ପିନାକୀ ସାଇଡ଼ ହେବା ଶୁଣି ଦୋଛକିରେ ମହେଶ୍ବର, କରିବେ କଣ ?

pinaki misra

ଏଥର ନିର୍ବାଚନରେ ଘମାସାନ ହେବ ଲଢେଇ । କିନ୍ତୁ କିଏ କେଉଁ ଦଳରୁ ଲଢିବେ ତାକୁ ନେଇ ଚିତ୍ର ପୁରାପୁରି ଅସ୍ପଷ୍ଟ । ପ୍ରତ୍ୟେକ ଦଳରେ ଆଶାଠାରୁ ଅଧିକ ଆଶାୟୀ ଅଛନ୍ତି । କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ମଧ୍ୟ ମାନସମନ୍ଥନ ଆରମ୍ଭ ହେଲାଣି । ଯାହାକୁ ନେଇ ନେତାଙ୍କ ଛାତି ମଧ୍ୟ ଧଡଧଡ । ତେବେ କୁହାଯାଏ ରାଜନୀତି ଖେଳ ଯେତେ ଗୋଳିଆ ହେଲେ ମଧ୍ୟ କିଛି ଦୃଶ୍ୟ ସ୍ପଷ୍ଟ ହୋଇଯାଏ । ଆଉ ଏମିତି କିଛି ଚିତ୍ର ଏବେ ପୁରୀରେ ଦେଖିବାକୁ ମିଳିଛି । ବିଜେପି ଲୋକସଭା ଆସନକୁ ଏଥର ଟିକେ ଅଧିକା ଗୁରୁତ୍ୱ ଦେଉଛି । ଏମିତିକି ଲୋକସଭା ପ୍ରବାସ ଆରମ୍ଭ କରି ଦେଲାଣି ଦଳ । ଅଧିକାଂଶ ଜାଗାରେ ବିଜେଡିରେ ବିଦ୍ରୋହୀ ଥିବାରୁ କାହାକୁ ଟିକେଟ୍ ଦେବେ, ତାକୁ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି ପୁରୁଖା । ଏହାରି ଭିତରେ ଆମେ ଆଲୋଚନା କରୁଛୁ, ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଥା । ଯିଏ ବର୍ତ୍ତମାନ ବିଜେଡିର ସବୁଠୁ ପାୱାରଫୁଲ୍ ସାଂସଦ ବୋଲି ନିଜକୁ ଦର୍ଶାଇଛନ୍ତି । ବିଜେଡି ସରକାରଙ୍କର ସଙ୍କଟ ମୋଚନ । ଆଇନଗତ ଫନ୍ଦିଫିକର ଲଗାଇ ସେ ସରକାରଙ୍କୁ ଢାଲ ପାଲଟିଛନ୍ତି ।

ଏବେ ବିଜେଡି-ବିଜେପି ଫୋକସରେ ଜଗନ୍ନାଥ ଧାମ । ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ନେଇ ଦୁଇ ଦଳ ଆରମ୍ଭ କରିଛନ୍ତି ନିର୍ବାଚନୀ ଅଭିଯାନ । ବିଜେଡି ନିଜର ୨୬ତମ ପ୍ରତିଷ୍ଠା ଦିବସକୁ ପୁରୀରେ ଭବ୍ୟ ରୂପରେ ପାଳନ କରିଥିଲା । ପୁରୀ ବିଜେଡି କହିଲେ ପିନାକୀ ମିଶ୍ରଙ୍କୁ ହିଁ ବୁଝାଏ । ପୁରୀରେ ତାଙ୍କର ବେଶ୍ ଦବଦବା ରହିଛି । ତାଙ୍କ ଭରଷାରେ ପୁରୀର ଅନେକ ନେତା ଅଛନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଏଥର କାଳେ ସେ ପୁରୀରୁ ନିର୍ବାଚନ ଲଢିବେନି । ଏକଥା ସେ କାଳେ ଅନେକ ସ୍ଥାନରେ କହିଛନ୍ତି, ତାଙ୍କ ସମର୍ଥକମାନେ ବି କହିଲେଣି । ଯାହାକୁ ନେଇ ଏବେ ଅନ୍ୟ ନେତାଙ୍କ ମୁଣ୍ଡ ଚକର କାଟିଲାଣି ।

