ଓଡିଶା ର ବିକାଶ ମଡେଲ ସାରା ଦେଶ ପାଇଁ ଆଦର୍ଶ

nabin odisha

ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ସରକାର ପ୍ରବର୍ତ୍ତନ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ଦେଶ ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ଆଦୃତ ହୋଇଛି। ରାଜ୍ୟ ସରକାରଙ୍କର ଅନେକ ସଫଳ କାର୍ଯ୍ୟକ୍ରମ ‘ମମତା’, ‘କାଳିଆ’, ‘କୃଷକ ଓଡ଼ିଶା’, ‘ବିଏସ୍‌‌କେୱାଇ’ ଅନୁରୂପ ଅନେକ ଯୋଜନା ବିଭିନ୍ନ ରାଜ୍ୟ ସରକାର ଆଦରିଛନ୍ତି, କେନ୍ଦ୍ର ସରକାର ବି ଅନୁରୂପ କାର୍ଯ୍ୟକ୍ରମ ଆପଣେଇଛନ୍ତି। ଏବେ ଓଡ଼ିଶାର ଦୁଇ ପ୍ରମୁଖ ତଥା ଲୋକପ୍ରିୟ କାର୍ଯ୍ୟକ୍ରମକୁ ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ସରକାର ଗ୍ରହଣ କରିବାକୁ ଯାଉଛନ୍ତି। ‘ମୋ ସରକାର’ ଢ଼ାଞ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଦିଦିଙ୍କ ଦୂତ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ଓ ସାରା ବିଶ୍ୱରେ ତୃତୀୟ ଶ୍ରେଷ୍ଠ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଜାଗା ମିଶନ’ ଅନୁରୂପ କାର୍ଯ୍ୟକ୍ରମ ମଧ୍ୟପ୍ରଦେଶ ସରକାର ଆରମ୍ଭ କରିଛନ୍ତି। ଧୃବୀକରଣ ରାଜନୀତି ଅପେକ୍ଷା ‘ବିକାଶ’କୁ ସର୍ବଦା ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଏବେ ଜାତୀୟସ୍ତରରେ ଅନ୍ୟ ରାଜ୍ୟ ପାଇଁ ବିକାଶ ନକ୍ସା ପାଲଟିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷାରେ ଗଣତନ୍ତ୍ରରେ ଜନତା ପ୍ରକୃତ ମାଲିକ। ସେମାନଙ୍କୁ ଠିକ୍‌‌ ସମୟରେ ସେବା ଯୋଗାଇବା ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ କର୍ତ୍ତବ୍ୟ। ଓଡ଼ିଶାରେ ‘୫-ଟି’ ଉପକ୍ରମ ଏବଂ ‘ମୋ ସରକାର’ କାର୍ଯ୍ୟକ୍ରମ ଦ୍ୱାରା ହିତାଧିକାରୀ/ଜନତାଙ୍କ ଠାରୁ ମତାମତ ସଂଗ୍ରହ କରାଯାଉଛି। ଏହି ମତାମତକୁ ଆଧାର କରି ପରବର୍ତ୍ତୀ ସମୟରେ ଯୋଜନାର ରୂପରେଖ ପରିବର୍ତ୍ତନ କରାଯାଉଛି। କୌଣସି ସେବା ଯୋଗାଇବାରେ ପ୍ରଶାସନିକ ଅଧିକାରୀଙ୍କ ବ୍ୟବହାରକୁ ମଧ୍ୟ ଅନୁଧ୍ୟାନ କରାଯାଉଛି। ୨୦୧୯ ପରେ ଏହି ଯୋଜନା ଆହୁରି ସକ୍ରିୟ ହୋଇଛି ଏବଂ ଏହାର ବ୍ୟାପକ ସୁଫଳ ମିଳିଛି।

