ଚଷମା ନପିନ୍ଧିଲେ ଲୋକଙ୍କୁ ଚିହ୍ନି ପାରୁନାହାନ୍ତି ଅଶ୍ୱିନୀ ?
aswini patra

ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବା ଲାଗି ରାଜ୍ୟ ସରକାର ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଗକୁ ହକି ବିଶ୍ୱକପ୍ ଆସୁଥିବାରୁ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଚଳଚଞ୍ଚଳ ରହିବା ଆଶା କରାଯାଉଛି। ସେମିତି ଚଳିତ ବର୍ଷ ରାଜ୍ୟରେ ଅବକାରୀ ରାଜସ୍ୱ ସର୍ବକାଳୀନ ରେକର୍ଡ଼ କରିବ ବୋଲି ବିଭାଗ ବି ଆଶା ବାନ୍ଧିଛି। ସେଇଥିପାଇଁ ତ ଅଶ୍ବିନୀ ସବୁ ଦୃଷ୍ଟିରୁ ଭାଗ୍ୟବାନ; ମାତ୍ର ସେ ଖାଲି ଭାଗ୍ୟବନ୍ତ ନୁହନ୍ତି, ଲକ୍ଷ୍ମୀବନ୍ତ ବୋଲି ବି ଏବେ ଉତ୍ତରଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭାରି ଚର୍ଚ୍ଚା। ନ ହେଲେ ବାଲେଶ୍ବର ଜିଲ୍ଲାରେ ମନ୍ତ୍ରୀ ଆଶାୟୀ ଢ଼େର ନେତାଙ୍କୁ ପଛରେ ପକାଇ ସିଏ କ'ଣ ମନ୍ତ୍ରୀ ହୋଇ ପାରିଥାଆନ୍ତେ ?  

ମାତ୍ର ମନ୍ତ୍ରୀ ହେବା ପରେ ଅଶ୍ବିନୀଙ୍କ ଢ଼ାଣିମାଣି କୁଆଡ଼େ ପୁରା ବଦଳି ଯାଇଛି। ବିଧାୟକ ଅଶ୍ବିନୀ ଆଉ ମନ୍ତ୍ରୀ ଅଶ୍ବିନୀ ରେଳ ଧାରଣା
ପରି ଦୁଇ ସମାନ୍ତର ସରଳରେଖାରେ ପରିଣତ ହୋଇଛନ୍ତି। ବର୍ଷାଦିନିଆ ନଈ ପରି ଫୁଲୁଥିବା ଅବକାରୀ ରାଜସ୍ୱ ରାଶି କୁଆଡ଼େ ତାଙ୍କୁ ଊର୍ଦ୍ଧ୍ୱମୁଖୀ କରିଛି । ଚଷମା ନ ପିନ୍ଧିଲେ ସିଏ ଲୋକଙ୍କୁ ଚିହ୍ନି ପାରୁ ନାହାନ୍ତି ବୋଲି କେହିକେହି ଅଭିମାନରେ କହୁଛନ୍ତି। 

ପୁଣି ମନ୍ତ୍ରୀ ହେଉହେଉ ସଦଳବଳେ ବିଦେଶ ଭ୍ରମଣ ସୁଯୋଗ କେତେଜଣଙ୍କ ଭାଗ୍ୟରେ ଜୁଟେ ? ବ୍ରିଟେନରେ ଲଣ୍ଡନ ବ୍ରିଜ୍, ୱିଣ୍ଡସର କ୍ୟାସଲ, ୱେଷ୍ଟ ମିନିଷ୍ଟର ଆବେ, ସେଣ୍ଟ ଜର୍ଜ ଚାପେଲ ବୁଲାବୁଲି କରି ମନ୍ତ୍ରୀ ଆଉ ବିଭାଗୀୟ ଅଧିକାରୀ ରାଜ୍ୟ ପର୍ଯ୍ୟଟନ ପାଇଁଗୁଡ଼ାଏ ସୁଯୋଗ ସୃଷ୍ଟି କରିବେ ବୋଲି ଆମେ ସିନା ଆଶା କରୁଛୁ; ମାତ୍ର ନିନ୍ଦୁକମାନଙ୍କ ତୁଣ୍ଡରେ କିଏ ହାତ ଦେବ ?

Share this story