ଅପରାଜିତାଙ୍କ ବିରୋଧରେ ଲଢ଼ିବେ କି ମୁନା : ବିଜେଡି କ୍ୟାମ୍ପରେ ଚର୍ଚ୍ଚା

bjd munna

ସରଗରମ ହେଉଛି ରାଜ୍ୟ ରାଜନିତୀ । ୨୪ ପାଇଁ ଆରମ୍ଭ ହୋଇଯାଇଛି ମିଶନ । ଭୁବନେଶ୍ୱର ଲୋକସଭା ଆସନରେ କାହାକୁ ମିଳିବ ବିଜେଡି ଟିକେଟ । ଏହାକୁ ନେଇ ଆରମ୍ଭ ହୋଇଗଲାଣି କଳ୍ପନା ଜଳ୍ପନା । ବିଜେଡି ଟିକେଟ ରେସରେ ଏବେ ଅନେକ ନେତା ରହିଛନ୍ତି । ପ୍ରସନ୍ନ ପାଟଶାଣୀ, ଅରୁପ ପଟ୍ଟନାୟକ, ମୁନା ଖାଁ ନା ଆଉ କିଏ ? ବିଜେଡି ଶିବିରରେ ଏବେ ଏମିତି ଚର୍ଚ୍ଚା ଜୋର ଧରିଛି । ୧୯୯୮ ରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱରର ସାଂସଦ ଥିଲେ ପ୍ରସନ୍ନ ପାଟଶାଣୀ । ନିର୍ବାଚନ ମଣ୍ଡଳୀ ଭୁଲୁନଥିଲେ ବି ସେ ବିପୁଳ ଭୋଟରେ ବାଜିମାତ କରୁଥିଲେ । କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା ଫଳରେ ଅପରାଜିତା ଷଢଙ୍ଗି ବାଜିମାତ କରିଥିଲେ । ଯଦି ପ୍ରସନ୍ନଙ୍କୁ ଟିକେଟ ମିଳିଥାନ୍ତା ତେବେ ଅପରାଜିତାଙ୍କୁ ସାଂସଦ ହେବାର ସ୍ବପ୍ନ ସ୍ୱପ୍ନରେ ହିଁ ରହିଯାଇଥାନ୍ତା ବୋଲି ପ୍ରସନ୍ନ ସମର୍ଥକମାନେ ମତ ପୋଷଣ କରନ୍ତି  ।

ଅପର ପକ୍ଷରେ ରାଜ୍ୟ ସଭାକୁ ଯିବା ପାଇଁ ପ୍ରସନ୍ନ ଆଶା ବାନ୍ଧିଥିଲେ ବି ତାଙ୍କର ଆଶା ପୁରାଣ ହୋଇପାରି ନାହିଁ  । ତେବେ ନିର୍ବାଚନ ଲଢ଼ିବାକୁ ପ୍ରସନ୍ନ ରେଡି ବୋଲି ତାଙ୍କର ସମର୍ଥକମାନେ କହି ବୁଲୁଛନ୍ତି । ତେବେ ପ୍ରସନ୍ନଙ୍କ ଟିକେଟ ପାଇବା ଆଶା କ୍ଷୀଣ ବୋଲି କୁହାଯାଉଛି । ୨୦୧୯ରେ ଭୁବନେଶ୍ୱରରେ ଆ.ଏ.ଏସ ଓ ଆଇ. ପି.ଏସ ଲଢେଇ ଦେଖିବାକୁ ମିଳିଥିଲା । ଅପରାଜିତାଙ୍କ ଭଳି ଲୋକପ୍ରିୟତା ନଥିଲେ ବି ବିଜେଡି ପ୍ରାର୍ଥୀ ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ ଭଲ ଭୋଟ ସାଉଁଟିଥିଲେ । ଏବେ ତାଙ୍କୁ ଓଡିଶା ମୋ ପରିବାର ଦାୟିତ୍ୱ ମିଳିଛି । ଦଳୀୟ ସଂଗଠନ ଓ ସାମାଜିକ କାର୍ଯ୍ୟରେ ଅରୁପ ବେଶ ସକ୍ରିୟ ହୋଇଛନ୍ତି । ନିର୍ବାଚନରେ ହାରିବା ପରେ ତାଙ୍କୁ ରାଜ୍ୟ ସଭାକୁ ପଠା ଯିବ ବୋଲି ଚର୍ଚ୍ଚା ବି ହେଉଥିଲା । ଆଗାମୀ ନିର୍ବାଚନରେ ତାଙ୍କୁ ପୁଣି ଟିକେଟ ମିଳିବ ବୋଲି ଅରୁପ ଆଶା ରଖିଛନ୍ତି । 

ଅରୁପ ଓ ପ୍ରସନ୍ନଙ୍କୁ ନେଇ ଯେ ଭଳି ଚର୍ଚ୍ଚା ହେଉଛି ଠିକ ସେହିପରି ମୁନା ଖାଁ ଙ୍କ ନାଁ କୁ ନେଇବି ଚର୍ଚ୍ଚା ଜୋରଧରିଛି । ସିନେ ଅଭନେତାରୁ କ୍ୟାରିଅର ଆରମ୍ଭ କରିଥିବା ମୁନା ଖାଁ ମାତ୍ର ୩୦ବର୍ଷ ବୟସରେ ରାଜନୀତିରେ ପାଦ ଥାପି ଥିଲେ । ଜନତା ଦଳରୁ ବିଜୁଜନତା ଦଳ ପର୍ଯ୍ୟନ୍ତ ସେ ଦଳର ବହୁ ପଦ ପଦବୀରେ କାମ କରିଛନ୍ତି । ବିଜୁଙ୍କ ଠାରୁ ନେଇ ନବୀନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ମୁନା । ମୁନା ଖାଁ ନବରଙ୍ଗପୁରର ହୋଇଥିଲେ ମଧ୍ୟ ଭୁବନେଶ୍ୱରରୁ ପ୍ରାର୍ଥୀ ହେବାକୁ ଲକ୍ଷ ରଖିଛନ୍ତି । ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଧାନସଭା କ୍ଷେତ୍ରକୁ ସେ ଘନ ଘନ ଗସ୍ତ କରୁଛନ୍ତି । ତାଙ୍କ ରାଜ୍ୟ ସଭା ପାଣ୍ଠି କେବଳ ଖୋର୍ଦ୍ଧ ଜିଲ୍ଲାରେ ହିଁ ଖର୍ଚ୍ଚ ହେଉଛି । ସବୁ ନେତାଙ୍କ ସହ ସମନ୍ୱୟ ରଖି ରାଜ୍ୟସଭା ପ୍ରାର୍ଥୀ ଦେବା ସହ ସାଙ୍ଗଠନିକ କାର୍ଯ୍ୟରେ ଯୋଡି ହୋଇଛନ୍ତି । ସଂଖ୍ୟାଲଘୁ ନେତା ହୋଇଥିବାରୁ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଥିବା ମୁସଲିମ ଭୋଟ ବି ତାଙ୍କ ସପକ୍ଷରେ ଯିବ । ଅପରାଜିତାଙ୍କୁ ମାତଦେବା ପାଇଁ ବିଜେଡି ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।  

Share this story