ବୟସ୍କଙ୍କ ପୁତ୍ର ଚିନ୍ତା : ପୁଅଙ୍କ ପାଇଁ ଆରମ୍ଭ ହେଇଗଲାଣି ଲବି

ନିର୍ବାଚନ ୨୦୨୪ରେ ହେଉ କି ୨୦୨୩, ମଇଦାନରୁ ବାଦ୍ ପଡ଼ିଯିବେ ଅନେକ ଭେଟେରାନ ନେତା। ବୟସାଧିକ କାରଣରୁ ପ୍ରାୟ ୧୫ରୁ ଅଧିକ ବିଧାୟକ ଆଗାମୀ ନିର୍ବାଚନ ଲଢ଼ିବା ନେଇ ସନ୍ଦେହ ରହିଛି। ଶାରୀରିକ ଫିଟ୍ନେସ୍ ସହ ହାଇଟେକ୍ ଯୁଗରେ ଧିମା ପଡ଼ି ଯାଇଥିବା ବୟସ୍କ ନେତା ଦଳୀୟ ଟିକଟରୁ ବଞ୍ଚିତ ହେବା ନେଇ ଚର୍ଚ୍ଚା ହେଉଛି। ଏହାର ଆଭାସ ପାଇ କେତେକ ନେତା ଏବେଠାରୁ ନିଜ ସନ୍ତାନ କିମ୍ବା ସମ୍ପର୍କୀୟଙ୍କ ପାଇଁ ମଇଦାନ ପ୍ରସ୍ତୁତିରେ ଲାଗି ପଡ଼ିଲେଣି । କିଏ ପୁଅ, ଝିଅଙ୍କ ମୁଣ୍ଡରେ ମୁକୁଟ ବାନ୍ଧିବାକୁ ପ୍ରସ୍ତୁତି ଚଳାଇଛନ୍ତି ତ କିଏ ନିଜ ପୁତ୍ର ବଧୂ, ସମ୍ପର୍କୀୟ ଓ ଅନୁଗତଙ୍କ ପାଇଁ ଲବି ଆରମ୍ଭ କଲେଣି। ଆଗାମୀ ନିର୍ବାଚନ ଜିତିବାକୁ ତିନି ଦଳ କମର କଷିଛନ୍ତି। ବିଜୟ ରଣନୀତିରେ ସବୁ ଦଳ ଜୋର୍ ଦେଉଛନ୍ତି, ଯୁବ ପ୍ରାର୍ଥୀତ୍ବ ଉପରେ। ପ୍ରାର୍ଥୀ ଏମିତି ହୋଇଥିବ, ଯେମିତି ୨୪x୭ ଘୋଡ଼ା ଭଳି ଦୌଡ଼ି ପାରୁଥିବ। ରାତି ଅଧ ହେଉ କି ପାହାନ୍ତିଆ, ବର୍ଷା କି ଖରା, ସବୁବେଳେ ଲୋକଙ୍କ ପାଖରେ ପହଞ୍ଚି ପାରୁଥିବା ପ୍ରାର୍ଥୀ ଖୋଜୁଛନ୍ତି ଦଳ। ଖାଲି ଫିଟ୍ନେସ୍ ନୁହେଁ ପ୍ରାର୍ଥୀ ହାଇଟେକ୍ ହେବା ବି ଜରୁରୀ। ସୋସିଆଲ ମିଡିଆ ଯୁଗରେ ହ୍ୱାଟସଆପ୍, ଟ୍ଵିଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ଇ-ମେଲ୍ ରେ ଦିନରାତି ସକ୍ରିୟତାକୁ ମଧ୍ୟ ସବୁ ଦଳ ଗୁରୁତ୍ବ ଦେଉଛନ୍ତି।
ଏସବୁ ମାପକାଠି ଏବେ ବହୁ ବରିଷ୍ଠ ନେତାଙ୍କ ଚିନ୍ତା ବଢ଼ାଇ ସାରିଲାଣି । ବୟସାଧିକ କାରଣରୁ ଅନେକ ନେତା ପୂର୍ବଭଳି ଆଉ ସକ୍ରିୟ ହୋଇ ପାରୁନାହାନ୍ତି । ଚାହିଁଲେ ବି ଶରୀର ପୂର୍ବଭଳି ସାଥ ଦେଉନି । ଏ ତାଲିକାରେ ଶାସକ ଦଳର ପ୍ରାୟ ୧୫ରୁ ଅଧିକ ବିଧାୟକ ଅଛନ୍ତି । ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଅନନ୍ତ ଦାସଙ୍କ ବୟସ ଏବେ ୮୦ ପାର କରିଗଲାଣି । ପଞ୍ଚାୟତ ନିର୍ବାଚନରେ ଅନନ୍ତଙ୍କ ପୁଅ ସମିତିସଭ୍ୟ ପଦବୀ ପାଇଁ ଲଢ଼ି ହାରିବା ପରଠାରୁ ଭୋଗରାଇ ନିର୍ବାଚନମଣ୍ଡଳୀରେ ଦଳ ବିକଳ୍ପ ଖୋଜିବା ଆରମ୍ଭ କରିଛି । ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିଶ୍ରଙ୍କ ବୟସ ୭୦ ପାର କରିଥିବାବେଳେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ବୟସ ବି ୭୩ ଛୁଇଁଲାଣି । ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଭାରତ ସ୍ୱାଧୀନତା ପାଇବା ଦିନ ହିଁ ଜନ୍ମ ହୋଇଥିଲେ । ତାଙ୍କୁ ଏବେ ୭୫ ଶ୍ରୀ ସାମଲଙ୍କ ବଦଳରେ ଆଗାମୀ ନିର୍ବାଚନରେ ତାଙ୍କ ପୁଅ ଭଣ୍ଡାରିପୋଖରୀରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି।
କାମାକ୍ଷାନଗର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୟସ ବି ୭୫ ଛୁଇଁଲାଣି । ତାଙ୍କ ପାଇଁ ବି ବାଧକ ହୋଇପାରେ ବୟସର ମାପକାଠି। ହେଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ପରିବାରରୁ କିମ୍ବା ଅନ୍ୟ କେହି ଏଯାଏଁ ଏହି ଆସନ ପାଇଁ ଦାବିଦାରୀ ରଖିନାହାନ୍ତି। ତେଣୁ ପ୍ରଫୁଲ୍ଲ ପୁଣି ନିର୍ବାଚନ ଲଢ଼ିବେ ନା ତାଙ୍କ ସ୍ଥାନରେ ଆଉ କିଏ ଓହ୍ଲାଇବେ, ତାହା ଅସ୍ପଷ୍ଟ ରହିଛି । ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ମଧ୍ୟ ବୟସାଧିକ କାରଣରୁ ବିଶେଷ ସକ୍ରିୟ ରହୁନାହାନ୍ତି । ସେ ଆଗାମୀ ନିର୍ବାଚନ ଲଢ଼ିବା ସମ୍ଭାବନା କମ୍ । ଏହି ଆସନ ଉପରେ ତାଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ଏବଂ ଝିଅ ମଧୁମିତା ଅଗ୍ରୱାଳଙ୍କ ନଜର ରହିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୁଏ। ଏହାବାଦ୍ ମଧ୍ୟ ମାଳମାଳ ନେତା ଓ କିଛି ବଡ଼ ନେତାଙ୍କ ସମ୍ପର୍କୀୟ ମଧ୍ୟ ଏହି ଆସନ ପାଇଁ ବିଜେଡି ଟିକଟ ଆଶାୟୀ ଅଛନ୍ତି ।
