ବିଗତ ୮୦ ବର୍ଷ ଭିତରେ ପଦ୍ମପୁର କେଉଁ ଦଳ ଅକ୍ତିଆରରେ ରହିଛି ?
padmpur by election

ପଦ୍ମପୁରରେ ହେବକି ତ୍ରିମୁଖି ଲଢେଇ । ବିଜେଡି ପାଇଁ ସମ୍ମାନର ପ୍ରଶ୍ନ । ବିଜେପି ପାଇଁ ଖୋଲିବ ୨୪ର ରାସ୍ତା । ଧାମନଗର ଉପନିର୍ବାଚନ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଧାମନଗରରେ ବିଜେପି ନିଜ ଆସନ ସୁରକ୍ଷିତ ରଖିପାରିଥିବା ବେଳେ ପଦ୍ମପୁରରେ ବିଜେଡି ନିଜ ଆସନ ରଖିପାରୁଛି କି ନାହିଁ ତାହା ସମ୍ମାନର ପ୍ରଶ୍ନ ବିଜେଡି ପାଇଁ । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀମାନେ ଏହି ଆସନରୁ ପୂର୍ବରୁ ନିର୍ବାଚନ ମଧ୍ୟ ଜିତିଛନ୍ତି । ତେଣୁ ଏହି ଆସନରେ ତିନି ଦଳର ଭୋଟର ରହିଛନ୍ତି । ନିଜ ଦଳର ଭୋଟର ସହ ମୁକ୍ତ ଭୋଟରଙ୍କୁ ଯିଏ ଆକୃଷ୍ଟ କରିପାରିବ ସେହିଁ ବିଜୟୀ ହେବ ବୋଲି ରାଜନୀତି ସମୀକ୍ଷକଙ୍କ ମତ । ବିଶେଷ କରି ଏହି ଆସନରେ ୮୦ ପ୍ରତିଶତ ଚାଷୀ। ତେଣୁ ତାଙ୍କର ସମର୍ଥନ ଯେଉଁ ଦଳ ପାଇବ ସେହି ଦଳର ପ୍ରାର୍ଥୀ ବିଜୟୀ ହେବେ ବୋଲି ଆଲୋଚନା ହେଉଛି ।

ସମ୍ବଲପୁର ଜିଲ୍ଲା ବରଗଡ଼ ସବ୍‌ଡିଭିଜନ ଅଧୀନରେ ଥିଲା ପଦ୍ମପୁର ଅଂଚଳ। ବ୍ରିଟିଶ ଶାସନ ସମୟରେ ବୋଡ଼ାସମ୍ବର ଜମିଦାର ରାଜା ଉପାଧି ପାଇଥିଲେ। ଲାଲ ରଣଜିତ ସିଂ ବରିହାଙ୍କ ପିତା ରାଜେନ୍ଦ୍ର ସିଂ ବରିହା ପ୍ରାକ୍ ସ୍ବାଧୀନତା ପ୍ରଥମ ବିଧାନସଭା ୧୯୩୭ରେ କନିକା ରାଜା ନେତୃତ୍ବରେ ପରିଚାଳିତ ୟୁନାଇଟେଡ଼ ପ୍ରାର୍ଥୀ ଭାବରେ ପଶ୍ଚିମ ବରଗଡ଼ରୁ ଲଢ଼ି କଂଗ୍ରେସ ପ୍ରାର୍ଥୀ ସମ୍ବଲପୁର କଂସାରୀପଡ଼ାର ସ୍ବାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ଲାଠଙ୍କଠାରୁ ପରାସ୍ତ ହୋଇଥିଲେ। ପ୍ରଥମ ସାଧାରଣ ନିର୍ବାଚନ ୧୯୫୧-୫୨ରେ ହେଲା ଓ ପଦ୍ମପୁର (ଦ୍ବୈତ) ବିଧାନସଭା ଆସନରୁ ଶ୍ରୀବରିହା ବିଜୟ ହାସଲ କରିବା ପରେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ସେ ରାଞ୍ଚି ଡାକ୍ତରଖାନାରେ ପରଲୋକ ଗମନ କରିଥିଲେ। ଏହାପରେ ତାଙ୍କ ସ୍ତ୍ରୀ ଓ ଝିଅ ଭାରତ ଛାଡ଼ି ଲଣ୍ଡନ ପଲାଇଗଲେ। ତେଣୁ, ପଦ୍ମପୁରରେ ପ୍ରଥମ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଡିସେମ୍ବର ୫ ତାରିଖରେ ଦ୍ବିତୀୟ ଉପନିର୍ବାଚନ ଅନୁଷ୍ଠିତ ହେବ।

