ବଞ୍ଚିଥିବା ବେଳେ ଅକାମୀ କରିଦେଲେ, ମରିବା ପରେ କାହିଁକି ସହାନୁଭୂତି ?

mohana jena

ମୋହନ ଜେନା ଜଣେ ଟାଣୁଆ ନେତା। ବାଣୀବିହାର ଛାତ୍ର ସଂସଦର ସଭାପତି ଥିଲେ। ଆସିଲେ ରାଜନୀତିକୁ । ଶଙ୍ଖ ଓ ପଦ୍ମ ମେଣ୍ଟ ଥିଲାବେଳେ ଦି’ ଥର ଲୋକ ସଭାକୁ ଯାଯପୁରରୁ ନିର୍ବାଚିତ ହେଇଚର୍ଚ୍ଚା। ଏବେ ତାଙ୍କର ଦେହାନ୍ତ ହେଇଗଲା । ତାଙ୍କ ବିୟୋଗରେ ପଦ୍ମଦଳିଆଙ୍କ କାନ୍ଦ ଦେଖେ କିଏ ? ଶଙ୍ଖ ଟିକଟରେ ବାବୁ ଲୋକସଭାକୁ ନିର୍ବାଚିତ ହେଇଥିଲେ । କିନ୍ତୁ କଳ୍ପତରୁ ବାବୁଙ୍କ ଯୋଗୁଁ ଆଉ ରହିପାରିଲେନି ଶଙ୍ଖ ଦଳରେ। ରୋକଠୋକ କହିବା ଲୋକ ମୋହନ। ଅଶୋକଙ୍କ ଜମାନା ଯିବାପରେ କଳ୍ପତରୁ ପାଲଟି ଯାଇଥଲେ ଯାଜପୁର ନଗେଶ । ତାଙ୍କ ଦାନ୍ତରେ ଅଣନିଃଶ୍ଵାସୀ ହେଇ ମୋହନ ପଦ୍ମ ଧରିଲେ ।

କିନ୍ତୁ ପଦ୍ମ ଦଳ ତାଙ୍କୁ ଓ ତାଙ୍କର ସାଂଗଠନିକ କ୍ଷମତାକୁ ଜମାରୁ ଉପଯୋଗ କଲାନି । ୨୦୧୪ ପରେ ପଦ୍ମଦଳିଆକୁ ଲାଗିଲା ଯେ ବାହାରୁ ରୁଣ୍ଡେଇ ଆଣିଲେ ନେତାଙ୍କୁ ଦଳ ମଜଭୁତ ହେବ। ଯେଉଁମାନଙ୍କୁ ଶଙ୍ଖଦଳିଆ ନାତ ମାରିବେ ସେମାନଙ୍କୁ ମୁଣ୍ଡାଇଲେ ଦଳ ଯାଜପୁରରେ ବାଜିମାତ କରିବ । ଏହି ଧାରାରେ ମୋହନ ଆସିଥିଲେ। କିନ୍ତୁ ଆସିଲେ ଗୌତମ, ଅମର, ବିଷ୍ଣୁ, ଅଶୋକ ଏବଂ ଆଉ କେତେଜଣ। ଏମାନେ ପଦ୍ମଦଳର ବଡ଼ବାବୁଙ୍କ ଗେହ୍ଲା ପାଲଟିଗଲେ । ବଡ଼ବାବୁମାନେ ଏମାନଙ୍କୁ ଛୋଟେ ସରକାର ବୋଲି ଧରିନେଲେ। ବିଚରା ମୋହନ ହେଇଗଲେ ଏକୁଟିଆ। ତାଙ୍କୁ ପଚାରେ କିଏ ? ଯେଉଁମାନେ ଶଙ୍ଖ ଦଳରୁ ଆସି ବେପାରିବଟା କମେଇଲେ ସେଇମାନେ ହିଁ ସବୁକିଛି ହେଇଗଲେ ଦଳର । 

ଅବଶ୍ୟ ଏହା ଭିତରେ ବିଶ୍ବବାବୁ ପୁଣି ଫେରିଗଲେଣି ଶଙ୍ଖ ଦଳକୁ । ଆଗକୁ ହଳଦୀବସନ୍ତମାନେ ପୁଣି ଫେରିଯିବେ ସେପଟକୁ। ପଦ୍ମପୁରରେ ପଦ୍ମ ବିପର୍ଯ୍ୟୟ ପରେ ଯାଜପୁରର ଏହି ବିଦେଶୀ ନେତାମାନେ ପୁରୁଣା ଶଙ୍ଖ ସମ୍ପର୍କ ଯୋଡ଼ି ବସିଲେଣି। ମୋହନଙ୍କୁ ପୂରା ଅକାମୀ କରିଦେଲେ ଯଉଁ ମାନେ ଏବେ ସେମାନେ ତାଙ୍କ ବିୟୋଗରେ ଛାଡି ଫଟେଇ କାଦୁବନ୍ତି। ଉପରେ ମୋହନଙ୍କ ଆତ୍ମା ଖୁସି କି ଦୁଃଖୀ ହେଉଥିବ ଜଣାନାହିଁ । କିନ୍ତୁ ଆଗକୁ ପଦ୍ମଦଳର ବଡ଼ବାବୁମାନେ ନିହାତି ଯେ ଦୁଃଖୀହେବେ ୟେ ଗ୍ୟାରେଣ୍ଡି ଆମ ଭଳି ନିନ୍ଦୁକ ମାନେ ଦେଇପାରିବେ।

ଯାଜପୁର ଶଙ୍ଖଦଳର ଗଡ଼ । ଏହି ଦଳର ନେତାମାନେ ଜାଣନ୍ତି ପଦ୍ମ ନେତାମାନଙ୍କୁ କଉଁ ପକେଟରେ ରଖିଲେ ସେମାନେ ଖୁସି ହେବେ। ସେମାନଙ୍କ ବେପାରିବିଟା ଭଲ ଭାବେ ଚାଲିବ । ସେମାନେ ଯାହା କଲେ ବି ଶଙ୍ଖ ଗଡ଼ କେମିତି ମଜଭୁତ ରହିବ ସେହି କାମ ନିଷ୍ଠାର ସହ କରିବେ ।

Share this story