ସାଲୁଜା ଙ୍କ ପରେ କେଭିଙ୍କ ପାଳି : ବେଲପଡା ବିଡ଼ିଓଙ୍କୁ ନିୟମକାନୁନ ର ପାଠ

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଆନ୍ଦୋଳନର ଚର୍ଚ୍ଚା ନଥମୁଣୁ ଆଉ ଏକ ପ୍ରସଙ୍ଗ ଏବେ ଚର୍ଚ୍ଚାକୁ ଆସିଛି । ପୂର୍ବତନ ମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ପାଖାପାଖି ଅଧଘଣ୍ଟା ଧରି ବେଲପଡ଼ା ବିଡିଓଙ୍କୁ ନିୟମକାନୁନର ଟିଉସନ୍ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୂର୍ବତନ ମନ୍ତ୍ରୀ କେ.ଭି. ସିଂହଦେଓ ବେଲପଡ଼ା ବିଡିଓ ଭିକ୍ଟର ସୋରେନଙ୍କୁ କହିଥିଲେ, ଆପଣଙ୍କ ସରକାର ୫-ଟି ସରକାର । ମା’କୁ ସମ୍ମାନ ଦେଉଥିବା ସରକାର। ଆପଣଙ୍କୁ ଅନ୍ୟ କେହି ଜନ୍ମ ଦେଇଛି କି? ବିଡିଓଙ୍କ ଉତ୍ତର ଥିଲା ଜନ୍ମ ଦେଇଛନ୍ତି। ଉତ୍ତର ଶୁଣିବା ପରେ କେଭି କହିଥିଲେ, ଯଦି ମା’ ଜନ୍ମ ଦେଇଛନ୍ତି, ତା’ହେଲେ ଆପଣ କାହିଁକି ମା’ଙ୍କୁ ସମ୍ମାନ ଦେଇ ଜାଣିନାହାନ୍ତି। ଏଭଳି ଯୁକ୍ତିତର୍କ ଭିତରେ ଶ୍ରୀସିଂହଦେଓ କହିଥିଲେ, ପୁଣି କଳାବ୍ୟାଜ୍ ପିନ୍ଧିବେ। ଦୁବ୍ୟବହାର କଥା କହିବେ ଆମେ ଭାଷା ଖରାପ କରୁଛୁ। ‘ୟୁ ଆର୍ ନଟ୍ ଦ ବସ୍, ୟୁ ଆର୍ ଏ ପବ୍ଲିକ ସର୍ଭେଣ୍ଟ୍।’
ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରସ୍ତାବରେ ଯେଉଁ ଅନୁଦାନରୁ କାମ ହେବାକଥା ତାହା ହୋଇନି ବିଡିଓ ପ୍ରସ୍ତାବ ଦେବାପାଇଁ କିଏ ? କାମ ଜଣେ କଲେ ଟଙ୍କା ପଇଠ ଅନ୍ୟଙ୍କୁ କରାଯାଉଛି। ଏହା କେମିତି ସମ୍ଭବ ବୋଲି ସେ ପଚାରିଥିଲେ। ଜେଇଙ୍କ ଆକାଉଣ୍ଟରେ ଟଙ୍କା ଦିଆଯାଇଥିବା ବିଡିଓ କହିବାପରେ ଜେଇଙ୍କୁ ଡାକିବାକୁ ସେ କହିଥିଲେ। ହେଲେ, ଜେଇ ଛୁଟିରେ ଥିବା କହିବାରୁ ଆହୁରି ରାଗିଯାଇଥିଲେ ଶ୍ରୀ ସିଂହଦେଓ। ଛୁଟି ଦରଖାସ୍ତ ଦେଖାଇବାକୁ କହିଥିଲେ। ବିଡିଓ କିନ୍ତୁ ନିରବ ରହିଥିଲେ। ଉଭୟଙ୍କ ମଧ୍ୟରେ ଏହିଭଳି ବାର୍ତ୍ତାଳାପ ଭିଡିଓରେ ଦେଖିବାକୁ ମିଳିଛି।
ବେଲପଡ଼ା ବ୍ଲକର ୨୫ ଓ ୨୬ ନମ୍ବର ଜୋନ୍ର ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟା ମିର୍ଜା ଓ ଅନିମା ଶବ୍ଦ ଦାସ ଗତ ୧୭ ତାରିଖରୁ ବ୍ଲକ୍ ଅଫିସ ଆଗରେ ଧାରଣାରେ ବସିଥିଲେ। ବେଲପଡ଼ା ବିଡିଓ ଭିକ୍ଟର ସୋରେନ ଜିଲ୍ଲା ପରିଷଦ ସଭ୍ୟାମାନଙ୍କ କଥା ଶୁଣୁନଥିବା ଏବଂ ନିଜ ମନମୁତାବକ ସରକାରୀ ଅନୁଦାନକୁ କାମରେ ଲଗାଉଥିବା ଅଭିଯୋଗ କରିଥିଲେ। ସରକାରୀ ଦଳ ଦ୍ବାରା ବ୍ଲକ୍ ଅଫିସ୍ ପରିଚାଳିତ ହେଉଥିବା ଜିଲ୍ଲା ପରିଷଦର ଉଭୟ ସଭ୍ୟା ଅଭିଯୋଗ କରିଥିଲେ। ବିଡିଓଙ୍କ ବଦଳି ଦାବିରେ ସେମାନେ ଆନ୍ଦୋଳନ କରିଥିଲେ। ଧାରଣାକୁ ଦୁଇଦିନ ହେଲେ ବି କେହି ତାଙ୍କ ପାଖକୁ ଯାଇନଥିଲେ। ଫଳରେ ବୁଧବାର ଶ୍ରୀ ସିଂହଦେଓ ପହଞ୍ଚି ଧାରଣାସ୍ଥଳକୁ ବିଡିଓଙ୍କୁ ଡାକି ଏହିଭଳି କହିଥିବା ଜଣାପଡ଼ିଛି। ଅନ୍ୟପଟେ ସବୁ ନିୟମ ଅନୁସାରେ କାମ ହୋଇଛି ବୋଲି ବିଡିଓ କହିଛନ୍ତି।