ଓଡ଼ିଶାରେ ପ୍ରତି ଗାଁ ରେ ବସୁ ମୋବାଇଲ ଟାୱାର

ଓଡ଼ିଶାରେ ପ୍ରତି ଗାଁରେ ମୋବାଇଲ ସେବା ପହଞ୍ଚାଇବା ପାଇଁ ସଂସଦରେ ସ୍ବର ଉଠାଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ । ଆଜି ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ଶ୍ରୀ ମଙ୍ଗରାଜ। ଦାବି କରିଛନ୍ତି, ରାଜ୍ୟରେ ୧ ହଜାର ମୋବାଇଲ ଟାୱାର ବସାଯାଉ । ଓଡ଼ିଶାର ଅନେକ ଗାଁରେ ମୋବାଇଲ୍ ନେଟୱର୍କ ଉପଲବ୍ଧ ନଥିବା ପ୍ରସଙ୍ଗରେ ରାଜ୍ୟସଭାରେ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ଶ୍ରୀ ମଙ୍ଗରାଜ। ଏ ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ବର୍ତ୍ତମାନ ସମୟରେ ମୋବାଇଲ୍ ସେବା ସଭିଙ୍କ ଦୈନନ୍ଦିନ ଜୀବନରେ ନିହାତି ଆବଶ୍ୟକ ହୋଇପଡ଼ିଛି ।
ମାତ୍ର ଦୁର୍ଭାଗ୍ୟର ବିଷୟ ମୋବାଇଲ ନେଟୱର୍କ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ବହୁ ପଛୁଆ ରହିଛି। ମୋବାଇଲ୍ ସେବା ସଂଯୋଗରେ ଓଡ଼ିଶା ଏକ ନିଅଣ୍ଟିଆ ରାଜ୍ୟ ପାଲଟିଛି । ଜାତୀୟ ସ୍ତରରେ ଟେଲି ସାନ୍ଦ୍ରତା ହାର ୮୪.୮୮% ଥିବାବେଳେ ଓଡ଼ିଶାରେ ଏହି ହାର ୭୪.୩୮% । ଦେଶରେ ମୋବାଇଲ ନେଟୱର୍କ ନଥିବା ଗାଁ ତାଲିକାରେ ଓଡ଼ିଶା ସବୁଠୁ ଉପରେ ରହିଛି। ୨୦୨୧ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୬୨୭୮ଟି ଗାଁରେ ମୋବାଇଲ ନେଟୱର୍କ ନାହିଁ । ରାଜ୍ୟର ସବୁ ଗାଁରେ ମୋବାଇଲ୍ ନେଟୱର୍କ ଜରୁରୀ।
ତେଣୁ ଓଡ଼ିଶାରେ ଆଉ ୧ ହଜାର ମୋବାଇଲ ଗର ବସାଇବାର ଆବଶ୍ୟକତା ରହିଛି । ଓଡ଼ିଶାରେ ମୋବାଇଲ ନେଟୱର୍କରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମଙ୍ଗରାଜ ଅନୁରୋଧ କରିଛନ୍ତି ।