ମନ୍ତ୍ରୀ ଲୋଭ ଦେଖାଇ ଶହେ କୋଟି ଠକେଇ ଉଦ୍ୟମ

ମହାରାଷ୍ଟ୍ରର ଆଣ୍ଟିଏକ୍ସଟର୍ସନ ସେଲ ପକ୍ଷରୁ ଏକ ଠକଦଳର ୪ ଜଣ ଲୋକଙ୍କୁ ଗିରଫ କରାଯାଇଛି। ସେମାନେ ଜଣେ ବିଧାୟକଙ୍କୁ କ୍ୟାବିନେଟ୍ ମନ୍ତ୍ରୀପଦ ଲୋଭ ଦେଖାଇ ୧୦୦ କୋଟି ଟଙ୍କା ଠକିନେବାକୁ ଉଦ୍ୟମ କରୁଥିଲେ। ମହାରାଷ୍ଟ୍ରର ନୂଆ ସିନ୍ଦେ ସରକାର କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ବିଭାଗ ପୁନର୍ବଣ୍ଟନ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।
ଦାଉନ୍ଦର ବିଜେପି ବିଧାୟକ ରାହୁଲ କୁଲ୍ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ରିଆଜ ଶେଖ୍ ନାମକ ଜଣେ ଲୋକ ଫୋନ୍ କରି ମନ୍ତ୍ରୀପଦ ପାଇବାରେ ସାହାଯ୍ୟ କରିବ ବୋଲି କହୁଛି। ସେ କୁଲ୍ଙ୍କ ସହ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାକୁ ଚାହୁଁଛି। ପୁଲିସର ପରାମର୍ଶରେ କୁଲ୍ ତାଙ୍କୁ ମୁମ୍ବାଇର ଏକ ହୋଟେଲରେ ଭେଟିଲେ। ସେତେବେଳେ ଅଭିଯୁକ୍ତ ଜଣକ କହିଲା ଯେ ଜଣେ ବରିଷ୍ଠ ରାଜନେତା ଏ କାମ କରିବେ। କିନ୍ତୁ ଏଥିପାଇଁ ତାଙ୍କୁ ୧୦୦ କୋଟି ଟଙ୍କା ଦେବାକୁ ଦେବାକୁ ହେବ। କୁଲ୍ ୧୦୦ କୋଟି ବଦଳରେ ୯୦ କୋଟି ଦେବାକୁ ତାଙ୍କ ସହ ବାର୍ଗେନିଂ କଲେ, ତା’ ମନରେ ବିଶ୍ଵାସ ଜନ୍ମାଇବା ପାଇଁ ଯେ ସେ ଆଗ୍ରହୀ। ୯୦ କୋଟିରେ କଥା ଛିଣ୍ଡିଲା। କିନ୍ତୁ ରିଆଜ ଦାବି କଲା ଯେ ତାକୁ ୨୦ ପ୍ରତିଶତ ଅଗ୍ରିମ ଦେବାକୁ ହେବ। ଏଥିରେ ବିଧାୟକ ଜଣକ ରାଜି ହେଲେ ଏବଂ ତାକୁ ପରେ ଆସିବାକୁ କହିଲେ।
ଇତିମଧ୍ୟରେ କୁଲ୍ ଦଳ ମୁଖିଆଙ୍କୁ ସବୁକଥା ଜଣାଇବା ସହ ମେରାଇନ୍ ଡ୍ରାଇଭ୍ ଥାନାରେ ଅଭିଯୋଗ ଦାଏର କଲେ । ପୁଲିସ ଠକମାନଙ୍କୁ ଧରିବା ପାଇଁ ଜାଲ ବିଛାଇଲା । ବିଧାୟକଙ୍କଠାରୁ ୧୮ କୋଟି ଟଙ୍କା ନେବା ପାଇଁ ଅଭିଯୁକ୍ତ ରିଆଜ ସହ ଆଉ ତିନିଜଣ ଯେତେବେଳେ ହୋଟେଲକୁ ଆସନ୍ତି ସେତେବେଳେ ପୁଲିସ ସେମାନଙ୍କୁ ଗିରଫ କରେ । ଗିରଫ ଠକମାନେ ହେଲେ ରିଆଜ ଶେଖ୍, ଯୋଗେଶ କୁଲକଣ୍ଠି, ସାଗର ସାଙ୍ଗଭି ଏବଂ ଜାଫର ଉସମାନି। ସମସ୍ତ ୪ ଜଣଙ୍କୁ ଜୁଲାଇ ୨୬ ପର୍ଯ୍ୟନ୍ତ ପୁଲିସ ହାଜତକୁ ନେଇ ଜେରା କରାଯାଉଛି। ଉସମାନି ଏହି ଠକ ଦଳର ମୁଖ୍ୟ ବୋଲି ଜଣାପଡ଼ୁଛି।