ମାମଲତକାରୀ କରିପାରିବେନି ସରପଞ୍ଚଙ୍କ ସ୍ୱାମୀ
ସରିଗଲା ସ୍ତ୍ରୀଙ୍କ ପୋଜିସନ ଭୋଗ କରିବା । ମାମଲତକାରି କରିପାରିବେନି ସରପଞ୍ଚଙ୍କ ସ୍ୱାମୀ । କ୍ଷମତା ତୁଲାଇବେ ନିର୍ବାଚିତ ମହିଳା ପ୍ରତିନିଧି । ମହିଳା ସଶକ୍ତିକରଣ ଉପରେ ପଞ୍ଜାବ ସରକାରଙ୍କ ବଡ଼ ନିଷ୍ପତ୍ତି । ଘଟଣା ସାମ୍ନାକୁ ଆସିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ସମାନ ଅଧିକାର ଦେବାପାଇଁ ଭାରତ ଓ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ କରୁଛନ୍ତି । କିନ୍ତୁ ଅସଲରେ ଏହା କେତେ ମାତ୍ରାରେ ପ୍ରତିଫଳିତ ହେଉଛି ତାହା ସମସ୍ତଙ୍କୁ ଜଣା । କୌଣସି ମହିଳା ଯେବେ ସରପଞ୍ଚ ଭାବେ ନିର୍ବାଚିତ ହେଉଛନ୍ତି ଏହାକୁ ଏକ ସୁଯୋଗ ଭାବେ ବାଛି ନେଉଛନ୍ତି ତାଙ୍କ ସ୍ୱାମୀ କିମ୍ୱା ପୁରୁଷ ସମ୍ପର୍କୟ । ମହିଳାଙ୍କୁ ପଛକୁ ଠେଲି ଦେଇ ନିଜେ ସବୁ ଦାୟିତ୍ୱ ବୁଝିବା ସହ ବିଭିନ୍ନ ସରକାରୀ ବୈଠକରେ ମଧ୍ୟ ନିଜେ ଯୋଗ ଦେଉଛନ୍ତି ।
ଯାହା ସରକାରଙ୍କ ମହିଳା ସଶକ୍ତିକରଣ ଉଦ୍ୟମକୁ ଭଙ୍ଗ କରିଚାଲିଛି । ଏଇ କିଛି ମାସତଳେ ରିଲିଜ ହୋଇଥିବା ପଞ୍ଚାୟତ ୱେବସିରିଜ ରେ ଏହାକୁ ଅତି ନିର୍ପୁଣତାର ସହ ଦର୍ଶାଯାଇଛି । ଏଥିରେ ୟୁପିର ଗୋଟିଏ ଗାଁର ପ୍ରଧାନ ଜଣେ ମହିଳା ହୋଇଥିବା ବେଳେ ତାଙ୍କ ସ୍ୱାମୀ ସରପଞ୍ଚଙ୍କ ସମସ୍ତ ଦାୟିତ୍ୱ ତୁଲାଉଥିବା ଦେଖିବାକୁ ମିଳିଥିଲା । ତେବେ ଏଭଳି ଘଟଣାକୁ ନେଇ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପଞ୍ଜାବ ସରକାର । ରାଜ୍ୟରେ ଅନେକ ଉଦାହରଣ ଦେଇ ଆଗକୁ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ବୈଠକରେ ଖୋଦ ମହିଳା ସରପଞ୍ଚମାନେ ଅଂଶ ଗ୍ରହଣ କରିବାକୁ ତାଗିତ କରିଛନ୍ତି । ଆଗକୁ କୌଣସି ବି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମହିଳାଙ୍କ ପୁରୁଷ ସଂପର୍କୀୟଙ୍କ ସାମିଲ ହେବା ଉପରେ ମଧ୍ୟ ରୋକ ଲଗାଇବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବର ପଞ୍ଚାୟତିରାଜ ମନ୍ତ୍ରୀ ।
ତେବେ ଆଗକୁ ଯଦି ଏଭଳି ଘଟଣାମାନ ଜାରି ରୁହେ ତେବେ ମହିଳାଙ୍କୁ ମିଳୁଥିବା ସଂରକ୍ଷଣର କିଛି ମାନେ ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବରୁ କଂଗ୍ରେସ ସରକାର ଅମଳରେ ପଞ୍ଜାବରେ ମହିଳା ସଂରକ୍ଷଣକୁ ୫୦% କୁ ବୃଦ୍ଧି କରିଦିଆଯାଇଥିଲା । ହେଲେ ଏବେ ବି ପାଖାପାଖି ୮୦% ମହିଳାଙ୍କ କ୍ଷେତ୍ରରେ ତାଙ୍କ ପୁରୁଷ ସମ୍ପର୍କୀୟମାନେ ପ୍ରତିନିଧିତ୍ବ କରୁଛନ୍ତି । ଏବଂ ମହିଳାମାନଙ୍କୁ ଘରେ ରହିବାକୁ ପଡୁଛି । ଯାହାକୁ ନଜରରେ ରଖି କିଛି ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର ।