ପଦ୍ମପୁରରେ ସାଂଘାତିକ ଅନ୍ଧାରୀ ବିଜେ : ଟଙ୍କା ବିଡା ନେଇ ବୁଲୁଛି ମିଡିଆ
ପଦ୍ମପୁର ଉପନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର । ନିର୍ବାଚନ ମଣ୍ଡଳୀ ଛାଡିଛନ୍ତି ବାହାର ନେତା । ଆଉ ଏବେ ସ୍ଥାନୀୟ ନେତାଙ୍କ କାନ୍ଧରେ ପଡ଼ିଛି ଉପନିର୍ବାଚନର ଦାୟିତ୍ୱ । ଆଜି ଅନ୍ଧାରୀ ବିଜେ କରି ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସମସ୍ତ କୌଶଳ ଆପଣାଇବେ ସ୍ଥାନୀୟ ଅଂଚଳର ନେତା । ଭୋଟରଙ୍କୁ ଟଙ୍କା ବାଂଟି ମତଦାନକୁ ପ୍ରଭାବିତ କରିବା ଆଶଙ୍କା ରହିଛି । ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ପଦ୍ମପୁରରେ କଡ଼ାକଡ଼ି ଚେକିଂ ଚାଲିଛି । ଖାଲି ପ୍ରଶାସନ ନୁହଁ ୩ ପ୍ରମୁଖ ରାଜନୈତିକ ଦଳର କର୍ମୀ ପ୍ରତିପକ୍ଷ ଦଳ ଉପରେ ନଜର ରଖିଛନ୍ତି । ନିଜ ଗଡ଼କୁ ଜଗି ରହିଛନ୍ତି । ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ପଡିବ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ସରିବ । ନିରପେକ୍ଷ ଓ ଶୃଙ୍ଖଳିତ ମତଦାନ ପାଇଁ ପ୍ରଶାସନ ଅପିଲ୍ କରିଛି । ଶନିବାର ଅପରାହ୍ଣ ୪ଟାରୁ ପ୍ରଚାର ବନ୍ଦ ରହିଛି ।
ନେତା ଓ କର୍ମୀ ଓ ନେତାଙ୍କୁ ତୁରନ୍ତ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ଜିଲ୍ଲାପାଳ ଅପିଲ କରିଥିଲେ । ସମସ୍ତ ହୋଟେଲ, ଗେଷ୍ଟ ହାଉସ ଓ କଲ୍ୟାଣ ମଣ୍ଡପରେ ଯାଂଚ ଆରମ୍ଭ ହୋଇଛି । ବାହାରୁ ଆସୁଥିବା ଗାଡ଼ି ଓ ଲୋକଙ୍କ ଯାଂଚ ଚାଲିବ ବୋଲି କୁହାଯାଇଛି । ନିର୍ବାଚନମଣ୍ଡଳୀରେ ମୋଟ ୩୧୯ଟି ବୁଥ୍ରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିବେ । ମୋଟାମୋଟି ୫୧ଟି ସ୍ଥାନର ୭୯ଟି ବୁଥ୍ ସମ୍ବେଦନଶୀଳ ରହିଛି । ୪୬ଟି ବୁଥ ମାଓ ପ୍ରବଣ ଅଂଚଳରେ ଥିବାରୁ ପୋଲିଂ ପାର୍ଟିର ରାତ୍ର ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମତଦାନ ଦିନ ହିଁ ସେମାନେ ବୁଥରେ ଉପସ୍ଥିତ ରହିବେ । ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବ୍ଳକ୍ର ୨ଟି ଲେଖାଏଁ ମୋଟ୍ ୬ଟି ପିଙ୍କ ବୁଥ୍ ଓ ୧୫ଟି ଆଦର୍ଶ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଉପନିର୍ବାଚନରେ ମୋଟ୍ ୬୬୭ଟି ଗାଡ଼ି ବ୍ୟବହାର ହେବ । ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆର୍ପିଏଫ୍, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ପ୍ରଶାସନ ସୂଚନା ଦେଇଛି ।
ସେପଟେ ଟଙ୍କା ବଣ୍ଟାର ଅଭିଯୋଗ ଭିତରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏକ ନିଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଟଙ୍କା ବଣ୍ଟାଯାଉଥିବା ନେଇ ଶାସକ ବିଜେଡି ଦଳ ଅଭିଯୋଗ କରିଛି । ଖବର ସଂଗ୍ରହ ପାଇଁ ଯେତିକି ଟିମ୍ ରହିବା କଥା ତାଠାରୁ ଅଧିକ ଏବଂ ଅତିରିକ୍ତ ଟିମ୍ ପଦ୍ମପୁରରେ ଥିବା ବିଜେଡି ଅଭିଯୋଗ କରିଛି । ତେଣୁ ତୁରନ୍ତ ଅତିରିକ୍ତ ଟିମକୁ ବାହାରକୁ କାଢ଼ି ନେବା ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଶାସକ ବିଜେଡି ଦଳ ଦାବି କରିଛି । ବିଜେଡିର ଅଭିଯୋଗ ଅନୁସାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଏହି ଗଣମାଧ୍ୟମ ପ୍ରତିନିଧି ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛି ।