ୟ ରାଜୁ ଗଣମାଧ୍ୟମ ସାମ୍ନାରେ କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିଜ ଆଭିମୁଖ୍ୟ ବଦଳାଇ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ଯାହାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦଳବିରୋଧୀ କାର୍ଯ୍ୟ ପାଇଁ ରାଜୁଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି ଦଳର ମୁଖ୍ୟ ନବୀନ ପଟ୍ଟନାୟକ ।

Share this story