ଗଳା ବାଟରେ ଆଉ ଖସି ପାରିଲେନି ବିଧାୟକ : ଶେଷରେ ପାଲରେ ପଡିଲେ !

mla

ଚାରି କାନ୍ଥ ଭିତରେ ବିସ୍ତୃତ ଆଲୋଚନା ପରେ ବିବାହ ଲାଗି ପଥ ପରିଷ୍କାର ହୋଇଛି। ଉପକୂଳ ଜିଲ୍ଲାର ସଂପୃକ୍ତ ବିଧାୟକ ଆଗେ କୋର୍ଟ ମ୍ୟାରେଜ୍ କରିବାକୁ ରାଜି ହୋଇ ଯାଇଛନ୍ତି । ତେବେ ବେଦିରେ ବିବାହ ଉତ୍ସବ ନିମନ୍ତେ ସମୟ ନିଆଯାଇଛି। ଏଣେ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ପୁଣି ଉଭୟ ନିବିଡ଼ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବାରୁ ବିଧାୟକଙ୍କ ବିରୋଧୀ ଗୋଷ୍ଠୀଙ୍କ ମୁହଁ ଆମ୍ବିଳା ପଡ଼ିଯାଇଛି । ଗତକାଲି ବିଳମ୍ବିତ ରାତିରେ ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହାଜର ହୋଇଯାଇଥିଲେ ସଂପୃକ୍ତ ବିଧାୟକ । ସେଠାରୁ ତାଙ୍କୁ ସସମ୍ମାନେ ପାଛୋଟି ନେଇଥିଲେ ପ୍ରେମିକାଙ୍କ ପରିବାର ଲୋକେ । ପ୍ରାୟ ଦୁଇ ଘଣ୍ଟା ଧରି ଉଭୟ ପକ୍ଷଙ୍କ ଭିତରେ ଆମୁଳଚୂଳ ଆଲୋଚନା ହୋଇଥିଲା। କଥାବାର୍ତ୍ତା ଭିତରେ ବିଧାୟକଙ୍କ ଜଣେ ସଂପର୍କୀୟ କେତେକ ସର୍ତ୍ତ ବାଢ଼ିଥିଲେ। ବିଶେଷକରି କୋର୍ଟ ମ୍ୟାରେଜ୍ ପରେ ବେଦିରେ ବିବାହ ଉତ୍ସବ ନେଇ କନିଆ ଘର ଲୋକେ ଆଗକୁ କୌଣସି ଜିଦ୍ କରିବେନି। ଏହାଛଡ଼ା ବିଧାୟକଙ୍କ ରାଜନୈତିକ କ୍ୟାରିୟରରେ ନବବଧୂ ଆଦୌ ହସ୍ତକ୍ଷେପ କରିବେନି ଆଦି ଯୁକ୍ତି ଉପସ୍ଥାପନ ହୋଇଥିଲା। ବିଧାୟକଙ୍କ ପରିବାର ଲୋକଙ୍କ ସମସ୍ତ କଥାରେ ମୁଣ୍ଡ ଟୁଙ୍ଗାରି ଥିଲେ ଭାବି ନବବଧୂ। ମାତ୍ର କୋର୍ଟ ମ୍ୟାରେଜ୍ ଅତିଶୀଘ୍ର ହେବା ଉପରେ ଅଟଳ ରହିଥିଲେ। 

