୧୯୯୮ରେ ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଛାଡିବା ବେଳେ ଓଡ଼ିଶାରେ କିଭଳି ଥିଲା ରାଜନୈତିକ ପାଣିପାଗ ?

gamanga

୧୯୯୮ ମସିହା ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ବିପର୍ଯ୍ୟୟ ପରେ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ୧୯୯୯ ମସିହା ଫେବୃଆରୀ  ୧୨ ତାରିଖରେ ଇସ୍ତଫା ପ୍ରଦାନ କଲେ । ଏହା ପରେ ହାଇକମାଣ୍ଡଙ୍ ନିର୍ଦ୍ଦେଶରେ ସାଂସଦ ଡଃ ଗିରିଧର ଗମାଙ୍ଗ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଫେବ୍ରୁଆରି ୨୨ ତାରିଖରେ ତାଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କଲେ। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ୧୨ଜଣ କ୍ୟାବିନେଟ ମନ୍ତ୍ରୀ, ସ୍ବାଧୀନ ଦାୟିତ୍ବରେ ୫ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କଲେ।

ଡକ୍ଟର ଗିରିଧର ଗମାଙ୍ଗଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ବାଲେଶ୍ଵରଠାରେ ଫକୀର ମୋହନ ବିଶ୍ବବିଦ୍ୟାଳୟ, ବାରିପଦା ଠାରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ଓ ଭୁବନେଶ୍ବର ଠାରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଲା । ଗମାଙ୍ଗେଙ୍କ ଶାସନ କାଳରେ ମହାବାତ୍ୟା ଦକ୍ଷିଣ ଉପକୂଳ ଓ ପୂର୍ବ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବିଶେଷ କ୍ଷୟକ୍ଷତି ଘଟାଇବା ସହ ବହୁ ଧନଜୀବନ ନଷ୍ଟ କଲା । ପ୍ରଥମେ ୧୯୯୯ ମସିହା ଅକ୍ଟୋବର ୧୭ତାରିଖରେ ଲଘୁଚାପଜନିତ ଘୂଣ୍ଠି ବାତ୍ୟା କ୍ଷୟକ୍ଷତି ଘଟାଇବା ପରେ ୨୯ ତାରିଖରେ ଏହା ମହାବାତ୍ୟାର ରୂପ ନେଲା ଓ ପ୍ରଳୟଙ୍କରୀ ରୂପ ଧାରଣକରି ଦୀର୍ଘ ୩୦ଘଣ୍ଟା ଯାଏ ଉପକୂଳବର୍ତ୍ତୀ ଇଲାକାରେ ତାଣ୍ଡବଲୀଳା ସୃଷ୍ଟି କଲା।

ଏପରି ବାତ୍ୟାର ମୁକାବିଲା ପାଇଁ ସରକାର ଆଦୌ ପ୍ରସ୍ତୁତ ନଥିଲେ। ବାତ୍ୟା ପରେ ବି ସରକାର ପରିସ୍ଥିତି ସୁଧାରିବାପାଇଁ କୌଣସି ଉଚିତ ପଦକ୍ଷେପ ନେଇପାରିଲେ ନାହିଁ । ବାତ୍ୟାପାଇଁ ପଲିଥିନ୍ କିଣାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ହେଲା ।ପରିସ୍ଥିତି ଏପରି ହେଲା ଯେ, ଡିସେମ୍ବର ୬ତାରିଖରେ ଡଃ. ଗମାଙ୍ଗ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ଓ ସେହିଦିନ ହେମାନନ୍ଦ ବିଶ୍ବାଳ କଂଗ୍ରେସ ବିଧାୟକ ଦଳର ନେତା ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ସହ ବସନ୍ତ କୁମାର ବିଶ୍ଵାଳ ଓ ଜଗନ୍ନାଥ ପଟ୍ଟନାୟକ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ। ଡିସେମ୍ବର ୯ ତାରିଖରେ ୧୧ଜଣ କ୍ୟାବିନେଟ ମନ୍ତ୍ରୀ, ୮ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କଲେ। ୧୧ ତାରିଖରେ ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ ରାଷ୍ଟ୍ରମନ୍ତ୍ରୀ ଭାବରେ ମନ୍ତ୍ରୀମଣ୍ଡଳରେ ଯୋଗଦାନ କଲେ । ୨୦୦୦ ଫେବୃଆରୀ ୭ତାରିଖରେ ରଘୁନାଥ ପଟ୍ଟନାୟକ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ।

୧୯୯୮ ମସିହାରେ ଡକ୍ଟର ଗମାଙ୍ଗଙ୍କର କେବଳ ଗୋଟିଏ ମାତ୍ର ଭୋଟରେ କେନ୍ଦ୍ରର ଏନ୍.ଡି.ଏ ସରକାରଙ୍କ ପତନ ଘଟିଲା। ସେତେବେଳେ ସେ ଲୋକସଭା ସାଂସଦ ଥାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ଲୋକସଭା ସାଂସଦ ଭାବରେ ଭୋଟ ପ୍ରଦାନ କରିଥିଲେ। ଫଳରେ ବାଜପେୟୀ ସରକାର ଇସ୍ତଫା ପ୍ରଦାନ କଲେ । ମାତ୍ର ୧୩ମାସ ପ୍ରଧାନ ମନ୍ତ୍ରୀ ରହିବା ପରେ ଅଟଳ ବିହାରୀ ବାଜପେୟୀ ପୁନଃ ଲୋକସଭା ନିର୍ବାଚନର ସମ୍ମୁଖୀନ ହେଲେ। ୧୯୯୯ ମସିହାରେ ଲୋକସଭା ପାଇଁ ନିର୍ବାଚନ ହେଲା। ଏହି ନିର୍ବାଚନରେ ଏନ୍.ଡି.ଏ ପୁଣି ଶାସନ କ୍ଷମତାକୁ ଆସିଲା । ଏଥର ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ମାତ୍ର ୨ଟି ଆସନ ଲାଭ କଲା। ୧୩ଶହ   ଲୋକସଭା (୧୯୯୯)କୁ ଓଡ଼ିଶାର ନିର୍ବାଚିତ ପ୍ରତିନିଧିମାନେ ହେଲେ।

Share this story