୧୯୫୧ ନିର୍ବାଚନ ଓ ପ୍ରଥମ ଉପନିର୍ବାଚନ
୧୯୫୧-୫୧ମସିହାର ପ୍ରଥମ ସାଧାରଣ ନିର୍ବାଚନ ସମୟରେ ପଦ୍ମପୁରରେ ଦ୍ବୈତ ବିଧାନସଭା ଆସନ ଥିଲା। ନିର୍ବାଚନରେ ସମୁଦାୟ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଲାଲ ରଣଜିତ ସିଂ ବରିହା(କଂଗ୍ରେସ) ୧୭,୬୩୬ ଓ ଅନିରୁଦ୍ଧ ମିଶ୍ର(ସ୍ବାଧୀନ) ୭,୯୭୯ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥି‌ଲେ। ଅନ୍ୟମାନଙ୍କ ମଧ୍ୟରେ, ସମ୍ବଲପୁରର ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମୀନାରାୟଣ ମିଶ୍ର(କଂଗ୍ରେସ) ୮୧୨୬, ଲାଲ ନିତ୍ୟାନନ୍ଦ ସିଂ ବରିହା(ଗଣତନ୍ତ୍ର ପରିଷଦ) ୩୬୯୬, ହରିହର ଦୋରା(ସ୍ବାଧୀନ) ୩୧୪୭, ବିଦ୍ୟାଧର ମେହେର(ସ୍ବାଧୀନ) ୩୦୩୭, ଗୋକୁଳାନନ୍ଦ ନାୟକ(ସ୍ବାଧୀନ) ୨୩୨୯, ମାନଭଂଜନ ପ୍ରଧାନ ୨୬୬୬, ଭୁବନାନନ୍ଦ ସାହୁ(ସ୍ବାଧୀନ) ୨୧୧୮ ଓ ପ୍ରଫୁଲ୍ଲ କୁମାର ବହିଦାର(ଗ.ପ) ୧୪୩୧ ଭୋଟ ପାଇଥିଲେ। ବିଜୟ ହାସଲ ପରେ ଅନିରୁଦ୍ଧ ମିଶ୍ର କଂଗ୍ରେସରେ ଯୋଗ ଦେଇଥିଲେ। ତେବେ, ଲାଲ ରଣଜିତ ସିଂ ବରିହାଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ଉପନିର୍ବାଚନରେ ବୀର ବିକ୍ରମାଦିତ୍ୟ ସିଂ ବରିହା(କଂଗ୍ରେସ) ୧୭,୨୪୩ ଖଣ୍ଡ ଭୋଟ ପାଇ ଗଣତନ୍ତ୍ର ପରିଷଦ ଦଳ ପ୍ରାର୍ଥୀ ଲାଲ ମିତ୍ରୋଦୟ ସିଂ ବରିହାଙ୍କୁ ପରାସ୍ତ କରିଥିଲେ। ଲାଲ ମିତ୍ରୋଦୟ ୧୦, ୩୨୨ ଖଣ୍ଡ ଭୋଟ ପାଇଥିଲେ।

