ହକି ପରେ ପରେ ପକ୍ଷଛେଦନ ଆରମ୍ଭ, କାହାପ୍ରତି ଅଛି ବେଶୀ ବିପଦ, ପଢନ୍ତୁ

ଆଉ ଖୁବ କମ ଦିନ ରହିଲା ସାଧାରଣ ନିର୍ବାଚନ । ଏନେଇ ଦଳ ଯେତିକି ଚିନ୍ତାରେ ନାହିଁ ତାଠାରୁ ଅଧିକ ଚିନ୍ତାରେ ଆଶାୟୀ ପ୍ରାର୍ଥୀ । ତେବେ ୨୦୧୯ ର ରାଜନୈତିକ ସମୀକରଣକୁ ଦେଖିବା ପରେ ଅନେକ କିଛି ସ୍ପଷ୍ଟ ହେଉଛି । ଅନେକ ସ୍ଥାନରେ ଖୁବ କମ ବ୍ୟବଧାନରେ ପ୍ରାର୍ଥୀ ବିଜୟୀ ହୋଇଥିଲେ ତେବେ ଏହି ଆସନ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗେମ ଚେଞ୍ଚର ହୋଇପାରେ । କିଛି ଆସନରେ ଅନେକ ଆଶାୟୀ ପ୍ରାଥୀ ଦଳ ବଦଳାଇପାରନ୍ତି । ସେହିପରି ଆଉ କିଛି ଆସନରେ ଦଳ ପ୍ରାର୍ଥୀ ବଦଳାଇପାରନ୍ତି । ତେବେ ଏହି ସବୁ ଆସନରେ କଣ ରହିବ ଫଳାଫଳ ।
୨୦୧୯ ନିର୍ବାଚନରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଚିରେ କଂଗ୍ରେସ – ବିଜେପି ଭିତରେ କଡା ଟକ୍କର ହୋଇଥିଲା । ୧୨୮ଟି ଭୋଟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ ହରାଇଥିଲେ । କଂଗ୍ରେସର ହେଭିୱେଟ୍ ସନ୍ତୋଷ ସିଂ ସାଲୁଜା । ବିଜେଡି ଭଲ ଭୋଟ ପାଇଥିଲେ ବି ତୃତୀୟ ସ୍ଥାନରେ ଥିଲା । ଏଥର ପୌର ନିର୍ବାଚନରେ କଂଗ୍ରେସର ବିଜୟ ସାଲୁଜାଙ୍କ ବଳ ବଢାଇଛି । ତଥାପି ଭୋଟର ସାମାନ୍ୟ ଏପାଖ ସେପାଖ ହେଲେ ୨୦୨୪ ନିର୍ବାଚନ ଫଳ ଓଲଟିପାରେ । ଦେଖିବାକୁ ଗଲେ ୨ରୁ ୩ଟି ବୁଥ୍ କିମ୍ବା ଗୋଟିଏ ପଂଚାୟତ ଭୋଟର ସାଲୁଜାଙ୍କ ଖେଳ ଓଲଟପାଲଟ କରିଦେଇ ପାରନ୍ତି । କେବଳ କଣ୍ଟା ବାଞ୍ଜି ନୁହେଁ ରାଜ୍ୟର ୬୦ଟି ବିଧାନସଭା ଆସନକୁ ନେଇ ଏମିତି କିଛି ଅଙ୍କ କଷୁଛନ୍ତି ସବୁ ରାଜନୈତିକ ଦଳ । ୨୦୧୯ରେ ୬୦ଟି ବିଧାନସଭା ଆସନରେ ହାରଜିତ ଭିତରେ ଥିଲା ୧୦ ହଜାରରୁ କମ ଭୋଟ ବ୍ୟବଧାନ । ୩ଟି ଆସନରେ ୧ ହଜାରରୁ କମ ବ୍ୟବଧାନରେ ହାରଜିତ ସ୍ଥିର ହୋଇଥିଲା । ୪ଟି ଏମିତି ଆସନ ରହିଛି, ଯେଉଁଠି ବିଜୟୀ ଓ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଭିତରେ ବ୍ୟବଧାନ ଥିଲା ୧ ହଜାରରୁ ୨ ହଜାର ଭୋଟ ।
୧୪ଟି ଆସନରେ ବିଜୟ ପରାଜୟର ବ୍ୟବଧାନ ଥିଲା ୨ ହଜାରରୁ ୫ ହଜାର ଭୋଟ । ପ୍ରାୟ ୩୯ଟି ଆସନରେ ୫ ହଜାରରୁ ୧୦ ହଜାର ଭୋଟ ବ୍ୟବଧାନ ଥିଲା । ଏବେ କଂଗ୍ରେସର ୯ ବିଧାୟକ ଥିବାବେଳେ ସେଥିରୁ ୮ ଜଣ ଖୁବ କମ ବ୍ୟବଧାନରେ ଜିତିଥିଲେ । ବିଜେପିର ୨୨ରୁ ୧୪ ଜଣ ବିଧାୟକ ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଥିଲେ । ବିଜେଡି ୩୭ଟି ଆସନରେ ବହୁ କଷ୍ଟରେ କଡା ଲଢେଇ କରି ଜିତିଥିଲା । ସେହିପରି ଅଳ୍ପଭୋଟ ବ୍ୟବଧାନରେ ରାୟଗଡାରୁ ମକରନ୍ଦ ମୁଦୁଲି ସ୍ୱାଧିନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ନିର୍ଦ୍ଦଳୀୟ ମକରନ୍ଦ ଏଯାଏଁ ବିଜେଡିରେ ମିଶିନଥିଲେ ମଧ୍ୟ ସରକାରଙ୍କ ସହଯୋଗୀ ଭୂମିକାରେ ଅଛନ୍ତି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ କଂଗ୍ରେସ ବିଜେଡି ଭିତରେ ହାରଜିତର ବ୍ୟବଧନ ଥିଲା ମାତ୍ର ୨୨୯ ଖଣ୍ଡ ଭୋଟ । ୨୦୧୯ରେ ବିଜେଡିର ପ୍ରଭୁ ଜାନି ବିଜୟଲାଭ କରିଥିଲେ । କିନ୍ତୁ କୈଳାଶ କୁଲେଶିକା ଏବେ ବିଜେଡିରେ । ତେଣୁ ଲକ୍ଷ୍ମୀପୁର ଆସନ ଏଥର ବିଜେଡି ହାତେଇନେବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପଟେ ଗତ ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଆଗାମୀ ନିର୍ବାଚନ ଫଳାଫଳ ଆକଳନ କରିବା କଷ୍ଟକର ।
କେବଳ ୯୪୬ଟି ଅଧିକ ଭୋଟରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ବାଜି ମାରିଥିଲେ କଂଗ୍ରେସର ସିଏସ ରାଜନ ଏକ୍କା । ନବାଗତ ଏକ୍କାଙ୍କ ଠାରୁ ହାତେଇଥିଲେ ନେତା ମଙ୍ଗଳା କିଷାନ । ଏଥର ଏହି ଆସନରେ ଉଭୟ କଂଗ୍ରେସ ଓ ବିଜେଡି ପୂରା ଦମ ଲଗାଇ ଦେଇଛନ୍ତି । ବିଜେପି ବି କମର କଷିଛି । ସେହିପରି ୨୦୧୯ରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗରେ ମାତ୍ର ୭୪୦ଟି ଭୋଟ ପାଇଁ ପଛରେ ପଡିଗଲେ ବିଜେପି ନେତା ବିଭୂତି ପ୍ରଧାନ । ହ୍ୟାଟ୍ରିକ ବିଜୟର ପତାକା ଉଡାଇଲେ ବିଜେଡିର ବରିଷ୍ଠ ନେତା ଡ. ନୃସିଂହ ସାହୁ ।
