ନବୀନ ରାଜେନ୍ଦ୍ରନ ଭେଟଘାଟ ବଢ଼ାଉଛି ଚର୍ଚ୍ଚା

M M Rajendran

କାହିଁକି ନବୀନ ରାଜେନ୍ଦ୍ରନ ଭେଟଘାଟ । ଏମଏମ ରାଜେନ୍ଦ୍ରନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ କି ବିଜେଡି ? ପ୍ରାର୍ଥୀତ୍ବ ପାଇଁ ରାଜେନ୍ଦ୍ରନ ଚାଁହୁଛନ୍ତି କି ସମର୍ଥନ ? ଏତେ ବର୍ଷ ପରେ କାହିଁକି ଓଡିଶା ଆସିଲେ ପୂର୍ବତନ ରାଜ୍ୟପାଳ ? ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କ ଓଡିଶା ଗସ୍ତକୁ ନେଇ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ ରାଜେନ୍ଦ୍ରନ ଓଡ଼ିଶାର ରାଜ୍ୟପାଳ ଥିଲେ । 

୧୯୯୯ ମହାବାତ୍ୟା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ସେ ନବୀନ ପଟ୍ଟନାୟକ ସରକାରଙ୍କୁ ଶପଥ ପାଠ କରାଇଥିଲେ । ପାଖାପାଖି ପ୍ରାୟ ୨୨ ବର୍ଷ ପରେ ସେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ବେଶ ଭଲ ମିଜାଜରେ ବେଶ କିଛି ସମୟ ଆଲୋଚନା ହୋଇଛି । କ'ଣ ଆଲୋଚନା ହୋଇଛି ତାହା କୁହାଯାଇନାହିଁ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏହି ଭିଡିଓଟିକୁ ସାର୍ବଜନୀନ କରିଛି । ଚର୍ଚ୍ଚା ହେଉଛି ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏମଏମ ରାଜେନ୍ଦ୍ରନ କୁଆଡେ ପ୍ରାର୍ଥୀ ହେବେ । 

କଂଗ୍ରେସ ସରକାରଙ୍କ ସହିତ ତାଙ୍କ ଘନିଷ୍ଠତା କାରଣରୁ ସେ ଉପାର ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ଚାଲିଛି । ତାମିଲନାଡୁର ଏହି ପୂର୍ବତନ ଚିଫ ସେକ୍ରେଟାରୀଙ୍କୁ ବିଜେଡି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡା କରାଇପାରେ ବୋଲି ଆଉ କେହି କେହି ଆଲୋଚନା କରୁଛନ୍ତି । ରାଜେନ୍ଦ୍ରନ ଜଣେ ଦଳୀତ ଖ୍ରୀଷ୍ଟିଆନ ହୋଇଥିବା କାରଣରୁ ବିଜେଡିର ଏହା ସଂଖ୍ୟାଲଘୁ ପଲିଟିକ୍ସ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି । ତାଙ୍କୁ ପ୍ରୋଜେକ୍ଟ କରି ବିଜେଡି ପୁଣି ଥରେ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ବ ନୀତି ଆପଣାଇବା ବୋଲି ମଧ୍ୟ ଆଲୋଚନା କରୁଛନ୍ତି । ତେବେ ସେ ଯାହା ବି ହେଉନା କାହିଁକି ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନ ରାଜେନ୍ଦ୍ରନ ଭେଟଘାଟ କୁ ନେଇ ଚର୍ଚ୍ଚା ଜୋର ଧରିଛି ।

Share this story