୧୯୫୭ ନିର୍ବାଚନ
୧୯୫୭ ମସିହା ନିର୍ବାଚନ ସମୟରେ ବି ପଦ୍ମପୁର ଦ୍ବୈତ ବିଧାନସଭା ଆସନ ଥିଲା। ଏହି ଭୋଟ୍‌ରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ବୀର ବିକ୍ରମାଦିତ୍ୟ ସିଂ ବରିହା(କଂଗ୍ରେସ) ୧୨,୫୨୯, ଲାଲା ଯୋଗେନ୍ଦ୍ରନାଥ ସିଂ(କଂଗ୍ରେସ) ୭୧୨୭, ଲାଲ ମିତ୍ରୋଦୟ ସିଂ ବରିହା(ଗ.ପ) ୧୦,୩୩୦, ପ୍ରଫୁଲ୍ଲ କୁମାର ବହିଦାର(ଗ.ପ) ୭,୬୬୨, ଗୋକୁଳାନନ୍ଦ ନାୟକ(ସ୍ବାଧୀନ) ୧୫୩୯, ରାଜେନ୍ଦ୍ର ପଣ୍ଡା (ସ୍ବାଧୀନ) ୩୫୮୭, ଭୋଜରାଜ ପ୍ରଧାନ(ସ୍ବାଧୀନ) ୩୨୮୦, ଗୋପୀ ବାନିହାଲ (ସ୍ବାଧୀନ) ୧୧୬୭, କମଳା ମିଶ୍ର (ସ୍ବାଧୀନ)୮୩୧, ଚନ୍ଦ୍ରଶେଖର ଜମାଦାର (ସ୍ବାଧୀନ)୧୩୪୧ ଓ ବନମାଳୀ ସାହୁ(ସ୍ବାଧୀନ) ୧୦୭୫ ଭୋଟ ପାଇଥିଲେ। ଏଥିରେ ବୀର ବିକ୍ରମାଦିତ୍ୟ ଓ ଲାଲ ମିତ୍ରୋଦୟ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ହେବାପରେ ଲାଲ ମିତ୍ରୋଦୟ ଗଣତନ୍ତ୍ର ପରିଷଦ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ଅଳ୍ପଦିନ ମଧ୍ୟରେ ପୁଣି ଗଣତନ୍ତ୍ର ପରିଷଦକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ୟତମ ବିଜୟୀ ପ୍ରାର୍ଥୀ ବୀରବିକ୍ରମାଦିତ୍ୟ ଡ. ହରେକୃଷ୍ଣ ମହତାବଙ୍କ ମନ୍ତ୍ରିମଣ୍ଡଳରେ ଉପମନ୍ତ୍ରୀ ଥିଲେ। ମାତ୍ର, ପରବର୍ତ୍ତୀ ସମୟରେ କଂଗ୍ରେସ-ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ୍‌ କରାଗଲା ନାହିଁ।

୧୯୬୧ ନିର୍ବାଚନ
୧୯୬୧ ମସିହାରେ ବିଜୟ ହାସଲ କରି ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ) ବୀରେନ ମିତ୍ରଙ୍କ ମନ୍ତ୍ରିମଣ୍ଡଳରେ ଉପ-ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିଲେ। ଏହି ନିର୍ବାଚନରେ ସେ ୭୭୦୭ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଲାଲ ମିତ୍ରୋଦୟ ବରିହା(ଗ.ପ) ୬୫୭୩ ଖଣ୍ଡ ଭୋଟ ପାଇଥିଲେ।

