କିଏ ନେବେ ଅବୁଝା ନରସିଂହଙ୍କ ସ୍ଥାନ ? ଅଡ଼ୁଆ ହେଉଛି ଅଙ୍କ

ଶରତ ପଟ୍ଟନାୟକ ଦିଲ୍ଲୀରୁ ଫେରି ଦାୟିତ୍ବ ନେବା ପରେ ଏବେ ଗୋଟିଏ କଥା କୁ ନେଇ ଚର୍ଚ୍ଚା। କିଭଳି ହେବ ଶରତଙ୍କ ଟିମ ? ତାଙ୍କର ହାତୀ ପରି ଟୀମ୍ ହବ ନା ପତକା ଟୀମ୍ ହବ ସେ କଥା ଖୁବଶୀଘ୍ର ଜଣାପଡିବ। ପ୍ରସାଦ ଯେତେବେଳେ ଟୀମ୍ ଗଢ଼ିଥିଲେ, ସେତେବେଳେ ନିରଞ୍ଜନ ଛିଗୁଲେଇ କହିଲେ ଯେ, ବେଶି ଲୋକରେ ମୂଷା ମରେନି । କିନ୍ତୁ ନିଜେ ସେତେବେଳେ ଟିମ୍ ଗଢିଲେ ସେଇଟା ହାତୀକୁ ବି ବଳିଗଲା ।
ବର୍ତ୍ତମାନ ଅଡୁଆ କିଏ ହବ ହାତ ବିଧାୟକ ଦଳର ନେତା । ନରସିଂହ ମିଶ୍ର ଏବେ ଅଛନ୍ତି । କିନ୍ତୁ ସିଏ ଇସ୍ତଫା ଦେଇଛନ୍ତି ବୋଲି କଥା ଉଠିଚି । ସିଏ ଆଉ ଏଇ ପଦରେ ରହିବେ ନାହିଁ ବୋଲି କହିସାରିଛନ୍ତି । ତାଙ୍କରି ଦଳର ସାଲୁଜା ହେଇପାରନ୍ତି ସିଏଲପି ଲିଡ଼ର ବଦଳୁ ବୋଲି ଦାବି କରିଥିଲେ। ଯେହେତୁ ସଭାପତି ପଶ୍ଚିମ ଓଡ଼ିଶାର, ସେହେତୁ ପଶ୍ଚିମ ଓଡିଶାରୁ କେହି ହୋଇପାରନ୍ତି ସିଏଲପି ଲିଡର ।
କିନ୍ତୁ ହବ କିଏ ? କିଏ କହିଲାଣି ଯେ ସୁର ରାଉତରାୟ ହେବେ । ଆଉ କେତେକଙ୍କର ମତ ଯେ ତାରା ବାହିନୀପତିଙ୍କୁ କରାଯିବ ଲିଡର । ଆଉ ଯେତେସବୁ ଅଛନ୍ତି ନୂଆ । ସାଲୁଜା ପୁରୁଣା ହେଲେ ବି ପଶ୍ଚିମ ଓଡିଶାରୁ ଦି' ଜଣ ରହିପାରିବେ କି ନାହିଁ ତାହା ମଧ୍ୟ ବିତର୍କର ବିଷୟ । ଚେଲା କୁମାର କିନ୍ତୁ ଚାଁହାନ୍ତି ଯେ ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ ନରସିଂହ ରୁହନ୍ତୁ ସେହି ପଦରେ । କିନ୍ତୁ ସେ ଯେମିତି ଜିଦଖୋରିଆ ଲୋକ ଏତେ ସହଜେ ମାନିବେ ବୋଲି ମନେ ହଉନି । ତେଣୁ ସୁର ଓ ତାରାଙ୍କ ଭିତରୁ ପଡିପାରେ କାହା ପାଳି । ସୁର ସିନିୟର ହେଇଥିବାରୁ ତାଙ୍କ ଚାନ୍ସ ଅଧିକ ।
ଏମିତି ଅବସ୍ଥାରେ ତାରାଙ୍କୁ ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ କରାଯିବାର ସମ୍ଭାବନା ବି ଅଛି । ତାଙ୍କୁ ଯଦି କାର୍ଯ୍ୟକାରୀ ସଭାପତି କରାଯାଏ ତେବେ ଅନ୍ୟ କେଉଁ ପୁରୁଖା ନେତା ଯେମିତିକି ଜୟଦେବ ଜେନାଙ୍କୁ କରାଯାଇପାରେ ପ୍ରଚାର କମିଟି ଅଧ୍ୟକ୍ଷ ।
ଶରତ ଲିଷ୍ଟ ନେଇ ଫେରିବା ପରେ ଜଣାପଡିବ କେଉଁ ଆଡକୁ ମୁଂହାଉଛି କଂଗ୍ରେସ ରାଜନୀତି । ଏମିତିରେ ବ୍ରଜରାଜନଗରରେ ହାତ ଦଳ ସେକେଣ୍ଡ ହୋଇଥିବାରୁ କଂଗ୍ରେସନେତାମାନଙ୍କ ମନ ଭାରି ପ୍ରଫୁଲ୍ଲିତ । ଶରତ ଆସିବାରୁ ଭାଗ୍ୟ ବଦଳିଲା ବୋଲି ଆଲୋଚନା ହଉଛି । ଦେଖାଯାଉ ଏହି ଉତ୍ସାହ ବେଶୀ ଦିନ ରହୁଛି କି ନାହିଁ ?