ପାରୁ ନାହାନ୍ତି ବିଜୟ : ରାଜଶ୍ରୀ ଏବେ ତିର୍ତ୍ତୋଲ ମୁହାଁ

rajashree

ତିର୍ତ୍ତୋଲ ଅଞ୍ଚଳର ପୂର୍ବତନ ବିଧାୟିକା ତଥା ଡ଼ାକ୍ତରାଣୀ ସାଂସଦ ରାଜଶ୍ରୀ ମଲ୍ଲିକ ପୁଣି କୁଆଡ଼େ ତିର୍ତ୍ତୋଲ ମୁହାଁ । ଏ କଥାରେ କେତେ ସତ ଅଛି ଆମକୁ ଜଣାନାହିଁ, ତଥାପି ଇବ୍ରିସିଂରୁ ପଛବାଟେ ବାଲିକୁଦା ଭାୟା ଜଗତସିଂହପୁର ପର୍ଯ୍ୟନ୍ତ ଏହି ଖବର ଖରାଦିନିଆ ଜଙ୍ଗଲ ନିଆଁ ପରି ବ୍ୟାପି ଚାଲିଛି। ଅକସ୍ମାତ ରାଜନୀତିରେ ପ୍ରବେଶ କରି ବିଧାୟିକା ଓ ପରେ ପରେ ସାଂସଦ ହୋଇଥିବା ରାଜଶ୍ରୀ ଏବେ ରାଜନୀତି ପଶାପାଲିର ଧୂରନ୍ଧର ଖେଳାଳି । ଜାତୀୟ ରାଜନୀତିରୁ ରାଜ୍ୟ ରାଜନୀତିକୁ ଫେରିବାକୁ ଆଗ୍ରହୀ ରାଜଶ୍ରୀଙ୍କ ପାଇଁ ବିଷ୍ଣୁ ତନୟ ବିଜୟଙ୍କ କାର୍ଯ୍ୟକଳାପ ଏବେ ଆଶୀର୍ବାଦ ହେବ ବୋଲି ଭାରି ଆଲୋଚନା ହେଉଛି। 

ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ଢ଼େର ଢେର ଟାଣୁଆ ନେତାଙ୍କୁ ବିଧାନସଭା ପଠାଇଛି । ଯେଉଁମାନେ ଖାଲି ଜଗତସିଂହପୁର ଜିଲ୍ଲା କାହିଁକି, ସାରା ରାଜ୍ୟରେ ପ୍ରଭାବ ବିସ୍ତାର କରିଛନ୍ତି । ନିଶାମଣି ଖୁଣ୍ଟିଆ, ପ୍ରତାପ ମହାନ୍ତି, ବସନ୍ତ ବିଶ୍ବାଳ, ନିତ୍ୟାନନ୍ଦ ସାମନ୍ତରାୟ, ଦେବାଶିଷ ସାମନ୍ତରାୟ, ଚିରଞ୍ଜିବ ବିଶ୍ବାଳ, ବିଷ୍ଣୁ ଦାସ ବିଭିନ୍ନ ସମୟରେ ତିର୍ତ୍ତୋଲ ବିଧାନସଭାର ପ୍ରତିନିଧ୍ୱ କରିଛନ୍ତି । ରାଜଶ୍ରୀ ମଲ୍ଲିକ ଗୋଟିଏ ଥର ବିଧାୟିକା ହୋଇଥିଲେ ହେଁ କିଛିଟା ପ୍ରଭାବ ନିଜ ଅଞ୍ଚଳରେ ଛାଡ଼ି ଯାଇଛନ୍ତି । 

ମାତ୍ର ବିଷ୍ଣୁଙ୍କ ପରଲୋକ ପରେ ଶଙ୍ଖ ପତିଙ୍କ ଆଶୀର୍ବାଦରେ ବିଧାୟକ ବିଜୟ ଶଙ୍କର ତିର୍ତ୍ତୋଲ ଅଞ୍ଚଳରେ ନିଜର ସଙ୍ଗଠନ ଗଢ଼ିବାରେ ସମର୍ଥ ହେବା ତ ଦୂରର କଥା; ପୁରୁଣା ସଙ୍ଗଠନକୁ ରଖିବାକୁ କୁଆଡ଼େ ସମର୍ଥ ହୋଇପାରି ନାହାନ୍ତି। ସେଥିପାଇଁ କର୍ମୀଙ୍କ ଠାରୁ କର୍ମକର୍ତ୍ତାଙ୍କ ପର୍ଯ୍ୟନ୍ତ ଅଧିକାଂଶ ରାଜଶ୍ରୀଙ୍କ ଶିବିର ମୁହାଁ । ଏହି ସ୍ଥିତିରେ ବିଜୟଙ୍କ ଭବିଷ୍ୟତ କ'ଣ ହେବ ତାହା କେବଳ ଈଶ୍ୱର ଜାଣନ୍ତି ।

Share this story