ନିଭୃତ କୋଠରି ଭିତରେ ପୁଙ୍ଖାନୁପୁଙ୍ଖ କଥାବାର୍ତ୍ତା ପରେ ଆସନ୍ତାକାଲି କୋର୍ଟ ମ୍ୟାରେଜ୍ ପାଇଁ ସ୍ଥିର ହୋଇଥିଲା । ତେବେ ଆସନ୍ତାକାଲି ଛୁଟି ଦିବସ ଜାଣିବା ପରେ ମଙ୍ଗଳବାରକୁ ଏହି ଦୁଇ ମୁହୂର୍ତ୍ତ ଚୂଡାନ୍ତ ହୋଇଥିଲା । ଏହି ଦିନ ବିଧାୟକ ଏବଂ ତାଙ୍କର ପ୍ରେମିକା ପରସ୍ପରର ହାତ ଧରାଧରି ହୋଇ କୋର୍ଟ ମ୍ୟାରେଜ୍ କରିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ମିଳିଛି । ବିଧାୟକ ଓ ପ୍ରେମିକା ମୁହାଁମୁହିଁ ହେବାର ଗୋଟିଏ ଦିନ ପୂର୍ବରୁ କିଛି ମଧ୍ୟସ୍ଥିଙ୍କ ଜରିଆରେ ଏବାବଦରେ ବୁଝାମଣା ହୋଇଥିଲା । ସେଦିନ ମଧ୍ୟ ପ୍ରେମିକା ବିବାହ ଜିଦ୍ ରୁ ଓହରି ନଥିଲେ । ପାଲଟା ମୁଦି ପିନ୍ଧା ଉତ୍ସବ, କୋର୍ଟ ମ୍ୟାରେଜ ଏବଂ ଜୁଲାଇ ମାସରେ ବିବାହ ସମ୍ପନ୍ନର କର୍ଯ୍ୟସୂଚୀ ତାଲିକ ଧରାଇ ଦେଇଥିଲେ। କୌଣସି ପରିସ୍ଥିତିରେ ସମାଧାନର ବାଟ ନହାରିବା ପରେ ସଂପୃକ୍ତ ମଧ୍ୟସ୍ଥିମାନେ ବିଧାୟକଙ୍କ ଉପରେ ସମସ୍ତ ଭାର ଛାଡ଼ି ଦେଇଥିଲେ। ବିଧାୟକ ମଧ୍ୟ କୌଣସି ପ୍ରକାର ଜଟିଳ ପରିସ୍ଥିତି ସୃଷ୍ଟି ନକରି ପ୍ରେମିକାଙ୍କ ସହ ସାକ୍ଷାତ କରିବାକୁ ଗତକାଲି ଛୁଟି ଆସିଥିଲେ । ଏବେ ଦୁଇ ପକ୍ଷଙ୍କ ଆଲୋଚନା ସଫଳ ହେବା ପରେ ବିଧାୟକଙ୍କୁ ତୀବ୍ର ବିରୋଧ କରୁଥିବା ଏକ ଗୋଷ୍ଠୀଙ୍କ ମୁହଁ ରଙ୍ଗା ପଡ଼ିଯାଇଛି । କାରଣ ଏହି ଗୋଷ୍ଠୀ ବିଧାୟକଙ୍କ ରାଜନୈତିକ ଇନିଂସକୁ ସଫା କରିବାକୁ ପ୍ରବଳ ଉଦ୍ୟମ ଚଳାଇ ଆସୁଛନ୍ତି।

ବିଶେଷକରି ପ୍ରେମିକା ପ୍ରସଙ୍ଗରେ ଭିତିରିଆ ବିଧାୟକଙ୍କ ଚେର କାଟି ଚାଲିଛନ୍ତି। ଏଣେ କିନ୍ତୁ ବିଧାୟକଙ୍କ ଗୋଟେ ପ୍ରକାର ହାତ ଗଣ୍ଠି ପଡୁଥିବା ଜାଣି ସମର୍ଥକ ଗୋଷ୍ଠୀ ବେଶି ଉତ୍ସାହିତ ହୋଇ ପଡ଼ିଛନ୍ତି। ଏପଟେ ପ୍ରେମିକଙ୍କ ପରିବାର ଲୋକେ ମୁହଁ ଖୋଲିବାକୁ ପ୍ରସ୍ତୁତ ନ ଥିବାରୁ ବିରୋଧୀ ପକ୍ଷକ ରଣନୀତି ଅଚଳ ଆଠେଣି ସୁଦୃଶ ହୋଇପଡ଼ିଛି ।

Share this story