୭ ବର୍ଷରେ ମା'କୁ ହରାଇ କିଭଳି ପହଞ୍ଚିଲେ ଏହି ସ୍ଥାନରେ, ଜାଣନ୍ତୁ ଖଡଗଙ୍କ ରାଜନୈତିକ ଯାତ୍ରା

malikarjuna khadge

ଗୁରୁ ଚେଲାଙ୍କ ଲଢେଇରେ ବାଜି ମାରିଲେ ଗୁରୁ । କଂଗ୍ରେସର ମଙ୍ଗ ଧରିଲେ ଖଡ଼ଗେ । ଅଣଗାନ୍ଧୀ ହାତରେ ଏବେ କଂଗ୍ରେସର ଶାସନ । ତେବେ ଏଭଳି ପରିସ୍ଥିତିରେ ଯାହା ନାଁ ଖୁବ ଚର୍ଚ୍ଚା ହେଉଛି ସେ ହେଉଛନ୍ତି ଖଡ଼ଗେ । ସେ ଜଣେ ରାଜନୀତିରେ ଦକ୍ଷ ନେତା । ଭାରତ ବର୍ଷରେ ବିଜେପି ଯେତେବେଳେ ପ୍ରସାର କରୁଛି ସେତେବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଏଭଳି ପରିବର୍ତନ ଅନେକ ଦିଗକୁ ଦର୍ଶାଉଛି । ତେବେ ମାଲିକାର୍ଜୁନ ଖଡ଼ଗେଙ୍କୁ ଏହି ପରିବର୍ତ୍ତନର ସୂତ୍ରଧାର ବୋଲି କୁହ ଯାଇପାରିବ ।  କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାରେ ସେ ଦ୍ଵିତୀୟ ଦଳିତ ନେତା। ଏହା ପୂର୍ବରୁ ୧୯୭୧ରେ ଜଗଜୀବନ ରାମ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ। ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରୁ ଆସିଥିଲେ ମଧ୍ୟ ସେ ଭଲ ଭାବେ ହିନ୍ଦୀ କହି ପାରନ୍ତି। ଖଡଗେ ଲଗାତାର ନଅ ଥର ବିଧାୟକ ରହି ସାରିଛନ୍ତି। କେବଳ ଏତିକି ନୁହେଁ ୨୦୧୪ରେ ଯେବେ ମୋଦୀ ଲହରରେ ବଡ ବଡ ଦିଗଜ ଧରାଶାୟୀ ହୋଇଥିଲେ, ସେହି ସମୟରେ ଖଡଗେ ନିଜର ବିଜୟ ବାନା ଉଡାଇବାରେ ସଫଳ ହୋଇଥିଲେ। ହେଲେ ୨୦୧୯ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ।

କର୍ଣ୍ଣାଟକର ବିଦର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ମଲ୍ଲିକାର୍ଜୁନ ଖଡଗେ । ମାତ୍ର ୭ ବର୍ଷ ବୟସରେ ହିଂସାର ଶିକାର ହୋଇଥିଲା ଖଡଗେଙ୍କ ପରିବାର । ତତ୍କାଳୀନ ହାଇଦ୍ରାବାଦ ପ୍ରେସିଡେନ୍ସିର ଶାସକ ନିଜାମଙ୍କ ସେନା ଦ୍ବାରା ତାଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା । ଖଡଗେଙ୍କ ମା' ଓ ଭଉଣୀ ଘର ଭିତରେ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ । ବାପାଙ୍କ ସହ ସବୁଦିନ ପାଇଁ ଗ୍ରାମ ତଥା ବିଦର ଜିଲ୍ଲା ଛାଡି ପଳାଇ ଆସିଥିଲେ ଖଡଗେ । ତେବେ ମାତ୍ର ୭ ବର୍ଷ ବୟସରେ ଆରମ୍ଭ ହୋଇଥିବା ସଂଘର୍ଷ ପରେ ରାଜନୈତିକ ପୃଷ୍ଠଭୂମିରେ ବଦଳିଥୁଲା ।

malikarjun

୧୯୬୯ ରେ ସେ ପ୍ରଥମେ କଂଗ୍ରେସରେ ସାମିଲ ହୋଇଥିଲେ । ୧୯୭୨ ରେ ସେ ପ୍ରଥମେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । କର୍ଣ୍ଣାଟକର ଗୁରମିତକଲ ବିଧାନସଭା ନିର୍ବାଚନ ମଣ୍ତଳୀରୁ ସେ କଂଗ୍ରେସ ଟିକେଟରେ ବିଜୟୀ ହେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ କ୍ରମାଗତ ୨୦୦୮ ପର୍ଯ୍ୟନ୍ତ ସେଠାରୁ ନିର୍ବାଚିତ ହୋଇ ଆସିଥିଲେ । ପରେ ତାଙ୍କର ବିଧାନସଭା କ୍ଷେତ୍ର ପରିବର୍ତ୍ତନ ହେବା ସହ ଚିତାପୁରରୁ ସେ ନିର୍ବାଚନ ଲଢିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ଠାରୁ ଲୋକସଭା ନିର୍ବାଚନ ପରାଜିତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ସେ ୫ ଥର ବିଧାୟକ ଓ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇସାରିଛନ୍ତି । ସେ ତାଙ୍କ ସମ୍ପୂର୍ଣ୍ଣ ରାଜନୈତିକ କ୍ୟାରିୟରରେ ଗାନ୍ଧୀ ପରିବାରର ବେସ ନିକଟତର ରହି ଆସିଛନ୍ତି । ୮୦ ଦଶକର ମଧ୍ୟ ଭାଗରେ କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିଥିଲା । ତେବେ ସେ ୧୯୭୬ ରେ ପ୍ରଥମେ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ବିଧାୟକ ଭାବେ ନିର୍ବାଚିତ ହେବା ପରେ କର୍ଣ୍ଣାଟକରେ ପ୍ରତ୍ୟେକ କଂଗ୍ରେସ ସରକାରରେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ହୋଇ ପାରିନଥିଲେ । ଏକାଧିକ ଥର ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ଚର୍ଚ୍ଚାରେ ଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଏଥୁରୁ ନିରାଶ ହେବାକୁ ପଡିଥିଲା ।