୧୯୬୭ ନିର୍ବାଚନ
ଜନକଂଗ୍ରେସ ଦଳର ପ୍ର‌ାର୍ଥୀଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବୀର ବିକ୍ରମାଦିତ୍ୟ ବିଜୟ ହାସଲ କରିଥିଲେ। ସେ ସମୁଦାୟ ୮,୧୦୭ ଖଣ୍ଡ ଭୋଟ୍‌ ପାଇଥିଲେ। ତାଙ୍କର ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କ ମଧ୍ୟରୁ ସୁଶୀଲ କୁମାର ବହିଦାର(କଂଗ୍ରେସ) ୩୬୯୨, ମାୟାଧର ପୁରୋହିତ କମ୍ୟୁନିଷ୍ଟ ୧୪୨୨, ଦୁଃଖିଶ୍ୟାମ ପ୍ରଧାନ(ଏସ୍ଏସ୍‌ପି) ୫୨୮୩ ଓ ସ୍ବାଧୀନ ପ୍ରାର୍ଥୀ ଗୋକୁଳାନନ୍ଦ ନାୟକ ୭୩୯ ଖଣ୍ଡ ଭୋଟ ପାଇଥିଲେ।

୧୯୭୧ ନିର୍ବାଚନ
ଏହି ସମୟରେ କଂଗ୍ରେସ ଦୁଇଭାଗ ହୋଇଯାଇଥିଲା। ଗୋଟିଏ ଥିଲା କଂଗ୍ରେସ (ଜେ) ବା ଶାସକ କଂଗ୍ରେସ ଓ ଅନ୍ୟଟି କଂଗ୍ରେସ(ନି) ବା ସଂଗଠନ କଂଗ୍ରେସ। କଂଗ୍ରେସ(ଜେ)ର ଡାକ୍ତର କୃପାସିନ୍ଧୁ ଭୋଇ ୧୦,୪୧୬ ଖଣ୍ଡ ଭୋଟ ପାଇ ନିର୍ବାଚିତ ହେବାସହିତ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଶ୍ରୀ ଭୋଇଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିଥିବା ବିପିନ ବିହାରୀ ପାଣିଗ୍ରାହୀ(ସ୍ବତନ୍ତ୍ର) ୩୩୭୩, ଯୁଧିଷ୍ଠିର ସାହୁ(ଉତ୍କଳ କଂଗ୍ରେସ) ୨୬୬୭, ଲାଲ ମିତ୍ରୋଦୟ ସିଂ ବରିହା କଂଗ୍ରେସ(ନି), ଦୁଃଖିଶ୍ୟାମ ପ୍ରଧାନ (ଏସ୍ଏସ୍‌ପି) ୪୨୮୪ ଓ କୁଞ୍ଜ ବିହାରୀ ବଡ଼ପଣ୍ଡା (ଜନସଙ୍ଘ) ୫୩୧ ଭୋଟ ପାଇଥିଲେ।

୧୯୭୪ ନିର୍ବାଚନ
ଏହି ସମୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ଡା.କୃପାସିନ୍ଧୁ ଭୋଇ ୧୮୪୨୪ ଖଣ୍ଡ ଭୋଟପାଇ ପୁନର୍ବାର ବିଜୟ ହାସଲ କରିଥିଲେ ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରୁ ଉତ୍କଳ କଂଗ୍ରେସର ବୀର ବିକ୍ରମାଦିତ୍ୟ ସିଂ ବରିହା ୧୨୦୨୯ ଭୋଟ୍‌ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଧନଂଜନ ପାତ୍ର ୪୪୭୧ ଭୋଟ ପାଇଲେ। ତେବେ, ପରବର୍ତ୍ତୀ ସମୟରେ ଡା. ଭୋଇ କଂଗ୍ରେସ ତ୍ୟାଗକରି ନନ୍ଦିନୀ ଶତପଥୀଙ୍କ ସହ ଜଗଜ୍ଜୀବନଙ୍କ ଦଳରେ ଯୋଗ ଦେଲେ। ୧୯୭୭ ମସିହା ନିର୍ବାଚନରେ ସେ ପ୍ରତିଦ୍ବନ୍ଦ୍ବିତା କରିନଥିଲେ।