ଦିଦିର ସୁରକ୍ଷା କବଚ- ଦିଦିଙ୍କ ଦୂତ ଯୋଜନାରେ ‘ମୋ-ସରକାର’ ଢ଼ାଞ୍ଚାରେ ୧୫ଟି କାର୍ଯ୍ୟକ୍ରମକୁ ସନ୍ନିବେଶିତ କରାଯାଇଛି। ଜନ ପ୍ରତିନିଧିମାନଙ୍କୁ ସିଧାସଳଖ ଲୋକଙ୍କ ସାଙ୍ଗରେ ରହିବାକୁ କୁହାଯାଇଛି। ଯୋଜନା ଗୁଡ଼ିକର କିପରି ରୂପାୟନ ହେଉଛି, ତାହାର ମତାମତ ସଂଗ୍ରହ କରିବାକୁ ପଶ୍ଚିମବଙ୍ଗ ସରକାର ଆରମ୍ଭ କରିଛନ୍ତି। ଏହି ମତାମତ ସଂଗ୍ରହ ପାଇଁ କେତେକ ଅସ୍ଥାୟୀ ମାନବ ସମ୍ବଳକୁ ବିନିଯୋଗ କରିବାକୁ ଯୋଜନା ହୋଇଛି। ଚଳିତ ବର୍ଷ ପଶ୍ଚିମ ବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ତେଣୁ ଏହି ଯୋଜନାର ସଫଳ ରୂପାୟନ ସରକାରର ସବୁ ଦିଗକୁ ଆଗକୁ ଆଣିବ ବୋଲି କୁହାଯାଉଛି।

ଅନୁରୂପ ଭାବରେ ଓଡ଼ିଶା ସରକାର ଜମି ବ୍ୟାଙ୍କ୍‌‌ କରି ଆବଶ୍ୟକ କରୁଥିବା ଲୋକଙ୍କୁ ଜମି ଯୋଗାଇ ଦେଉଛନ୍ତି। ଜାଗା ମିଶନ୍‌‌ ଏହି ଢାଞ୍ଚାରେ ସଫଳତାର ସହ ଆଗେଇ ଚାଲିଛି। ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ‘ଜାଗା ମିଶନ’ ପ୍ରଶଂସିତ ହୋଇଛି। ଏବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ରାଜ୍ୟ ମଧ୍ୟପ୍ରଦେଶରେ ଅନୁରୂପ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟରେ ଜାଗା ମିଶନ୍‌‌ ଦ୍ୱାରା ୩୦ଟି ସହରର ୭୦୭ ଟି ବସ୍ତି ରୂପାନ୍ତରଣ ହୋଇ ସାରିଛି। ୮ ଟି ସହରକୁ ବସ୍ତି ମୁକ୍ତ ସହର ଘୋଷଣା କରାଯାଇ ସାରିଛି। ୫ ବର୍ଷ ମଧ୍ୟରେ ୧ ଲକ୍ଷ ୭୫ ହଜାର ପରିବାରକୁ ସହରାଞ୍ଚଳରେ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୨୭୨୪ ଟି ବସ୍ତିକୁ ଶତ ପ୍ରତିଶତ ପାଇପ ପାଣି ଯୋଗାଣ ହୋଇଛି। ୭୦୭ ଟି ବସ୍ତି ସମ୍ପୂର୍ଣ୍ଣ ରୂପାନ୍ତରଣ ହେବା ସହ ବିଜୁ ଆଦର୍ଶ କଲୋନୀରେ ପରିଣତ ହୋଇ ସାରିଛି। ୬୬୬ ଟି ବସ୍ତାରେ ଶତ ପ୍ରତିଶତ ଲୋକଙ୍କୁ ବ୍ୟକ୍ତିଗତ ଶୌଚାଳୟ ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କ ଏହି ଯୋଜନାର ଅବିକଳ ଯୋଜନା ବର୍ତ୍ତମାନ ମଧ୍ୟପ୍ରଦେଶ ସରକାର ଆରମ୍ଭ କରିଛନ୍ତି। ଏହି ଯୋଜନା ପାଇଁ ରାଜ୍ୟ ସରକାର ବାର୍ଷିକ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟ୍‌‌ରେ ବ୍ୟୟ ବରାଦ କରିଥିବା ବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି କାର୍ଯ୍ୟ ଜାରି ରହିଛି। ଓଡ଼ିଶା ଢ଼ାଞ୍ଚାରେ ଶିବରାଜ ସିଂହ ଚୌହାନ ସରକାର ରାଜ୍ୟର ୧୦,୫୦୦ ହିତାଧିକାରୀଙ୍କୁ ୬୦୦ ବର୍ଗ ଫୁଟ୍‌‌ର ଜମି ଯୋଗାଇବାକୁ ଘୋଷଣା କରିଛନ୍ତି। ଜାତୀୟ ସ୍ତରରେ ରାଜ୍ୟର ମମତା ଯୋଜନା, କାଳିଆ ଯୋଜନା ଓ କୃଷକ ଓଡ଼ିଶା ଯୋଜନା ମଧ୍ୟ ବହୁଳ ଭାବେ ପ୍ରଶଂସିତ ହୋଇଛି।

Share this story