ମନ୍ତ୍ରୀ ଉଷା ଦେବୀ, ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବିଧାୟକ ଡ଼ ନୃସିଂହ ଚରଣ ସାହୁ ପ୍ରମୁଖଙ୍କ ପାଇଁ ବି ବୟସ ବାଧକ ହୋଇପାରେ । ଏ ସମସ୍ତ ନେତାଙ୍କ ବୟସ ୭୦ ପାର କରିଯାଇଛି । ହେଭିୱେଟ ସୂର୍ଯ୍ୟ ଓ ବଦ୍ରିଙ୍କ ସ୍ଥାନରେ ତାଙ୍କ ପୁଅ ରାଜନୀତି ମଇଦାନକୁ ପ୍ରବେଶ କରିବେ ବୋଲି କୁହାଯାଉଛି । ବିଧାୟକ ନୃସିଂହଙ୍କ ପୁଅ ମଧ୍ୟ ପ୍ରସ୍ତୁତ ହେଉଥିବା ଶୁଣାଯାଏ । ଏହାବାଦ୍ ଆହୁରି ୧୦ରୁ ୧୨ ଜଣ ବୟସ୍କ ବିଧାୟକ ଅଛନ୍ତି ବିଜେଡିରେ । ପରାଜୟର ସମ୍ମୁଖୀନ ହୋଇଥିବା କିଛି ବୟସଙ୍କ ପର ବି କଟିପାରେ । ଏକଥା ନୁହେଁ ଯେ ସମସ୍ତ ବୟସ୍କଙ୍କ ଟିକଟ କାଟିଦେବ ବିଜେଡି, ଯେଉଁମାନେ ଏବେ ବି ସାଂଗଠନିକ କର୍ଯ୍ୟକଳାପ ଓ ନିଜ ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟରେ ବେଶ୍ ସକ୍ରିୟ ଅଛନ୍ତି, ଦଳ ସେମାନଙ୍କୁ ଅଣଦେଖା କରିବନି ।
ବିଜେପିରେ ବୟସ୍କ ବିଧାୟକଙ୍କ ସଂଖ୍ୟା ବିଶେଷ ନଥିବାବେଳେ ସ୍ଵାସ୍ଥ୍ୟଗତ କାରଣରୁ ଜଣେ ଦୁଇଜଣ ବିଧାୟକ ଆଗାମୀ ନିର୍ବାଚନ ଲଢ଼ି ନପାରନ୍ତି । କଂଗ୍ରେସର ଦୁଇ ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଓ ସୁରେଶ କୁମାର ରାଉତରାୟ ଏବେ ବି ବେଶ୍ ସକ୍ରିୟ ଅଛନ୍ତି ରାଜନୈତିକ କାର୍ଯ୍ୟରେ। ବିଧାନସଭାରୁ ନେଇ ନିର୍ବାଚନମଣ୍ଡଳୀ ପର୍ଯ୍ୟନ୍ତ ଉଭୟ ବେଶ୍ ସକ୍ରିୟ। ତଥାପି ଆଗାମୀ ନିର୍ବାଚନରେ ଉଭୟଙ୍କ ପୁଅ ତାଙ୍କ ଆସନରେ ନିର୍ବାଚନ ଲଢ଼ିପାରଥି ବୋଲି ବିଭିନ୍ନ ସମୟରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଏକଥା ନୁହେଁ ଯେ କେବଳ ବିଧାୟକ, ମନ୍ତ୍ରୀଙ୍କ ପାଇଁ ବୟସ ବଡ଼ ମାପକାଠି । ଯେଉଁମାନେ ଗତ ନିର୍ବାଚନ ଲଢ଼ି ହାରିଥିଲେ, ସେମାନଙ୍କ ପାଇଁ ବି ବୟସ ବଡ଼ ବାଧକ ହୋଇପାରେ । ଗତ ନିର୍ବାଚନ ଲଢ଼ି ହାରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଯେଉଁମାନଙ୍କର ବୟସ ୭୦ ପାର କରିଛି କିମ୍ବା ବାନ୍ଧିକ୍ୟ ବଧିକ ହେଲାଣି, ସେମାନେ ଏଥର ଟିକଟ ଦୌଡ଼ରୁ ବାଦ୍ ପଡ଼ିବା ସମ୍ଭାବନା ଅଧିକ।