୧୯୭୭ ନିର୍ବାଚନ
ଜରୁରୀକାଳୀନ ପରିସ୍ଥିତି ପରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନର ଫଳାଫଳ ଜନତା ପାର୍ଟି ସପକ୍ଷରେ ଯାଇଥିଲା। ଜନତା ପାର୍ଟିର ପ୍ରାର୍ଥୀ ବୀର ବିକ୍ରମାଦିତ୍ୟ ସିଂ ବରିହା ୧୫୨୬୦ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ତାଙ୍କର ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରୁ ସତ୍ୟନାରାୟଣ ପାଣିଗ୍ରାହୀ(କଂଗ୍ରେସ) ୭୯୦୧ ଭୋଟ୍‌ ପାଇଥିବା ବେଳେ ଚୌଧୁରୀ ସାହୁ (ସ୍ବାଧୀନ) ଯଥାକ୍ରମେ ୮୪୨ ଖଣ୍ଡ ଭୋଟ ପାଇଥିଲେ।

୧୯୮୦ ନିର୍ବାଚନ
ସମୁଦାୟ ୭ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କଂଗ୍ରେସ (ଇନ୍ଦିରା) ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୧୫୪୭୮ ଭୋଟ ପାଇବା ସହିତ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ(ଉର୍ସ) ପ୍ରାର୍ଥୀ ମୁରାରୀ ପ୍ରସାଦ ମିଶ୍ରଙ୍କୁ ୫୪୬୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ବିଜୟ କୁମାର ସାହୁ ଜନତା(ଏସ୍) ୪୬୨୨, ସ୍ବାଧୀନ ପ୍ରାର୍ଥୀ ଚୌଧୁରୀ ସାହୁ ୮୧୬, ଦୁର୍ଯ୍ୟୋଧନ ପ୍ରଧାନ ୨୪୫୪, ଦୁର୍ଯ୍ୟୋଧନ ମହାନନ୍ଦ ୨୩୧୦, କୁରମୁ କୁମାର ୬୫୫ ଭୋଟ ପାଇଥିଲେ।

୧୯୮୫ ନିର୍ବାଚନ
କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ବିଜୟ ଲାଭ କରି ସରକାରୀ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ। ନିର୍ବାଚନରେ ସେ ସମୁଦାୟ ୨୮,୭୫୩ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ଜନତା ଦଳର ଦୁଃଖିଶ୍ୟାମ ପ୍ରଧାନ ୯୦୮୧ ଓ ସ୍ବାଧୀନ ପ୍ରାର୍ଥୀ ନନ୍ଦଲାଲ ତ୍ରିବେଦୀ ୬୭୫୩ ଭୋଟ ପାଇଲେ।

୧୯୯୦ ନିର୍ବାଚନ
ଏହି ନିର୍ବାଚନରେ ବିଜୟ ସିଂ ବରିହା ପ୍ରଥମେ ବିଜୟ ହାସଲ କରି ରାଜନୈତିକ ଜୀବନର ଏକ ବୃହତ୍‌ ସୋପାନରେ ପାଦ ଥାପିଥିଲେ। ସେ ଜନତାଦଳ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ଏବଂ ୪୮୨୧୭ ଭୋଟ ପାଇଥିଲେ। ତାଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ସତ୍ୟଭୂଷଣ ୧୭୮୧୯ ଖଣ୍ଡ ଭୋଟ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ, ବିଜେପିର ଗିରିଶ କୁମାର ବହିଦାର (୬୬୭୫ ଭୋଟ୍‌), ବିଏସ୍‌ପିର ଶ୍ରୀମତୀ ସୁଭଦ୍ରା ଦେଓ(୨୪୬ ଭୋଟ୍‌), ସ୍ବାଧୀନ ପ୍ରାର୍ଥୀ ବିଜୟ କୁମାର ପାଣିଗ୍ରାହୀ (୩୧୪ ଭୋଟ୍‌) ଓ ବନବାସୀ ୧୨୧ ଭୋଟ୍‌ ପାଇଥିଲେ।

