ସବୁ ଚର୍ଚ୍ଚାର ଅନ୍ତ ଘଟାଇଲେ ପିନାକୀ, କହିଲେ ନବୀନ ବାବୁ ମୋର ଏକାମାତ୍ର ନେତା

ବିଜୁ ଜନତା ଦଳ ମୋର କର୍ମଭୂମି ଏବଂ ନବୀନ ପଟ୍ଟନାୟକ ମୋର ଏକମାତ୍ର ନେତା ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ରବିବାର ପୁରୀ ସଦର ବିଜୁ ଜନତା ଦଳ ପକ୍ଷରୁ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ସାଂସଦ ଶ୍ରୀ ମିଶ୍ର କହିଛନ୍ତି, ଗତ ଡିସେମ୍ବର ୨୬ ତାରିଖରେ ପୁରୀଠାରେ ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ଉତ୍ସବ ପାଳନ କରାଯାଇଥିଲା | ହେଲେ ମୋର ଦୁର୍ଭାଗ୍ୟ ସେହି ସଭାରେ ମୁଁ ଯୋଗଦେଇ ପାରିଲି ନାହିଁ। ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବସିବାର ସୌଭାଗ୍ୟ ମିଳିଥାନ୍ତା।
ହେଲେ ସେହିଦିନ ସକାଳୁ ମୋତେ ୧୦୩ ଜ୍ଵର ହେଲା। ସଭାରେ ଯୋଗଦେଇ ପାରି ନ ଥିଲି। ହେଲେ ମୋର ଅନୁପସ୍ଥିତିକୁ ନେଇ କିଛି ଗୁଜବ ସୃଷ୍ଟି ହେଲା। କିଛି ଖଳପ୍ରକୃତିର ଲୋକ ଏଭଳି ଗୁଜବ କଲେ। କିନ୍ତୁ ଏହା ନିରାଟ ସତ୍ୟ ଯେ, ଗୁଜବ ଯେଉଁଭଳି ସୃଷ୍ଟି ହୁଏ ସେହିଭଳି ଉଡିଯାଏ। ମୁଁ ବିଜୁ ଜନତା ଦଳର ଏବଂ ନବୀନ ବାବୁଙ୍କର ଜଣେ କର୍ମଠ ସେନା। ୨୦୦୯ ରୁ ରହିଆସିଛି। ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ସହ ରହିବି। ସେ ମୋତେ ଯଥେଷ୍ଟ ସ୍ନେହ, ସମ୍ମାନ ଏବଂ ଆଶୀର୍ବାଦ ଦେଇଛନ୍ତି। ୨୦୦୯ ରୁ ନୁହେଁ, ଏହାର ୧୦/୧୫ ବର୍ଷ ପୂର୍ବରୁ ମୁଁ ତାଙ୍କୁ ଚିହ୍ନିଛି। ମୁଖ୍ୟମନ୍ତ୍ରୀ ମୋତେ ଯେତିକି ସ୍ନେହ ଏବଂ ସମ୍ମାନ ଦେଇଛନ୍ତି ସେତିକି ସ୍ନେହ, ସମ୍ମାନ ଆଉ କେହି ଦେଇନାହାନ୍ତି।
ମୁଁ ଜୀବନରେ କେବେ ନବୀନ ପଟ୍ଟନାୟକଙ୍କୁ ଭୁଲିପାରିବି ନାହିଁ କି ଆଉ କାହାକୁ ମୋର ନେତା ମାନିପାରିବି ନାହିଁ। ମୋ ନେତା ହେଲେ ନବୀନ ପଟ୍ଟନାୟକ। ମହାପ୍ରଭୁ ତାଙ୍କୁ ଦୀର୍ଘ ଆୟୁଷ ଦିଅନ୍ତୁ। ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ତାଙ୍କର ଆହୁରି ଅନେକ ସ୍ଵପ୍ନ ଅଛି। ମୋ ଜୀବନ କାଳରେ ବିଜୁ ଜନତା ଦଳ ହେଲା ମୋର କର୍ମଭୂମି ଏବଂ ନବୀନ ବାବୁ ହେଲେ ମୋର ଏକମାତ୍ର ନେତା।