୨୧ ଯାଏଁ ସାଙ୍ଘାତିକ ବର୍ଷା : ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

laghuchapa

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଥିବା ବେଳେ, ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାହା ସହ ଆଗାମୀ ୭୨ ଘଣ୍ଟା ଯାଏଁ କିଛି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର ।

ଏହାଦ୍ୱାରା ରବିବାରଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବା ବେଳେ ୧୯ରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରକୋପ ରହିବାର ସମ୍ଭାବନା ରହିଛି। ଲଘୁଚାପ ଦ୍ୱାରା ୨୦ ଓ ୨୧ରେ ସର୍ବାଧିକ ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି। ଏହି ଦୁଇ ଦିନ ବିକ୍ଷିପ୍ତ ବର୍ଷା ହେବ ଓ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ପୁରୀରେ ୭୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୦କିଲୋମିଟର ରହିବ । ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ଆସିବ । ଏଥିପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଆସନ୍ତା ସପ୍ତାହରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମୟରେ ସହରାଞ୍ଚଳଗୁଡ଼ିକରେ ଡ୍ରେନେଜ ବ୍ୟବସ୍ଥା ପରିଚାଳନା ପାଇଁ ବ୍ୟବସ୍ଥା କରିବା ସହ ଚାଷ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ୨୦ ତାରିଖରୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଏସ୍‍ଆରସିଙ୍କ କାର୍ଯ୍ୟାଳୟ ପରାମର୍ଶ ଦେଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି । ଆଗକୁ ବର୍ଷାର ପରିମାଣ ବଢ଼ିବ ବୋଲି ମଧ୍ୟ କୁହାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । 

Share this story