୧୯୯୫ ନିର୍ବାଚନ
ଜନତା ଦଳ ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହା ୫୯୭୧୪ ଖଣ୍ଡ ଭୋଟ ପାଇ ଦ୍ବିତୀୟଥର ପାଇଁ ବିଜୟୀ ହୋଇଥିଲେ। ଅନ୍ୟ ପ୍ରାର୍ଥମାନଙ୍କ ମଧ୍ୟରୁ କଂଗ୍ରେସର ସତ୍ୟଭୂଷଣ ସାହୁ( ୪୨୦୧୪ ଭୋଟ୍‌), ବିଏସ୍‌ପିର ଧର୍ମ ସିଂ ମହାନନ୍ଦ ୩୧୮ ଭୋଟ୍‌, ବିଜେପିର ଗିରିଶ ବହିଦାର (୮୬୩୮ ଭୋଟ), ସମତାପାର୍ଟିର ସନ୍ତୋଷ ଶତପଥୀ (୨୦୮ ଭୋଟ୍‌), ଏସ୍‌ଜେପିର ସଂଜୟ ବହିଦାର (୮୨୫ ଭୋଟ୍‌) ଓ ସ୍ବାଧୀନ ପ୍ରାର୍ଥୀ ଯଥାକ୍ରମେ ବୃନ୍ଦାବନ ବରିହା ୭୯୧ ଭୋଟ ଏବଂ ଯଦୁମଣି ଦେଓ ୧୧୦୬ ଭୋଟ ପାଇଲେ।

୨୦୦୦ ନିର୍ବାଚନ
ପୂର୍ବରୁ ମନ୍ତ୍ରୀ ଓ ବିଧାୟକ ଥିବା ବୀର ବିକ୍ରମାଦିତ୍ୟ ସିଂ ବରିହା ସ୍ବାଧୀନ ପ୍ରାର୍ଥୀ ଭାବେ ପୁନଃପ୍ରତିଦ୍ବନ୍ଦ୍ବିତା କରି ମାତ୍ର ୫୮୩ ଖଣ୍ଡ ଭୋଟ ପାଇଥିଲେ। ସେହିଭଳି, ସତ୍ୟଭୂଷଣ ସାହୁ (କଂଗ୍ରେସ) ୪୧୦୦୧, ଦୁଃଖିଶ୍ୟାମ ପ୍ରଧାନ ବିଏସ୍‌ପି (୭୪୦), ଡ଼ୋଲାମଣି ମେହେର ସମାଜବାଦୀ ପାର୍ଟି ୧୩୯୯, ପ୍ରଦୀପ ପୁରୋହିତ (ସ୍ବାଧୀନ) ୯୦୨୫ ଭୋଟ ପାଇଥିଲେ। ଏହି ନିର୍ବାଚନରେ ମଧ୍ୟ ବିଜୟ ସିଂହ ବରିହା ନିର୍ବାଚିତ ହୋଇଥିଲେ। ସେ ସମୁଦ‌ାୟ ୪୯,୪୯୭ ଖଣ୍ଡ ଭୋଟ ପାଇଥିଲେ।

୨୦୦୪ ନିର୍ବାଚନ
କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଓ ବିଜେଡି ପ୍ରାର୍ଥୀ ବିଜୟ ସିଂହ ବରିହାଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ବେଳେ ଶ୍ରୀ ବରିହାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ବିଜୟ ପ୍ରାର୍ଥୀ ସତ୍ୟଭୂଷଣ ୬୩୩୩୦ ଖଣ୍ଡ ଭୋଟ ପାଇ ୩୧୩୦ ଭୋଟ ବ୍ୟବଧାନରେ ର ବିଜୟ ବରିହାଙ୍କୁ ପରାସ୍ତ କରିଥିଲେ ।

