୨୯ରେ ଓଡିଶା ଆସିବେ, ୩୦ ହଜାର କର୍ମୀଙ୍କୁ ଭେଟିବେ : ଫୁଲ ଜୋସରେ ବିଜେପି

୨୦୨୪ ପାଇଁ ବିଜେପି ଫୋକସରେ ଓଡ଼ିଶା । ଅମିତ ଶାହ ଆସିଥିଲେ ଆଉ ଏବେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେପ୍ଟେମ୍ବର ୨୯ ଓ ୩୦ରେ ଓଡିଶା ଆସିବେ ଜେ.ପି ନଡ୍ଡା । ବିଜେପି କୋର୍ କମିଟି ବୈଠକରେ ଚୁଡାନ୍ତ ହେଲା କାର୍ଯ୍ୟକ୍ରମ । ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ରାଜ୍ୟ ପଦାଧିକାରୀଙ୍କ ବୈଠକ ପରେ ସୂଚନା। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ନଡ୍ଡା ଦୁଇଦିନିଆ ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର, କଟକ ଓ ପୁରୀ ଗସ୍ତରେ ଯିବେ । ପୁରୀରେ ୩ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପ୍ରାୟ ୩୦ହଜାରରୁ ଅଧିକ କର୍ମୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ମିସନ ୨୦୨୪ ପାଇଁ ବିଜେପି ଓଡ଼ିଶା ଉପରେ ମଧ୍ୟ ଫୋକସ କରୁଥିବାରୁ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଭାରତୀୟ ଜନତା ପାର୍ଟିର ମିଶନ ସାଉଥକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ଧରିଛି । ରାଷ୍ଟ୍ରୀୟ ସଭାପତି ହେବା ପରେ ଶ୍ରୀ ନଡ୍ଡାଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ଦଳ ପକ୍ଷରୁ ମଧ୍ୟ ତାଙ୍କୁ ଭବ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭୁବନେଶ୍ୱରରେ ସେ ଏକ ବିଶାଳ କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଦଳର ବରିଷ୍ଠ ନେତାମାନଙ୍କ ସହ ରଣନୀତି ପ୍ରସ୍ତୁତ କରିବେ । ଶ୍ରୀ ନଡ୍ଡା ତାଙ୍କ ଗସ୍ତ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ଜଣାପଡ଼ିଛି ।
ଅନ୍ୟପଟେ ନିକଟରେ ଓଡ଼ିଶାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ଦଳୀୟ ନେତୃତ୍ୱଙ୍କ ମନରେ ଉତ୍ସାହ ଭରିଥିଲା କିନ୍ତୁ ତାହା ବିଜେପି କର୍ମୀ ମାନଙ୍କ ମଧ୍ୟରେ କେତେ ପ୍ରଭାବ ପକାଇଲା ତାହା ସମସ୍ତଙ୍କୁ ଜଣା । ସେ ଦଳର ବୁଥକମିଟିକୁ ସୁଦୃଢ଼ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଆଉ ଶ୍ରୀ ଶାହଙ୍କ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପି ପ୍ରଭାରୀ ଭାବେ ସୁନୀଲ ବଂଶଲଙ୍କୁ ଦାୟିତ୍ୱ ମିଳିଛି । ଶ୍ରୀ ବଂଶଲ ବିଜେପିକୁ ୨୦୧୭ ଓ ୨୦୨୨ ମସିହାରେ ଉତ୍ତରପ୍ରଦେଶରେ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ଦେଖିବାକୁ ବାକି ରହିଲା ୨୦୨୪ ନିର୍ବାଚନରେ ତିନି ଦଳ କେଉଁ ରଣନୀତି ମାଧ୍ୟମରେ ନିର୍ବାଚନୀ ବୈତରଣୀ ପାର ହେଉଛନ୍ତି ।