ପ୍ରାୟ ୨୦ରୁ ଅଧିକ ଚର୍ଚ୍ଚିତ ତଥା ପ୍ରଭାବଶାଳୀ ନେତା ଗତ ନିର୍ବାଚନରେ ସ୍ୱଳ୍ପ ଭୋଟ ବ୍ୟବଧାନରେ ଜିତିଥିଲେ । ବଲାଙ୍ଗିର ଆସନରୁ କଂଗ୍ରେସ ନେତା ନରସିଂହ ମିଶ୍ର ୫ ହଜାର ୩୪୧ ଭୋଟରେ ବିଜୟୀ ହୋଇଥିଲେ । ବଡଚଣାରୁ ବିଜେଡିର ଅମର ପ୍ରସାଦ ଶତପଥୀ ୧୪୮୫ ଭୋଟରେ ଓ ବିଜେପି ନେତା ଜୟନାରାୟଣ ମିଶ୍ର ସମ୍ବଲପୁରରୁ ୪ ହଜାର୩୮୦ ଭୋଟରେ ଜିତିଥିଲେ । ସେହିପରି କଂଗ୍ରେସର ମହମ୍ମଦ ମୋକିମ ବାରବାଟୀ କଟକରୁ ୩ ହଜାର୮୨୭ ଭୋଟରେ ଜିତିଥିଲେ । ତେବେ ଆଗକୁ ମୋକିମ କଂଗ୍ରେସ ଛାଡିବା ପରେ କଣ ରାଜନୈତିକ ସମୀକରଣ ରହୁଛି ତାହା ଦେଖିବାକୁ ବାକିରହିଲା । ସେହିପରି କଂଗ୍ରେସର ତାରାପ୍ରସାଦ ବାହିନୀ ପତି ମଧ୍ୟ ଗତ ନିର୍ବାଚନରେ ୫ ହଜାର ୪୫୧ ଭୋଟରେ ଜୟପୁରରେ ବିଜେଡିକୁ ହରାଇଥିଲେ ।
ଅନ୍ୟପଟେ ଗୋପାଳପୁରରୁ ଗତ ଥର ବିଜେଡି ଟିକେଟରେ ପ୍ରଦୀପ ପାଣିଗ୍ରାହୀ ମାତ୍ର ୨ହଜାର ୬୭୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ମାତ୍ର ଗୋପାଳପୁରରେ ସମୀକରଣ ଏବେ ବଦଳିଯାଇଛି । ପ୍ରଦୀପ ଆଉ ବିଜେଡିରେ ନାହାନ୍ତି । ସେ ଏକାକୀ ନିଜ ସଂଗଠନ ଧରି ବୁଲୁଛନ୍ତି । ଆଗକୁ ହୁଏତ ସେ ବିଜେପିକୁ ଯାଇପାରନ୍ତି । ଜଟଣୀରେ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ମଧ୍ୟ ସଂଘର୍ଷପୂଣ୍ଣ ର୍ ଲଢେଇରେ ୭ ହଜାର ୫୨୨ଟି ଭୋଟ ଅଧିକ ପାଇ ଜିତିଥିଲେ । ଏଥର ସୁରଙ୍କ ବଦଳରେ ତାଙ୍କ ସାନ ପୁଅ ମଇଦାନକୁ ଓହ୍ଲାଇପାରନ୍ତି । ଏ ଆସନ ପାଇଁ ବିଜେଡି ପୂରା ଦମ ଲାଗାଇ ଦେଇଥିବା ବେଳେ ସାଂସଦ ଅପରାଜିତା ଷଡଙ୍ଗୀ ଆଗମନ ପରେ ବିଜେପିର ବଳ ମଧ୍ୟ ବଢିଛି । ତେବେ ରାଜନୈତିକ ସମୀକରଣ ପରିବର୍ତ୍ତନ ବଦଳିବା ପରେ ଫଳାଫଳ କଣ ରହୁଛି ତାହା ଦେଖିବାକୁ ବାକି ରହିଲା ।