୨୦୦୯ ନିର୍ବାଚନ
୪ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏଥରକ ପୁଣିଥରେ ବିଜେଡି ପ୍ରାର୍ଥୀ ବିଜୟ ସିଂହ ବରିହା ବିଜୟୀ ହୋଇଥିଲେ। ସେ ସମୁଦାୟ ୬୭,୮୫୮ ଖଣ୍ଡ ଭୋଟ୍‌ ପାଇଥିଲେ। ଅପରପକ୍ଷେ, ସତ୍ୟଭୂଷଣ ସାହୁ(କଂଗ୍ରେସ) ୪୯୮୩୧, ପ୍ରଦୀପ ପୁରୋହିତ (ବିଜେପି) ୨୯୬୪୦ ଓ ସୁଧାଂସୁ ଶେଖର ବାରିକ(ବିଏସପି) ୬୪୦୭ ଭୋଟ ପାଇଲେ। ୧୮୦୨୭ ଭୋଟ ବ୍ୟବଧାନରେ ଜିତିଥିଲା ବିଜେଡ଼ି।

୨୦୧୪ ନିର୍ବାଚନ
ବିଜେପି ବିଜୟ ହାସଲ କରି ପ୍ରଥମକରି ନିର୍ବାଚନଣ୍ଡଳୀରେ ଖାତା ଖୋଲିଥିଲା। ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତ ୬୮୯୪୨ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ବିଜେଡିର ବିଜୟ ବରିହା ୬୪୪୨୯, କଂଗ୍ରେସର ଡାକ୍ତର ପ୍ରକାଶ ଚନ୍ଦ୍ର ତ୍ରିପାଠୀ ୩୧୧୭୯, ପିଭିପିର ଗଂଗାଧର ଭୋଇ ୧୨୯୫ ଓ ଓଜେଏମର ନେହେରୁ ବାଗ ୯୫୩, ବିଏସ୍‌ପିର ଟଙ୍କଧର କଣ୍ଟା ୧୬୩୨, ସ୍ବାଧୀନ ପ୍ରାର୍ଥୀ ଯଥା-ରାଜକୁମାର ସେଠ ୧୫୬୩, ଗୋବର୍ଦ୍ଧନ ଭୋଇ ୫୪୫୬, ପୂର୍ଣ୍ଣାନନ୍ଦ ସାହୁ ୧୭୩୨ ଖଣ୍ଡ ଭୋଟ ପାଇଥିବା ବେଳେ ନୋଟାରେ ପଡ଼ିଥିଲା ୧୭୫୧ ଭୋଟ୍‌।

୨୦୧୯ ନିର୍ବାଚନ
ସମୁଦାୟ ୨୫୫୪୪୫ ଭୋଟରଙ୍କ ମଧ୍ୟରୁ ମତଦାନ କରିଥିଲେ ୨୦୧୭୨୯ ଜଣ। ୫୭୩୪ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ ବିଜେଡି ପ୍ରାର୍ଥୀ ବିଜୟ ସିଂହ ବରିହା। ୫ ଜଣ ପ୍ରାର୍ଥୀ ଥିଲେ ୨୨୩୪ ଭୋଟ ନୋଟାରେ ପଡ଼ିଲା। ଶ୍ରୀବରିହା ୮୩୨୯୯ ଭୋଟ(୪୧.୨୯ %) ଭୋଟ୍‌ ପାଇଥିବା ବେଳେ ବିଜେପିର ପ୍ରଦୀପ ପୁରୋହିତ ୭୭୫୬୫ ଭୋଟ(୩୮.୪୫%), କଂଗ୍ରେସର ସତ୍ୟଭୂଷଣ ସାହୁ ୩୨୭୮୭ ଭୋଟ(୧୬.୨୫%), ବିଏସପିର ଟଙ୍କଧର କଣ୍ଟା ୧୩୩୨ ଭୋଥଟ (୦.୬୫%) ଓ ସ୍ବାଧୀନ ରାଜୁ ଘିବାଲା ୪୫୨୧ ଭୋଟ୍‌ ‌(୨.୨୪%) ପାଇଥିଲେ।

Share this story