୨୦୦୪ ରେ ସେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବାର ସର୍ବାଧୂକ ସମ୍ଭାବନା ଥିଲେ ସୁଦ୍ଧା ଘଟଣାକ୍ରମ କିନ୍ତୁ ଏହାର ବିପରୀତ ହୋଇଥିଲା । କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ଗଠନ କରିଥିଲେ ସୁଦ୍ଧା ତାଙ୍କ ପରିବର୍ତ୍ତେ ଧରମ ସିଂ ମୁଖ୍ୟମନ୍ତ୍ରୀ ଆସନ ହାତେଇବାରେ ସଫଳ ହୋଇଥିଲେ । ତେବେ ୨୦୧୩ ରେ ମଧ୍ୟ ସାମାନ ସ୍ଥିତି ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ଚର୍ଚ୍ଚାର ଶୀର୍ଷରେ ଥିବା ବେଳେ ବିଧାୟକ ଦଳ ବୈଠକରେ ସିଦ୍ଧରମେୟାଙ୍କୁ ନେତା ଭାବେ ଚୟନ କରାଯାଇଥିଲା । ଉକ୍ତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିଲେ ଖଡଗେ ।

ରାଜନୈତିକ ସମୀକ୍ଷକଙ୍କ ମତରେ, କର୍ଣ୍ଣାଟକରେ ଖାଡଗେଙ୍କ ରାଜନୈତିକ ଯାତ୍ରା ଜଣେ ଦଳିତ ନେତା ଭାବେ ଏତେ ସହଜ ନଥିଲା । ଖଡଗେ ଦଳିତ ସମ୍ପ୍ରଦାୟକୁ ପ୍ରତିନିଧୂତ କୁରଥିବା ବେଳେ ରାଜ୍ୟରେ ଲିଙ୍ଗାୟତ ଓ ଭୋକାଲିଗାସ ସମ୍ପ୍ରଦାୟର ରାଜନୈତିକ ପ୍ରଭାବ ଓ ପତିଆରା ଅପେକ୍ଷାକୃତ ଅଧିକ ରହିଥିଲା । ତଥାପି ସେ କଂଗ୍ରେସର ଆଗୁଆ ନେତା ଭାବେ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ସଂଯୁକ୍ତ ମଜଦୁର ସଂଘର କାର୍ଯ୍ୟକର୍ତ୍ତା ଓ ପରେ ୧୯୬୯ ରେ କାଲାବୁରାଗୀ ସିଟି କଂଗ୍ରେସର ୟୁନିଟର ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ୧୯୭୨ ରେ ସେ କଂଗ୍ରେସ ଟିକେଟରେ ପ୍ରଥମ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ ସୁଦ୍ଧା ଦିଲ୍ଲୀରେ ଗାନ୍ଧୀ ପରିବାରର ଖୁବ ନିକଟବର୍ତ୍ତୀ ହେବା ପାଇଁ ୨୦୧୪ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡିଥିଲା । 

ସେ ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରେ କାଲାବୁରାଗୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ । ଖଡଗେ ଏହି ଆସନରୁ ଦୁଇ ଥର ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପରେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ତାଙ୍କୁ ଦଳ ଲୋକସଭାରେ ଫ୍ଲୋର ଲିଡର ଭାବେ ଦାୟିତ୍ୱ ମିଳିଥିଲା । ଏହି ଅବସର ତାଙ୍କୁ ଗାନ୍ଧୀ ପରିବାରର ଆହୁରି ନିକଟବର୍ତ୍ତୀ କରାଇଥିବା ଚର୍ଚ୍ଚା ହୁଏ । ପରେ ସେ ସଂସଦର ପବ୍ଲିକ ଆକାଉଣ୍ଟ କମିଟିର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳି ଥିଲେ । ୨୦୧୯ ରେ ସେ ଲୋକସଭା ନିର୍ବାଚନରେ ପ୍ରଥମ ଥର ପରାଜିତ ହେବା ପରେ ତାଙ୍କୁ ଦଳ ଉଚ୍ଚ ସଦନ ରାଜ୍ୟସଭାକୁ ପଠାଇଥିଲା । ପରେ ତାଙ୍କୁ ୨୦୨୧ ଫେବୃଆରୀରେ ରାଜ୍ୟସଭାରେ ଦଳର ଫ୍ଲୋର ଲିଡର ଭାବେ ମଧ୍ୟ ଦାୟିତ୍ୱ ମିଳିଥିଲା ।

Share this story