ମୋକିମଙ୍କୁ ହଟାଇଲେ ଅଲୋଡ଼ା ରେକର୍ଡ ର ଅଧିକାରୀ ହେବ କଂଗ୍ରେସ

mokim congres

ମାଷ୍ଟରକ୍ୟାଣ୍ଟିନ ମଠର ପୁରୁଖା ଶିଷ୍ୟ କଟକୀ ମୋକିମ୍‌ଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ଗଲା ରାଷ୍ଟ୍ରପତି ନିର୍ବାଚନ ସମୟରେ ମାଟି ଆଉ ବିବେକ ଆହ୍ବାନରେ ଯେବେଠୁ ମୋକିମ୍ ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ କଲେଣି, ସେବେଠାରୁ ମୋକିମ ଦଳର ନେତାଙ୍କ ପାଇଁ ଅଛୁଆଁ। ମଠ ମହନ୍ତ ଆଶା ତୁଟିବା ପରେ ମୋକିମ୍ କୁଆଡ଼େ ନୂଆ ମହନ୍ତଙ୍କ ଉପରେ ମୁଁ ସଁ ହେଉଛନ୍ତି ଓ ନିଜ ଇଚ୍ଛା ଅନୁସାରେ କାମ କରୁଛନ୍ତି ।ସେଥିପାଇଁ କୋରାପୁଟିଆ ତାରା ଆଉ ଜଟଣୀ ସୁର ଅହରହ ମୋକିମଙ୍କ ଚଉଦପୁରୁଷ ଉଝାଳୁଛନ୍ତି । ହେଲେ ଧାମନଗର ଆଉ ପଦ୍ମପୁରରେ କଂଗ୍ରେସର ପ୍ରଚଣ୍ଡ ବିପର୍ଯ୍ୟୟ ମୋକିମ୍‌ଙ୍କ ପାଇଁ ଯେମିତି ଆଶୀର୍ବାଦ ହୋଇଛି।

ନିୟମିତ ବ୍ୟବଧାନରେ ଏହି ଦୁଇ ପ୍ରସଙ୍ଗ ଉଠାଇ ଦଳର ସାନବଡ଼ ନେତାଙ୍କୁ ଚଉପଦୀ ଶୁଣାଇବାକୁ ପଛାଉ ନାହାନ୍ତି। ଏଥିପାଇଁ କିଛି ହାତ ଦଳିଆ ବିଧାୟକ ଆଉ ପୁରୁଖା ନେତା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମହନ୍ତ ଶରତଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏପରିକି ତାଙ୍କୁ ନୋଟିସ ବି ପଠା ଯାଇଥିବା ଶୁଣା ଯାଉଛି । ମାତ୍ର ଏଥ୍‌ରେ ମୋକିମ୍ଙ୍କ ଅପେକ୍ଷା ଦଳର ମୁଖ୍ୟା କୁଆଡ଼େ ବେଶୀ ଚିନ୍ତିତ I ବିଧାନସଭାରେ ଦଳର ସଦସ୍ୟ ସଂଖ୍ୟା ଏକ ଅଙ୍କରେ ଅଟକିଛି ।

ସେଥିରୁ ମୋକିମ୍‌ଙ୍କୁ ଯଦି ବିଦା କରାଯିବ ତା ହେଲେ ବିଧାନସଭାରେ ହାତ ଦଳର ସଦସ୍ୟ ସଂଖ୍ୟାକୁ ନେଇ କୁଆଡ଼େ ଅଲୋଡ଼ା ନୂଆ ରେକର୍ଡ଼ ସୃଷ୍ଟି ହେବ । ସେଥିପାଇଁ ଦଳ ମୁଖ୍ୟ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ମୋକିମ୍‌ଙ୍କୁ ଛାଡ଼ିବେ ନା ରଖୁବେ ତାହା ବୁଝି ପାରୁ ନାହାନ୍ତି। 

Share this story