ଯଦି ପିନାକୀ ମିଶ୍ର କଟିବେ, ତେବେ ପୁରୀ ବିଜେଡିର ଅନେକ ନେତାଙ୍କ ବାଟ ବନ୍ଦ ହୋଇଯିବ । କାରଣ ପିନାକୀ ଥିଲେ ପୁରୀ ବିଜେଡିର ହର୍ତ୍ତା କର୍ତ୍ତା ଦୈବ ବିଧାତା । ପୁରୀ ହେଉ ବା ବ୍ରହ୍ମଗିରି, ସବୁ ଜାଗାକୁ ସେ କାଳେ ଫଣ୍ଡିଂ କରୁଥିଲେ । ତାଙ୍କ ଇସାରାରେ ସବୁ କାର୍ଯ୍ୟ ହେଉଥିଲା । ଯଦି ଏଥର ପିନାକୀ କଟିଲେ, ତେବେ ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କର ବି ପତ୍ତା କଟିକ । ସେ ହେଉଛନ୍ତି ପିନାକୀଙ୍କର ଅତି ପ୍ରିୟ । ଯଦି ସିଏ ନ ରହିବେ, ତେବେ ମେହଶ୍ୱରଙ୍କ ଆସନ ବି ଟଳମଳ ହୋଇଯିବ । ତେଣୁ ପିନାକୀ ନିର୍ବାଚନ ନ ଲଢିବା ଖବର ଏବେ ବିଜେଡିର ଅନେକ ନେତାଙ୍କୁ ଚିନ୍ତାରେ ପକାଇଛି । ସେପଟେ ବିଜେଡି ମଧ୍ୟ ପୁରୀ ଲୋକସଭା ଆସନରୁ କାହାକୁ ପ୍ରାର୍ଥୀ କରିବ, ସେନେଇ ଆଲୋଚନା ଚାଲିଛି ।

ଗତ ୨୦୧୯ ନିର୍ବାଚନ କଥା ଯଦି ଦେଖିବା, ତେବେ ପୁରୀ ଲୋକସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଫାଇଟ୍ ଦେଖିବାକୁ ମିଳିଥିଲା । ବିଜେଡିର ପିନାକୀ ମିଶ୍ରଙ୍କୁ କଡ଼ା ଟକ୍କର ଦେଇଥିଲେ ବିଜେପିର ସମ୍ବିତ ପାତ୍ର । ଯଦିଓ ମାତ୍ର ୧୧ ହଜାର ଭୋଟରେ ସମ୍ବିତ ପାତ୍ର ହାରିଥିଲେ, ତଥାପି ପୁରୀରେ ପିନାକୀଙ୍କ ନିଦ ହଜାଇ ଦେଇଥିଲେ । ଉଭୟଙ୍କର ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ତେଣୁ ଏଥର ମଧ୍ୟ ବିଜେପି ପୁରୀ ଲୋକସଭା ଆସନରୁ ସମ୍ବିତଙ୍କୁ ମୈଦାନକୁ ଓହ୍ଲାଇପାରେ । ତେଣୁ ପିନାକୀ ମିଶ୍ର ନିର୍ବାଚନ ଲଢିବେନି ବୋଲି ଘୋଷଣା କରିବା ପରେ ବିଜେଡି ସେଠାରୁ କାହାକୁ ମୈଦାନକୁ ଓହ୍ଲାଇବ, ତାକୁ ନେଇ ଚାଲିଛି ଆଲୋଚନା । ଯଦି ପୁରୀରୁ ପିନାକୀ ମିଶ୍ର ନିର୍ବାଚନ ନ ଲଢନ୍ତି, ତେବେ ତାଙ୍କ ଗତି କୁଆଡ଼େ ହେବ, ତାହା ଏବେ ବଡ଼ ପ୍ରଶ୍ନ । ଥିପାଇଁ ସେ ପୁରୀରେ ବିଭିନ୍ନ ସମୟରେ ଶକ୍ତି ପ୍ରଦର୍ଶନ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ତେବେ ପିନାକୀଙ୍କର ଆଗାମୀ ପଦକ୍ଷେପ କଣ ହେବ ତାକୁ ନେଇ ପୁରୀରେ ଜୋର ଚର୍ଚ୍ଚା ଚାଲିଛି ।

Share this story