ନାଚୁଣୀ କଲେଜ ବାର୍ଷିକ ଉତ୍ସବରେ ଯୋଗଦେଲେ ସାଂସଦ ମାନସ ମଙ୍ଗରାଜ

ନାଚୁଣୀ କଲେଜର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ । ଶୁକ୍ରବାର କଲେଜର ବାର୍ଷିକ ଉତ୍ସବରେ ବିଶେଷ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ତଥା ନାଚୁଣୀ କଲେଜର ପୁରାତନ ଛାତ୍ର ମାନସ ରଞ୍ଜନ ମଙ୍ଗରାଜ ଏହା କହିଛନ୍ତି । ମୋ ଗାଁ ହେଉଛି ନାଚୁଣୀ । ମୁଁ ଏହି ମାଟିର ସନ୍ତାନ । ମୁଁ ଏଠାକୁ ଅତିଥି ଭାବେ ନୁହେଁ ବରଂ କଲେଜର ପୁରାତନ ଛାତ୍ର ଭାବେ ଆସିଛି । ରାଜ୍ୟ ସରକାର ଉଚ୍ଚ ଶିକ୍ଷାର ଉନ୍ନତି ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ତେଣୁ ଏହି ମହାବିଦ୍ୟାଳୟର ଉନ୍ନତି ପାଇଁ କୌଣସି ଅର୍ଥର ଅଭାବ ରହିବ ନାହିଁ । ଆପଣମାନେ ମହାବିଦ୍ୟାଳୟର ଉନ୍ନତି ନିମନ୍ତେ ଯାହା କରନ୍ତୁ, ମୁଁ ସହଯୋଗ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ସାଂସଦ ଶ୍ରୀ ମଙ୍ଗରାଜ। କଲେଜ ଭିତ୍ତିଭୂମିର ଉନ୍ନତି ଲାଗି ମନ୍ତ୍ରୀ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଘୋଷଣା କରିଥିବାରୁ ତାଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ। ତେଣୁ କଲେଜର ଅଧ୍ୟକ୍ଷ ଓ ପରିଚାଳନା କମିଟି ସଭାପତିଙ୍କ ସହ ମୁଁ ଆଲୋଚନା କରିଛି । ଖୁବ୍ଶୀଘ୍ର ସେମାନେପ୍ଲାନ ପ୍ରସ୍ତୁତ କରି ଦେଲେ ଅନୁଦାନ ଆସିବ ଏବଂ ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ସାଂସଦ ମଙ୍ଗରାଜ କହିଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ, ବିଦ୍ୟାଳୟ ରୂପାନ୍ତରଣ ସହ ମହାବିଦ୍ୟାଳୟ ଶୈକ୍ଷିକ ବାତାବରଣ ଉପରେ ସରକାର ଗୁରୁତ୍ଵ ଦେଉଛନ୍ତି। ଶିଳ୍ପର ଅଭିବୃଦ୍ଧି ପାଇଁ ସରକାର ଓଡ଼ିଶା କନକ୍ଲେଭ୍ ପରେ ଶିକ୍ଷା କ୍ଷେତ୍ରରେ ବ୍ୟାପକତା ଉପରେ ଦୃଷ୍ଟି ଦେଉଛନ୍ତି। ରାଜ୍ୟରେ କ୍ରୀଡାର ଭିତ୍ତିଭୂମି ବିକାଶ ପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି। ମହାବିଦ୍ୟାଳୟସ୍ତରରେ କ୍ରୀଡାର ଭିଭିଭୂମି ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି । କଲେଜ ଗୁଡିକରେ ବୈଷୟିକ ଶିକ୍ଷା, ଆଧୁନିକ ଜ୍ଞାନକୌଶଳରେ ଶିକ୍ଷା, ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ଉପରେ ସରକାର ଗୁରୁତ୍ଵ ଦେଉଛନ୍ତି। ଛାତ୍ରୀଛାତ୍ର ଆଗକୁ ବଢ଼ିଲେ, ଓଡ଼ିଶାର ଗୌରବ ବଢ଼ିବ ବୋଲି ମନ୍ତ୍ରୀ କହିଥିଲେ। ମୁଖ୍ୟବକ୍ତା ଭାବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ ମହାବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି ନିମନ୍ତେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ କଲେଜର ପ୍ରତିଷ୍ଠାତା ସମ୍ପାଦକ ତଥା ପୂର୍ବତନ ଚିଲିକା ବିଧାୟକ ଡା. ବିଭୂତି ଭୂଷଣ ହରିଚନ୍ଦନ, କଲେଜର ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ ଯୋଗ ଦେଇଥିଲେ । କଲେଜର ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତା ତଥା ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ରାଜ କିଶୋର ସାହୁଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ କଲେଜର ପ୍ରସ୍ତାବିତ ବିଜ୍ଞାନ ହଲ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସଭା ପରିଚାଳନାରେ ଅଧ୍ୟାପିକା ଲୀନା ନଦିଜା ଓ ଅଧ୍ୟାପିକା ଡଃ ସୁଭଦ୍ରା ଭୋଳ ସହଯୋଗ କରିଥିଲେ। ଅଧ୍ୟାପିକା ସୁଶ୍ରୀ ସନ୍ତୋଷୀ ସାହୁ ବିବରଣୀ ପାଠ କରିଥିଲେ। ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଅଧ୍ୟାପକ ଦିଲୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ସିଲ୍ଡ ସହ ପୁରସ୍କୃତ କରାଯାଇଥିଲା ।