ନୂଆବର୍ଷରେ ନିର୍ବାଚନ ଚିନ୍ତା : ୩ ଦଳର ଏଜେଣ୍ଡା କଣ ?

ନୂଆବର୍ଷରେ ତିଆରି ହେବ କି ନୂଆ ରାଜନୈତିକ ସମୀକରଣ? ୨୦୨୪ ନିର୍ବାଚନ ବର୍ଷ ହୋଇଥିବା ବେଳେ ଏଥିପାଇଁ ଚଳିତବର୍ଷରୁ ନେତାମାନେ ନେଟ୍ ପ୍ରାକଟିସ୍ କରିବେ ବୋଲି ଆକଳନ କରାଯାଉଛି । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ସଂଗଠନକୁ ସଜାଡ଼ି ରଣନୀତିକୁ ଜୋରଦାର କଲାବେଳେ ନୂଆ ସମୀକରଣ ବି ସାମ୍ନାକୁ ଆସିପାରେ । ରାଜନୀତି ପଣ୍ଡିତଙ୍କ ଆକଳନ, ପରସ୍ପରକୁ ଆକ୍ରମଣ କରିବା ପାଇଁ ଅପ୍ରସଙ୍ଗ ବି ପ୍ରସଙ୍ଗ ପାଲଟିବ । ନିର୍ବାଚନୀ ସଫଳତା ପାଇଁ ବର୍ଷ ୨୦୨୩ରେ ରାଜନୀତିର ପ୍ରୟୋଗଶାଳା ହେବ ଓଡ଼ିଶା । ୨୦୨୪ ନିର୍ବାଚନୀ ବର୍ଷ ହୋଇଥିବାବେଳେ ରାଜ୍ୟ ରାଜନୀତିକୁ ବେଶ ସରଗରମ କରିବ ବର୍ଷ ୨୦୨୩ । କୁହାଯାଉଛି ୨୪ରେ ଫାଇନାଲ ଲଢେଇ ପୂର୍ବରୁ ଏବର୍ଷ ନେଟ ପ୍ରାକ୍ଟିସ କରିବେ ସବୁ ରାଜନୈତିକ ଦଳ । ଯେଉଁଥିପାଇଁ ରାଜନୀତିର ପ୍ରୟୋଗଶାଳା ପାଲଟିପାରେ ବର୍ଷ ୨୦୨୩ ।
ବାରମ୍ବାର ନିର୍ବାଚନୀ ସଫଳତା ବିଜୁ ଜନତା ଦଳର ମନୋବଳକୁ ଶୀର୍ଷରେ ରଖିଛି । ନିକଟରେ ବିଜେଡି ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ଆକାରକୁ ଆହୁରି ବିଶାଳ କରିବାକୁ ଆହ୍ୱାନ ଦେଇଛନ୍ତି । ମହିଳା, ଯୁବକ ଓ ପେଶାଦାର ବ୍ୟକ୍ତିଙ୍କୁ ବିଜେଡି ସହ ଯୋଡି ହେବାକୁ କହିଥିବାରୁ ୨୦୨୪ ଟିକେଟ ବଂଟନ ବେଳେ ଏସବୁ ବର୍ଗକୁ ପ୍ରତିନିଧିତ୍ୱ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଯେଉଁମାନେ ଟିକେଟରୁ ବଂଚିତ ହେବେ ସେମାନଙ୍କୁ ସନ୍ତୁଷ୍ଟ କରି ନିର୍ବାଚନୀ ସଫଳତା ହାସଲ କରିବା ବିଜେଡି ପାଇଁ ବଡ ଆହ୍ୱାନ ହେବ ।
ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୩ରେ ହେବାକୁ ଥିବା ୯ଟି ରାଜ୍ୟରେ ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଲୋକପ୍ରିୟତାର ମାପକାଠି ହେବ । ହିମାଚଳରୁ ଶିକ୍ଷା ନେଇ ବିଜେପି ନୂଆ ରଣନୀତି ତିଆରି ନକଲେ ଅନ୍ୟାନ୍ୟ ବିଧାନସଭା ନିର୍ବାଚନରେ କଡା ମୁକାବିଲାର ସମ୍ମୁଖୀନ ହେବ । କଂଗ୍ରେସମୁକ୍ତ ଭାରତର ନାରା ଦେଇ କେନ୍ଦ୍ରୀୟ ବିଜେପି ରଣନୀତି ତିଆରି କରୁଥିବାବେଳେ ଆଂଚଳିକ ଦଳଗୁଡିକ ଏହି ଜାତୀୟ ଦଳର ବିଜୟରେ ବାଧକ ହେଉଛନ୍ତି । ଯେଉଁଥିପାଇଁ ୨୧ଟି ଲୋକସଭା ଆସନ ଥିବା ଓଡିଶା ଭଳି ଛୋଟିଆ ରାଜ୍ୟରେ କେନ୍ଦ୍ରୀୟ ବିଜେପି ନଜର ରଖିଛି । କିନ୍ତୁ ନବୀନଙ୍କ ବିକଳ୍ପ ଭାବରେ ରାଜ୍ୟ ବିଜେପିର ଚେହେରା ସ୍ପଷ୍ଟ ନକଲେ ଭୋଟରଙ୍କୁ ପ୍ରଭାବିତ କରିବାରେ ବିଜେପି ବିଫଳ ହେବ ବୋଲି ରାଜନୀତି ପଣ୍ଡିତଙ୍କ ମତ ।
ଜାତୀୟ ରାଜନୀତିରେ କଂଗ୍ରେସର ପ୍ରଭାବ ଓ ପତିଆରା କ୍ରମାଗତ କମିବାରେ ଲାଗିଛି । ଯାହାକୁ ସୁଧାରିବା ପାଇଁ ନୂଆ ରଣନୀତି ସହ ଭାରତ ଯୋଡ ଯାତ୍ରାରେ ବାହାରିଛନ୍ତି ରାହୁଲ ଗାନ୍ଧୀ । ଏପଟେ ୨୦୨୨ରେ ପଂଚାୟତ ଓ ପୌର ନିର୍ବାଚନ ଏବଂ ପରବର୍ତୀ ଉପନିର୍ବାଚନରୁ ସଂକେତ ମିଳୁଛି ଯେ, ସଂକଟରେ ଅଛି କଂଗ୍ରେସର ଅସ୍ତିତ୍ୱ । ସ୍ଥିତି ଏପରି ହୋଇଛି ଯେ, ଆଗାମୀ ନିର୍ବାଚନରେ ଦୁଇ ତୃତୀୟାଂଶ ଆସନରେ ଦଳ ପ୍ରତିଯୋଗିତାକୁ ଆସିବ କି ନାହିଁ ତାହା କହିବା ମୁସ୍କିଲ । ତେଣୁ ନେତା ଓ କର୍ମୀଙ୍କ ଆତ୍ମବିଶ୍ୱାସ ଫେରାଇ ଆଣିବାକୁ ପଡିବ ।
ଆକଳନ କରାଯାଉଛି ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ସଂଗଠନକୁ ସୁଦୃଢ କରି ଆଗାମୀ ଲଢେଇ ପାଇଁ ରଣନୀତି ପ୍ରସ୍ତୁତ କରିବେ । ୨୦୨୨ ବର୍ଷ ଶେଷ ଆଡକୁ ହୋଇଥିବା ୨ଟି ଉପନିର୍ବାଚନରୁ ଯେଉଁ ସଂକେତ ମିଳୁଛି- ବିଜେଡି ପାଇଁ ଶୃଙ୍ଖଳା, ବିଜେପି ପାଇଁ ନେତୃତ୍ୱ ଓ କଂଗ୍ରେସ ପାଇଁ ଅସ୍ତିତ୍ୱ ବଡ ଆହ୍ୱାନ ହେବ ।