ସିଏମଙ୍କ ସହିତ ବସି ସମୀକ୍ଷା ବୈଠକ କରୁଥିବା ବେଳେ ଚାଲି ଯାଇଥିଲା ମନ୍ତ୍ରୀ ପଦ
ଏକଦା ଦିନେ ସେ ବିଜୁବାବୁ ଓ ନବୀନ ପଟ୍ଟନାୟକଙ୍କ ପ୍ରିୟପାତ୍ର ଥିଲେ । ଜନତା ଦଳର ବିଧାୟକଙ୍କୁ ବିଜେଡିରେ ଆଣିବାର ପ୍ରୟାସ ତାଙ୍କ ପାଇଁ ବେଶ୍ ପ୍ରସଂଶାଯୋଗ୍ୟ ଥିଲା। ଦଳୀୟ ସାମ୍ବିଧାନରେ କାର୍ଯ୍ୟକାରୀ ସଭାପତି ନ ହୋଇ ମଧ୍ୟ ନବୀନ ତାଙ୍କୁ ସେହି ପଦବୀ ଦେଇଥିଲେ। ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ପୂର୍ତ୍ତ,ଗୃହ,ନଗର ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ।ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତି। ଦଳରେ ନିଜର ଏକ ଲୋକପ୍ରିୟତା ହାସଲ କରିଥିଲେ ନଳିନୀ। କିନ୍ତୁ ୨ବର୍ଷ ପରେ ନଳିନୀଙ୍କ ଅଚାନକ ଭାଗ୍ୟ ପରିବର୍ତ୍ତନ ହେଲା। ଦିନେ ନବୀନ ପଟ୍ଟନାୟକଙ୍କ ବାସଭବନକୁ ଏକ ସମୀକ୍ଷା ବୈଠକ ପାଇଁ ଯାଇଥିଲେ କିନ୍ତୁ ସେ ଜାଣି ନ ଥିଲେ ଯେ,ସେ ବୈଠକରେ ସୁପ୍ରିମୋଙ୍କ କଥାରେ ଅନ୍ୟ କିଛି ଅର୍ଥ ଥିଲା। ଅର୍ଥାତ୍ ଠିକ୍ ତା'ପରେ ଦିନେ ସଚିବାଳୟରେ କାର୍ଯ୍ୟରତ ନଳିନୀଙ୍କୁ କିଛି ସାମ୍ବାଦିକ ତାଙ୍କର ମନ୍ତ୍ରୀ ପଦ ଯିବାର ସମ୍ବାଦ ଦେଲେ ଯାହାକୁ ନଳିନୀ ଶୁଣି ଖୁବ୍ ଅପମାନିତ ମନେ କରି ସେହି ସ୍ଥାନ ଛାଡି ଚାଲି ଯାଇଥିଲେ।ଏମିତିକି ତାଙ୍କ ଅଫିସକୁ ସିଲ୍ କରାଯାଇଥିଲା। ସେ ସମୟରେ ରାଜ୍ୟରେ ମେଣ୍ଟ ସରକାର ଚାଲିଥାଏ।
ନଳିନୀ ମହାନ୍ତି,ପ୍ରଶାନ୍ତ ନନ୍ଦ ଓ କମଳା ଦାସଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିବା କାରଣରୁ ଏମାନଙ୍କ ମନ୍ତ୍ରୀପଦକୁ କାଟିଦିଆଗଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଯେଉଁ ଦୁର୍ନୀତି ମାମଲାରେ ନଳିନୀ ମହାନ୍ତିଙ୍କ ନାମରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ସେଥିରେ ତାଙ୍କ ନାମ ନଥିଲା କିନ୍ତୁ ନଳିନୀ ପରାଜୟ ବରଣ ନକରି କଂଗ୍ରେସ ଟିକେଟ୍ ପାଇଁ ରାଜନଗର ବିଧାୟକ ହୋଇଥିଲେ। ଠିକ୍ ସେହିପରି କମଳା ଦାସ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ପ୍ରଶାନ୍ତ ନନ୍ଦ କିଛି ଦିନ ବିଜେପିରେ ସାମିଲ୍ ହୋଇ ପୁଣି ବିଜେଡିକୁ ଘରବାହୁଡ଼ି ଥିଲେ ଓ ରାଜ୍ୟସଭା ସାଂସଦ ହୋଇଥିଲେ।
ତେଣୁ ଏହା କୁହାଯାଇପାରେ ଯେ ୧୯୯୯ ମସିହା ଅର୍ଥାତ୍ ୨୦୦୦ ମସିହା ପରଠାରୁ ନବୀନଙ୍କ ଏହି ଦୁର୍ନୀତି କାର୍ଡ ଖେଳିବା ଦ୍ୱାରା ସେ ସ୍ୱୟଂ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି ଓ ନିଜର ଭାବ ମୂର୍ତ୍ତିକୁ ସୁଦୃଢ଼ କରିପାରିଛନ୍ତି। ଆଜି ବି ଏହି କଥାକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି।