ଖରାବେଳଟାରେ ଅପରାଜିତାଙ୍କୁ ଧୋଇଦେଲେ ଅଶୋକ

Aparajita & Ashoka

ରାଜ୍ୟସ୍ତରୀୟ ବନ ମହୋତ୍ସବକୁ ନିମନ୍ତ୍ରଣ ପ୍ରସଙ୍ଗରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ଓ ଆକ୍ଷେପର କଡ଼ା ଜବାବ ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ମନ୍ତ୍ରୀ କହିଛନ୍ତି ଯେ ଏହା ଏକ ସରକାରୀ କାର୍ଯ୍ୟକ୍ରମ। ଏଥିପାଇଁ ସ୍ଥାନୀୟ କର୍ପୋରେଟରଙ୍କୁ ନିମନ୍ତ୍ରଣ କରାଯାଇଥିଲା, ମାତ୍ର ସେ ନିମନ୍ତ୍ରଣ କାର୍ଡକୁ ଫିଙ୍ଗିଦେଇଥିଲେ। ଏହାକୁ ନେଇ କୌଣସି ରାଜନୈତିକ ତାମସା କରିବା ଅନୁଚିତ୍‌।

ପୂର୍ବରୁ ପୋଖରୀପୁଟରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଜମି ପ୍ରଦାନ କରିବା ସହ ବାଲି ପୋତିବା ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମାତ୍ର ଏହି ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସ୍ଥାନୀୟ ବିଧାୟକ ଭାବେ ତାଙ୍କୁ ଓ ସ୍ଥାନୀୟ କର୍ପୋରେଟରଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନ ଥିଲା। କଳିଙ୍ଗ ନଗର କେନ୍ଦ୍ରୀୟ ବିଦ୍ୟାଳୟ ତାଙ୍କ ନିର୍ବାଚନ ମଣ୍ଡଳୀରେ ଆସୁଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି । ଏହି ପ୍ରସଙ୍ଗରେ ସେତେବେଳେ କାହିଁକି ଭୁବନେଶ୍ଵର ସାଂସଦ ପ୍ରତିବାଦ କଲେ ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଶ୍ରୀ ପଣ୍ଡା । 

ଅନ୍ୟପକ୍ଷରେ ଏକାମ୍ର କ୍ଷେତ୍ର ବିକାଶରେ ଅସହଯୋଗ କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି ଅଶୋକ। ଶ୍ରୀ ପଣ୍ଡା କହିଛନ୍ତି ଯେ ଲିଙ୍ଗରାଜ ମନ୍ଦିର ପରିଚାଳନା ଆଇନ୍ ରାଜ୍ୟ ବିଧାନସଭାରେ ପାରିତ ହୋଇ କେନ୍ଦ୍ର ନିକଟରେ ପଡ଼ି ରହିଛି। ଏହି ପ୍ରସଙ୍ଗରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ର ପ୍ରମୁଖ ଭୁବନେଶ୍ବର ସାଂସଦଙ୍କୁ ଭେଟି ତତ୍‌କାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇବାକୁ ଅନୁରୋଧ କରିଥିଲେ ହେଁ ଅପରାଜିତା ଏଥିରେ କୌଣସି ସହଯୋଗ କରିବେ ନାହିଁ ବୋଲି ସିଧାସିଧା ମନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଅଶୋକ।

ମନ୍ଦିର ପରିଚାଳନା ଆଇନ ଓ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି ଆକ୍ଟ ଦୁଇଟି ଅଲଗା ଅଲଗା ପ୍ରସଙ୍ଗ ହୋଇଥିଲେ ମଧ୍ୟ ଯୋଡ଼ି ଭୁବନେଶ୍ବରବାସୀଙ୍କୁ ସାଂସଦ ବିଭ୍ରାନ୍ତ କରୁଛନ୍ତି । ଏଥିପାଇଁ ଭବିଷ୍ୟତରେ ଭୁବନେଶ୍ବରବାସୀ ତାଙ୍କୁ (ଅପରାଜିତାଙ୍କୁ) କଦାପି କ୍ଷମା ଦେବେନାହିଁ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି। 

Share this story