ଓରାମଙ୍କ ଦୁନିଆ ଏବେ ପୁରା ହଳଦିଆ, ହେଲେ କାହିଁକି ?

juel oram

ମଣିଷ ଯେଉଁ ରଙ୍ଗର ଚଷମା ପିନ୍ଧେ, ଦୁନିଆଁ ସେଇ ରଙ୍ଗର ଦିଶେ । ମାତ୍ର କାମଳ ଆକ୍ରାନ୍ତ ଲୋକକୁ ଦୁନିଆଟା ଦିଶେ ହଳଦିଆ । ନିଜ ଚରିତ୍ର ଯାହା, ମଣିଷ ଅନ୍ୟମାନଙ୍କୁ ସେହି ଭାବରେ ତଉଲିଥାଏ  । ଜୁଏଲ କୁଆଡ଼େ ସେହିପରି ଏକ କାମଳ ଆକ୍ରାନ୍ତ ହୋଇଛନ୍ତି, ଯେଉଁଥି ପାଇଁ ଅନ୍ୟମାନଙ୍କ ଚରିତ୍ରକୁ ନିଜ ପରି ହୋଇଥିବା  ମନେ କରୁଛନ୍ତି ବୋଲି ଶିଳ୍ପନଗରୀ ରାଉରକେଲାର ସେକ୍ଟର ୪ ପଦ୍ମ ଦଳିଆଙ୍କ ବୈଠକ କୋଠିରେ ଚର୍ଚ୍ଚା ହେଉଛି ।

 ଗଲା ୬ ମାସ ତଳେ ସକାଳୁ ସକାଳୁ ଲୋଡ୍ ହୋଇ ଜୁଏଲ୍‌ ତାଙ୍କ ଦଳର ଜଣେ ଯୁବ ନେତ୍ରୀଙ୍କୁ ଫୋନ୍‌ରେ ଯେପରି ଅଶ୍ଳୀଳ ସମ୍ଭାଷଣ କଲେ ତାହା ଅନେକ ଭୂଲି ନ ଥିବେ ।ପୀଡ଼ିତା ଯୁବତୀ ସେକ୍ଟର ୪ ବିଜେପି ବୈଠକ କୋଠି କବାଟ ଝରକା ଭାଙ୍ଗିବା ସହ ମାମଲାନେଇ ଥାନାରେ ପହଞ୍ଚିଲେ । ମହିଳା କମିଶନଙ୍କ ଦ୍ବାରସ୍ଥ ହେଲେ ପରିସ୍ଥିତି ଏମିତି ହେଲା ଯେ ପଞ୍ଚାୟତ ପ୍ରଚାର କରିବାକୁ ଜୁଏଲ୍‌ ବାହାରି ପାରିଲେ ନାହିଁ  । ଶେଷରେ ତାଙ୍କୁ ଆଗୁଆ ଜାମିନ ନେବାକୁ ପଡ଼ିଲା ।

 ସେଇ ଜୁଏଲ୍‌ ଏବେ ପଦ୍ମପୁରରେ ନିଜ ଝିଅ ବୟସର ଜଣେ ମହିଳାଙ୍କୁ ଯେପରି ଅଶାଳୀନ ଆଚରଣ କଲେ ସେଥିରୁ ତାହା ତାଙ୍କୁ କେବଳ ସମାଲୋଚିତ କରିନାହିଁ  । ପକ୍ଷାନ୍ତରେ ବିଭିନ୍ନ ମହଲରେ ନିନ୍ଦିତ କରିଛି । ଏହି ପ୍ରସଙ୍ଗରେ ଜୁଏଲଙ୍କୁ କଟାକ୍ଷ କରିଛନ୍ତି ଶଙ୍ଖନେତ୍ରୀ ଶ୍ରୀମୟୀ । ଜୁଏଲ ବି ଗୋଟେ ଝିଅର ବାପା, ସିଏ କ’ଣ ନିଜ ଝିଅକୁ ଏପରି ବ୍ୟବହାର କରିଥାଆନ୍ତି ବୋଲି ଶ୍ରୀମୟୀ ଯେଉଁ ପ୍ରଶ୍ନ କରିଛନ୍ତି ତାହାର ଉତ୍ତର କିଏ ଦେବ ?

Share this story